ଫଳପ୍ରଦ ଆଣ୍ଟିବାୟୋଟିକ୍‌ ପଦାର୍ଥର ବିକାଶ

ବ୍ୟାକ୍ଟେରିଓଫେଜ୍‌ ଭାଇରସ୍‌ ବ୍ୟାକ୍ଟେରିଆର ପ୍ରତିରକ୍ଷା ବ୍ୟବସ୍ଥା ଭେଦ କରେ କିପରି। ବ୍ୟାକ୍ଟେରିଓଫେଜ୍‌ ହେଉଛି ବ୍ୟାକ୍ଟେରିଆକୁ ସଂକ୍ରମିତ କରୁଥିବା ଏକ ଭାଇରସ୍‌। ବଞ୍ଚତ୍ବା ପାଇଁ ସେମାନଙ୍କୁ ଏକ ବ୍ୟାକ୍ଟେରିଆ କୋଷରେ ପ୍ରବେଶ କରି ନିଜର ପ୍ରତିକୃତି ଗଠନ ପୂର୍ବକ ଅନ୍ୟ ବ୍ୟାକ୍ଟେରିଆଙ୍କୁ ସଂକ୍ରମିତ କରିବା ନିମନ୍ତେ ପଦାକୁ ନିର୍ଗତ ହେବା ଆବଶ୍ୟକ। ଏହି ଭାଇରସ୍‌କୁ ପଦାକୁ ବାହାରିବା ପାଇଁ ହେଲେ ବ୍ୟାକ୍ଟେରିଆ କୋଷଭିତ୍ତି ଗଠନର ମୁଖ୍ୟ ଉପାଦାନ ପେପ୍ଟିଡୋଗ୍ଲାଇକାନ ସ୍ତର ଅତିକ୍ରମ କରିବା ଜରୁରୀ। ବୈଜ୍ଞାନିକମାନେ ଏବେ ଏଭଳି କିଛି ସୂକ୍ଷ୍ମ ଭାଇରସ୍‌ ଅଧ୍ୟୟନ କରୁଛନ୍ତି, ଯାହା ଏକକ ଷ୍ଟ୍ରାଣ୍ଡ ବିଶିଷ୍ଟ ଡି.ଏନ୍‌.ଏ. କିମ୍ବା ଆର.ଏନ୍‌.ଏ. ଅଣୁରେ ଗଠିତ। ଏହି ଭାଇରସ୍‌ମାନଙ୍କର କ୍ଷୁଦ୍ର ଓ ପ୍ରଭାବଶାଳୀ ଜିନୋମ ଥାଏ, ଯାହା ବ୍ୟାକ୍ଟେରିଆକୁ ସହଜରେ ବିନାଶ କରିବାରେ ସହାୟକ ହୋଇଥାଏ।
ଭାଇରସ୍‌ ପ୍ରୋଟିନ୍‌ ଯାହା ବ୍ୟାକ୍ଟେରିଆ ପ୍ରୋଟିନ୍‌ ମୁରଜେକୁ ଅକ୍ଷମ କରେ
ବ୍ୟାକ୍ଟେରିଓଫେଜ୍‌ ଭାଇରସ୍‌ ବ୍ୟାକ୍ଟେରିଆକୁ ବିନାଶ କରିବା ପାଇଁ ନିଜର ସିଙ୍ଗଲ-ଜିନ୍‌ ଲାଇସିସ୍‌ ପ୍ରୋଟିନ୍‌ (Sgls) ନାମକ ଏକ ବିଶେଷ ପ୍ରୋଟିନ୍‌ ଉପରେ ନିର୍ଭର କରେ। ଲି ଏବଂ କ୍ଲେମନ୍ସ ଏହି ପ୍ରୋଟିନର ଭୂମିକା ଉପରେ ଗୁରୁତ୍ୱ ଦେଇଛନ୍ତି, ଯାହା ବ୍ୟାକ୍ଟେରିଆର ପ୍ରମୁଖ କୋଷଭିତ୍ତି ଗଠନରେ ସହାୟକ ପ୍ରୋଟିନ୍‌ ‘ମୁରଜେ’କୁ ଟାର୍ଗେଟ କରି କାର୍ଯ୍ୟକରେ। ମୁରଜେ ମୁଖ୍ୟତଃ ଏକ ଫ୍ଲିପେସ୍‌ ପ୍ରୋଟିନ ଭାବରେ କାର୍ଯ୍ୟ କରେ, ଯାହା ମୁଖ୍ୟତଃ କୋଷଭିତ୍ତି ଗଠନର ଏକ ମୁଖ୍ୟ ଉପାଦାନ ଫସ୍ଫୋଲିପିଡର ଅଣୁକୁ କୋଷଝିଲ୍ଲୀର ଦୁଇ ସ୍ତର ଦେଇ ପରିବହନ ପ୍ରକ୍ରିୟାରେ ସାହାଯ୍ୟ କରେ। ଏହା କୋଷ ମଧ୍ୟରୁ ପେପ୍ଟିଡୋଗ୍ଲାଇକାନ ନିର୍ମାଣର ଉପାଦାନକୁ କୋଷଝିଲ୍ଲୀ ଦେଇ ପରିବହନ କରେ, ଯଦ୍ଦ୍ବାରା ସେଗୁଡ଼ିକ ବର୍ଦ୍ଧନଶୀଳ ତରୁଣ ଜୀବକୋଷର କୋଷଭିତ୍ତି ଗଠନରେ ଭାଗ ନେଇପାରନ୍ତି। ସେମାନଙ୍କ ଗବେଷଣାରୁ ଆହୁରି ମଧ୍ୟ ସୂଚନା ମିଳେ ଯେ, Sgls ବ୍ୟତୀତ ଅନ୍ୟ ଦୁଇଟି ଅସମ୍ପର୍କିତ ପ୍ରୋଟିନ ଯଥା SglM ଓ SglPP୭ ମଧ୍ୟ ବ୍ୟାକ୍ଟେରିଆର ମୁରଜେ ପ୍ରୋଟିନ୍‌କୁ ଅବରୋଧ କରି ଏହାକୁ ମାରିଦିଏ।
ଏହି ପ୍ରକ୍ରିୟା ବୁଝିବା ପାଇଁ ବୈଜ୍ଞାନିକ ଲି କାଲଟେକ୍ର ‘ବେକମ୍ୟାନ ଇନ୍‌ଷ୍ଟିଚ୍ୟୁଟ ବାୟୋଲୋଜିକାଲ ଆଣ୍ଡ କ୍ରାୟୋଜେନିକ ଟ୍ରାନ୍ସମିଶନ ଇଲେକ୍‌ଟ୍ରୋନ୍‌ ମାଇକ୍ରୋସ୍କୋପି’ ଗବେଷଣା କେନ୍ଦ୍ରରେ କ୍ରାୟୋ-ଇଲେକ୍‌ଟ୍ରୋନ ମାଇକ୍ରୋସ୍କୋପି ପଦ୍ଧତି ପ୍ରୟୋଗ କରିଥିଲେ। ମୁରଜେ ଭଳି ଫ୍ଲିପେସର ଅଣୁଗୁଡ଼ିକ କୋଷଝିଲ୍ଲୀରେ ସ୍ଥାୟୀ ନିର୍ଗମ ଦ୍ୱାର ସୃଷ୍ଟି ନ କରି ପେପ୍ଟିଡୋଗ୍ଲାଇକାନ ନିର୍ମାଣର ଉପାଦାନ ଅଣୁଗୁଡ଼ିକୁ କୋଷଝିଲ୍ଲୀର ପ୍ରତ୍ୟେକ ପାର୍ଶ୍ୱରେ ଥର ଥର କରି ସଂସ୍ପର୍ଶରେ ଆଣିଥାଏ। ଯେତେବେଳେ ମୁରଜେ କୋଷ ଭିତରେ ବାହକ ପଦାର୍ଥ ସଙ୍ଗେ ଯୁକ୍ତ ହୋଇ ବନ୍ଧନ କରିଥାଏ, ସେତେବେଳେ ଏହା ସଂଯୋଜିତ ଅଣୁକୁ ବାହାର ପାର୍ଶ୍ୱରେ ନିର୍ମୁକ୍ତ କରିବା ପାଇଁ ନିଜର ଆକାର ପରିବର୍ତ୍ତନ କରେ। ବୈଜ୍ଞାନିକ ଲି’ ଲକ୍ଷ୍ୟ କରିଥିଲେ ଯେ, ଉଭୟ SglM ଏବଂ SglPP୭ ପ୍ରୋଟିନ୍‌ ମୁରଜେରେ ଏକ ଖାଲୁଆ ଅଂଶ ସହିତ ସଂଲଗ୍ନ ହୋଇଥା’ନ୍ତି, ଯାହା ଏହାର ପରିବହନ ପାଇଁ ଆବଶ୍ୟକ ସଂରଚନାତ୍ମକ ପରିବର୍ତ୍ତନକୁ ପ୍ରତିହତ କରେ। ଗବେଷଣାରୁ ସ୍ପଷ୍ଟ ହୋଇଗଲା ଯେ, ଏହି Sgls ପ୍ରୋଟିନ୍‌ଦ୍ୱୟ ମୁରଜେ ସହିତ ବାହାରପଟୁ ସଂଯୁକ୍ତ ହୋଇ ତାହାକୁ ଗୋଟିଏ ସ୍ଥାନରେ ବନ୍ଦୀ କରିଦିଅନ୍ତି I ଗବେଷକମାନେ ନିଜର ଏହି ସନ୍ଧାନ ଦ୍ୱାରା ଉତ୍ସାହିତ; କାରଣ ମୁରଜେ ପ୍ରୋଟିନ୍‌ର ବାହ୍ୟ-ମୁଖୀ ଅଂଶ ହିଁ ବାହ୍ୟ ପରିବେଶର ସଂସ୍ପର୍ଶରେ ଆସିଥାଏ, ଯଦ୍ଦ୍ବାରା ଏହାକୁ ନୂତନ ଲକ୍ଷ୍ୟସ୍ଥଳ ହିସାବରେ ଗ୍ରହଣ କରି ଉପଯୁକ୍ତ ଔଷଧ ପ୍ରୟୋଗ ଦ୍ୱାରା ସହଜରେ ଟାର୍ଗେଟ କରାଯାଇପାରିବ।
ଗବେଷକ ଦଳ ବିଶ୍ୱାସ କରନ୍ତି ଯେ, ଯେହେତୁ ବ୍ୟାକ୍ଟେରିଓଫେଜ୍‌ ଭାଇରସ୍‌ ଦ୍ରୁତ ନୂଆ ନୂଆ ରୂପରେ ବିବର୍ତ୍ତିତ ହୋଇଥାଏ, Sgls ପ୍ରୋଟିନ୍‌ ବହନ କରୁଥିବା ଆହୁରି ଅନେକ ପ୍ରଜାତିର ବ୍ୟାକ୍ଟେରିଓଫେଜ୍‌ ଭାଇରସ୍‌ ମଧ୍ୟ ସନ୍ଧାନ ମିଳିବାର ଆଶା କରାଯାଉଛି, ଯେଉଁମାନଙ୍କ ଜରିଆରେ ବ୍ୟାକ୍ଟେରିଆମାନଙ୍କୁ ସହଜରେ ମୁକାବିଲା କରିହେବ। ଏହି ବ୍ୟାକ୍ଟେରିଓଫେଜ୍‌ ଭାଇରସ୍‌ଗୁଡ଼ିକୁ ଗବେଷଣାଗାରରେ ପୃଥକ କରିବା ସହଜସାଧ୍ୟ ହୋଇଥିବାରୁ ଏମାନଙ୍କ ଜିନୋମର ଅଧ୍ୟୟନ ଦ୍ୱାରା ବ୍ୟାକ୍ଟେରିଆ ଶରୀରରେ ଆଣ୍ଟିବାୟୋଟିକ୍ସ ପଦାର୍ଥ ପ୍ରୟୋଗ ନିମନ୍ତେ ନୂତନ ଆକ୍ରମଣସ୍ଥଳୀର ସନ୍ଧାନ ମିଳିପାରିବ ବୋଲି ବୈଜ୍ଞନିକମାନେ ଆଶା ବାନ୍ଧିଛନ୍ତି।

(ଶେଷ ଭାଗ)
-ନିକୁଞ୍ଜ ବିହାରୀ ସାହୁ
ମୋ: ୮୦୧୮୭୦୮୮୫୮

Share
Tags: antibiotics