କାଳିପଦା,୨୫।୪(ରାଜଶ୍ରୀ ପାଣିଗ୍ରାହୀ)-ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ ସଭା ଗୃହ ପରିସରରେ ଶୁକ୍ରବାର ପୂର୍ବାହ୍ନରେ ବିକଶିତ ଗାଁ ବିକାଶିତ ଓଡ଼ିଶା କାର୍ଯ୍ୟକ୍ରମ ଲାଗି ବୈଠକ ଆୟୋଜନ କରାଯାଇଥିଲା। ନିର୍ବାଚିତ ପ୍ରତିନିଧିମାନଙ୍କ ସହିତ ବ୍ଲକ ଅଧ୍ୟକ୍ଷ ରଞ୍ଜିତା ନାୟକ, ଉପାଧ୍ୟକ୍ଷ ରାଜେଶ ଚୌଧୁରୀ, ଭାରପ୍ରାପ୍ତ ବିଡିଓ ସାଇଶ୍ରୀ ଲୋକନାଥ ପ୍ରସାଦ ସେଠୀ, ଏମ୍ପି ପ୍ରତିନିଧି ରବୀନ୍ଦ୍ର ନାଥ ଅଣ୍ଡିଆ, ଏବିଡିଓ ଶରତ ଚନ୍ଦ୍ର ମୁଦୁଲି, କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସୌମ୍ୟମୁକୁଳ ବାରିକ, ଜିପିଡିଓ ପ୍ରିୟବ୍ରତ ଗିରି ଗୃହରେ ପହଞ୍ଚି ଥିଲେ। ସଭା ଗୃହରେ ଜିଲା ପରିଷଦ ସଦସ୍ୟମାନଙ୍କର ବସିବା ପାଇଁ ଉଦ୍ଦିଷ୍ଟ ଥିବା ସିଟ୍କୁ ମଞ୍ଚ ତଳେ ସ୍ଥାନିତ କରିବା ପାଇଁ ଅଧ୍ୟକ୍ଷ ନିର୍ଦ୍ଦେଶ ଦେଇଥିଲେ।
ଏହାକୁ ପ୍ରତିବାଦ କରି ବିଜେଡିର ୩ଜଣ ଜିଲା ପରିଷଦ ସଦସ୍ୟ ଅସନ୍ତୋଷ ପ୍ରକାଶ କରି ସଭାଗୃହରୁ ଚାଲିଯାଇଥିଲେ। ଫଳରେ ଗୃହରେ ଚାପା ଉତ୍ତେଜନା ସୃଷ୍ଟି ହୋଇଥିଲା। ଉପୁଜିଥିବା ବିବାଦର ସମାଧାନ ପାଇଁ ବିଡିଓ ସେଠୀ ଉଦ୍ୟମ କରି ବିଫଳ ହୋଇଥିଲେ। ବାଦବିବାଦ ଓ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ବିକଶିତ ଗାଁ ବିକଶିତ ଓଡ଼ିଶା କାର୍ଯ୍ୟକ୍ରମକୁ ପଞ୍ଚାୟତ ସମିତି ଅଧ୍ୟକ୍ଷା ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଗୃହକୁ ବନ୍ଦ କରିଥିଲେ।
ତେବେ ଜିଲାପରିଷଦ ସଦସ୍ୟମାନଙ୍କ ଏପରି ନିଷ୍ପତ୍ତିକୁ ଜନପ୍ରତିନିଧି ନିନ୍ଦା କରିଛନ୍ତି। ବିବାଦ ବଢୁଥିବାରୁ ବାଲିଆପାଳ ବ୍ଲକରେ ଥିବା ୨୮ଟି ପଞ୍ଚାୟତର ବିକାଶ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି। ଉଲ୍ଲେଖଯୋଗ୍ୟ ଯେ, ପୂର୍ବ ବୈଠକରେ ତିନି ପ୍ରମୁଖ ଦଳର ନିର୍ବାଚିତ ପ୍ରତିନିଧିମାନଙ୍କ ମଧ୍ୟରେ ଚେୟାର ଫିଙ୍ଗାପିଙ୍ଗି ଏବଂ ଗଣ୍ଡଗୋଳ ହେବାରୁ ବିକଶିତ ଗାଁ ବିକଶିତ ଓଡ଼ିଶା କାର୍ଯ୍ୟକ୍ରମକୁ ବାତିଲ କରାଯାଇଥିଲା।