ମୌଳିକ ସୁବିଧାରୁ ବଞ୍ଚିତ ବାର୍ଷିକୋଣା ଗାଁ: ପ୍ରଶାସନିକ ଦୃଷ୍ଟି ଆଢୁଆଳରେ ନିରୀହ ଗ୍ରାମବାସୀ

ଥୁଆମୂଳ ରାମପୁର,୨୪ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ସିନ୍ଧିପଦର ପଞ୍ଚାୟତ ଅଧିନସ୍ଥ ବାର୍ଷିକୋଣା ଗ୍ରାମବାସୀ ସ୍ବାଧୀନତାର ୭୮ ବର୍ଷ ପରେ ମଧ୍ୟ ମୌଳିକ ସୁବିଧାରୁ ବଞ୍ଚିତ ହୋଇ କାଳାତିପାତ କରୁଥିବା ଦେଖିବାକୁ ମିଳିଛି। ବାର୍ଷିକୋଣା ଗ୍ରାମବାସୀ ବ୍ଲକ ସଦରମହକୁମାକୁ ଯିବା ପାଇଁ ହେଲେ ପ୍ରାୟ ୧୫ରୁ ୧୮ କିମି ଚାଲିଚାଲି ଯିବାକୁ ପଡ଼ିଥାଏ। ଏହି ଗ୍ରାମବାସୀଙ୍କ ପାଇଁ ପାନୀୟ ଜଳ, ସାସ୍ଥ୍ୟ ସେବା, ଉତ୍ତମ ଶିକ୍ଷା ବ୍ୟବସ୍ଥାଠାରୁ ଆରମ୍ଭ କରି ଅଙ୍ଗନଓ୍ବାଡ଼ି କେନ୍ଦ୍ର, ଯୋଗାଯୋଗ ପାଇଁ ଭଲ ରାସ୍ତାଟିଏ ମଧ୍ୟ ନ ଥିବା ଯୋଗୁ ବର୍ଷ ତମାମ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ ଏହି ବାର୍ଷିକୋଣା ଗ୍ରାମର ଭଟାପଡ଼ା, ଗମ୍ଭାରୀଗୁଡ଼ା, ମୁଣ୍ଡିଘାଟିର ପ୍ରାୟ ୫୦ରୁ ୬୦ ପରିବାରକୁ। ଏହି ଗ୍ରାମକୁ ରୋଗୀ, ଗର୍ଭବତୀ ମହିଳାଙ୍କ ପାଇଁ ଆମ୍ବୁଲାନ୍ସ ସେବା ସାତସପନ ପାଲଟି ଥିବା ବେଳେ ଅନେକ ସମୟରେ ରୋଗୀ, ଗର୍ଭବତୀଙ୍କୁ ଖଟିଆରେ ବୋହି ନେଲେ ଯାଇ ଇନ୍ଦ୍ରାବତୀ କେନାଲ ରାସ୍ତାରୁ ଆମ୍ବୁଲାନ୍ସ ସେବା ମିଳିଥାଏ। ପାନୀୟ ଜଳ ପାଇଁ ନାମକୁ ମାତ୍ର ବସୁଧା ଯୋଜନା କିନ୍ତୁ କେବେ ଏହାର ସୁଫଳ ସ୍ଥାନୀୟ ଜନସାଧାରଣଙ୍କୁ ମିଳେ ନାହିଁ । ଯେଉଁ ଗ୍ରାମକୁ ସବୁଦିନିଆ ପାଇଁ ଭଲ ରାସ୍ତାଟିଏ ନାହିଁ ସେଠାରେ ଶିକ୍ଷା ସାସ୍ଥ୍ୟ ପାନୀୟ ଜଳ ଭଳି ସୁବିଧା କଥା ନ କହିବା ଭଲ। ଉକ୍ତ ଗ୍ରାମରେ ବିଦ୍ୟାଳୟ ଅଛି ସତ ହେଲେ ସଠିକ ଭାବରେ ପିଲାଙ୍କ ପାଠପଢ଼ା ହୁଏ ନାହିଁ। ରାସ୍ତା ସମସ୍ୟା ପାଇଁ କେବେ ଶିକ୍ଷକ ଆସନ୍ତି କେବେ ନାହିଁ l ସରକାରୀ ଯୋଜନା ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତାର ଅଭାବ ଯୋଗୁ ଜନପ୍ରତିନିଧି ଓ ସରକାରୀ କର୍ମଚାରୀମାନେ ତା’ର ଭରପୂର ଫାଇଦା ଉଠାଇବା ସହଜ ସାଧ୍ୟ ହୋଇ ଯାଇଛି। ଏଭଳି ପରିସ୍ଥିତିରେ ବ୍ଲକ କର୍ତ୍ତୃପକ୍ଷ ତଥା ଜିଲା ପ୍ରଶାସନ କେବେ ମଧ୍ୟ ଏମାନଙ୍କର ମୌଳିକ ଅଧିକାର ଓ ସୁବିଧା ବିଷୟରେ ଚିନ୍ତା ମଧ୍ୟ କରିନାହାନ୍ତି। ତେଣୁ ବ୍ଲକ ଏବଂ ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ମୌଳିକ ସୁବିଧା ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି।

Share