ତିରୁମାଲା ମନ୍ଦିରରେ ସବୁ କେଶ ଦାନ କଲେ ଉପ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ, ଜାଣନ୍ତୁ କ’ଣ ରହିଛି କାରଣ

ଅମରାବତି,,୧୪।୪: ଆନ୍ଧ୍ର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ ପବନ କଲ୍ୟାଣଙ୍କ ପତ୍ନୀ ଆନ୍ନା କୋନିଡେଲା ରବିବାର ତିରୁମାଲା ମନ୍ଦିରରେ ତାଙ୍କର ସମସ୍ତ କେଶ ଅର୍ପଣ କରିଛନ୍ତି। ମନ୍ଦିରରେ ତାଙ୍କ କେଶ ଲଣ୍ଡା ହେଉଥିବାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଉପମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ତାଙ୍କ ପୁଅର ସୁରକ୍ଷାର ଖୁସିରେ ଏହି ନିଷ୍ପତ୍ତି ନେଇଛନ୍ତି।
ଗତ ସପ୍ତାହରେ, ଉପମୁଖ୍ୟମନ୍ତ୍ରୀ ପବନ କଲ୍ୟାଣ ଏବଂ ଆନ୍ନା କୋନିଡେଲାଙ୍କ ପୁଅ ସହିତ ଏକ ଦୁର୍ଘଟଣା ଘଟିଥିଲା। ସେ ନିଆଁରେ ପୋଡ଼ି ଯାଇଥିଲେ ଏବଂ ତାଙ୍କ ମାଆ ଆନ୍ନା କୋନିଡେଲା ତିରୁମାଲା ମନ୍ଦିରରେ ତାଙ୍କ ପୁଅର ସୁରକ୍ଷା ପାଇଁ ପ୍ରାର୍ଥନା କରିଥିଲେ ଏବଂ କହିଥିଲେ ଯେ ତାଙ୍କ ପୁଅ ସୁସ୍ଥ ହେବା ପରେ, ସେ ମନ୍ଦିରକୁ ତାଙ୍କ କେଶ ଦାନ କରିବେ।
ଆନ୍ଧ୍ର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ ପବନ କଲ୍ୟାଣ ଏବଂ ଆନ୍ନା କୋନିଡେଲାଙ୍କ ପୁଅ ମାର୍କ ଶଙ୍କର ସମ୍ପ୍ରତି ସିଙ୍ଗାପୁରରେ ଏକ ‘ସମର କ୍ୟାମ୍ପ’ରେ ଯୋଗଦେବାକୁ ଯାଇଥିଲେ, ଯେଉଁଠାରେ ଗତ ସପ୍ତାହରେ ମଙ୍ଗଳବାର (୮ ଏପ୍ରିଲ) ଅଗ୍ନିକାଣ୍ଡ ଘଟିଥିଲା। ଏହି ଘଟଣାରେ ମାର୍କ ଶଙ୍କର ଅଳ୍ପକେ ବଞ୍ଚି ଯାଇଥିଲେ, କିନ୍ତୁ ଏହି ସମୟରେ ମାର୍କଙ୍କ ହାତ ଏବଂ ଗୋଡ ପୋଡ଼ି ଯାଇଥିଲା। ହେଲେ ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି।
ଏହି ଘଟଣା ପରେ, ମାର୍କ ଶଙ୍କରଙ୍କ ମାଆ ଆନ୍ନା କୋନିଡେଲା ତାଙ୍କ ସୁରକ୍ଷା ପାଇଁ ତିରୁମାଲା ମନ୍ଦିରରେ ଏକ ପ୍ରତିଜ୍ଞା କରିଥିଲେ, ଯାହାକୁ ସେ ରବିବାର (ଏପ୍ରିଲ ୧୩) ପୂରଣ କରିଥିଲେ।
ଆନ୍ଧ୍ର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ ପବନ କଲ୍ୟାଣଙ୍କ ଜନସେନା ପାର୍ଟି ପକ୍ଷରୁ ଏ ସମ୍ପର୍କରେ ଏକ ପ୍ରେସ ରିଲିଜ ଜାରି କରାଯାଇଛି। ଏଥିରେ ଦଳ କହିଛି, ‘ପରମ୍ପରାକୁ ମନେ ରଖି, ଆନ୍ନା ପଦ୍ମାବତୀ କଲ୍ୟାଣ କଟ୍ଟାରେ ନିଜର କେଶ ଅର୍ପଣ କରିଥିଲେ ଏବଂ ପୂଜାରେ ଅଂଶଗ୍ରହଣ କରିଥିଲେ।’
ଜନସେନା ପାର୍ଟି ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଆନ୍ନା କୋନିଡେଲାଙ୍କ କେଶ ଦାନ କରିବାର ଫଟୋ ଶେୟାର କରିଛି। ପାର୍ଟି ପୋଷ୍ଟରେ ଲେଖିଛନ୍ତି, ‘ଶ୍ରୀମତୀ ଆନ୍ନା କୋନିଡେଲା ତିରୁମାଲାରେ ଭଗବାନ ଭେଙ୍କଟେଶ୍ୱରଙ୍କୁ ତାଙ୍କର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ମନ୍ଦିରରେ ଶ୍ରୀ ବରାହ ସ୍ବାମୀଙ୍କୁ ଦର୍ଶନ କରିବା ପରେ, ଆନ୍ନା କୋନିଡେଲା ପଦ୍ମାବତୀ କଲ୍ୟାଣ କଟ୍ଟାରେ ତାଙ୍କର କେଶ ଦାନ କରିଛନ୍ତି।’