ଇକୋ ଟୁରିଜମ୍‌ କଟେଜର ଉଦ୍‌ଘାଟନ କଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, କହିଲେ…

ପାରଳାଖେମୁଣ୍ଡି,୧୭ା୧୧(ଗିରିଧାରୀ ପରିଚ୍ଛା): ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୋମବାର ଗଜପତି ଜିଲା ରାୟଗଡ଼ ବ୍ଲକର ପୁରାଣ ପ୍ରସିଦ୍ଧ ମହେନ୍ଦ୍ରଗିରି ଦିନିକିଆ ଗସ୍ତରେ ଆସି ବନ ବିଭାଗ ଦ୍ୱାରା ନିର୍ମିିତ ଇକୋ ଟୁରିଜମ୍‌ କଟେଜର ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ସେ ମହେନ୍ଦ୍ରଗିରିର ସର୍ବାଙ୍ଗୀନ ଉନ୍ନତି ତଥା ପର୍ଯ୍ୟଟନ କ୍ଷେତ୍ରର ବିକାଶ ଦିଗରେ ସମସ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି।

ତାଙ୍କ ସହ ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଷ ରାମ ସିଂ ଖୁଣ୍ଟିଆ ଏବଂ ବାଣିଜ୍ୟ, ପରିବହନ, ଇସ୍ପାତ ଓ ଖଣିଜ ବିଭାଗ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଆସିଥିଲେ। ମହେନ୍ଦ୍ରଗିରିର ସାମୂହିକ ବିକାଶ ସହ ପାରିପାଶର୍‌ବିକ ଅଞ୍ଚଳର ବିକାଶ କରାଯିବ। ଏଥିସହ ଏଠାରେ ପ୍ରଭୁ ପର୍ଶୁରାମ ଓ ଶ୍ରୀହରିଙ୍କ ମନ୍ଦିର ନିର୍ମାଣ କରି ହରହରିଙ୍କ ମିଳନ ବିଶ୍ୱ ଦରବାରରେ ଉପସ୍ଥାପନ କରିବାକୁ ଯୋଜନା ପ୍ରସ୍ତୁତ କରାଯାଇ ଏହାର ଉନ୍ନତି କରାଯିବ ବୋଲି ଉପ ମୁଖ୍ୟମନ୍ତ୍ରୀ ପରିଡ଼ା କହିଥିଲେ।

ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଖୁଣ୍ଟିଆ କହିଥିଲେ, ଆଗାମୀ ଦିନରେ ମହେନ୍ଦ୍ରଗିରିର ପାରିପାର୍ଶ୍ୱିକ ବିକାଶ ସହ ଏଠାକାର ସ୍ଥାନୀୟ ଲୋକଙ୍କ ବିକାଶ ଦିଗରେ କାର୍ଯ୍ୟାରମ୍ଭ ହେବ। ସ୍ଥାନୀୟ ଲୋକଙ୍କ ବିକାଶ ହେଲେ ଅଞ୍ଚଳର ବିକାଶ ହୋଇପାରିବ ବୋଲି ସେ ଗୁରୁତ୍ୱାରୋପ କରିଥିଲେ।