ଜମାକାରୀଙ୍କୁ ବ୍ୟାଙ୍କରୁ ମିଳୁନି ଟଙ୍କା: ବ୍ୟାଙ୍କ ସମ୍ମୁଖରେ ଧାରଣା ପାଇଁ ଚେତାବନୀ

ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁରୁଣା ବସଷ୍ଟାଣ୍ଡ ମୁଖ୍ୟରାସ୍ତା କଡ଼ରେ ଥିବା ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରେ ବହୁ ସଂଖ୍ୟକ ଜମାକାରୀଙ୍କ ଟଙ୍କା ମିଳୁ ନ ଥିବା ଅଭିଯୋଗ ହୋଇଛି। ଅନେକ ଜମାକାରୀଙ୍କ ସ୍ଥାୟୀ ଜମା ରାଶି ମେଚ୍ୟୁରିଟି ହୋଇସାରିଥିଲେ ମଧ୍ୟ ସେମାନଙ୍କୁ ବ୍ୟାଙ୍କ କର୍ତ୍ତୃପକ୍ଷ ପ୍ରାପ୍ୟ ଅର୍ଥରାଶି ପ୍ରଦାନ କରୁନାହାନ୍ତି। ଏ ନେଇ ସୋମବାର ଭାଜପା ରାଜ୍ୟ ପରିଷଦ ସଦସ୍ୟ ପରେଶ ଚନ୍ଦ୍ର ରଥଙ୍କ ନେତୃତ୍ୱରେ ବହୁ ସଂଖ୍ୟକ ଜମାକାରୀ ଦିଗପହଣ୍ଡି ଥାନାରେ ପହଞ୍ଚି ଭାରପ୍ରାପ୍ତ ଆଇଆଇସି ତଥା ଡିଏସପି ପ୍ରଶାନ୍ତ କୁମାର ପାତ୍ରଙ୍କୁ ସାକ୍ଷାତ କରି ଦସ୍ତଖତ ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ମଙ୍ଗଳବାର ସୁଦ୍ଧା ଜମା ଟଙ୍କା ନମିଳିଲେ ଜମାକାରୀ ମାନେ ସମ୍ପୃକ୍ତ ବ୍ୟାଙ୍କ ଶାଖା ସମ୍ମୁଖରେ ଧାରଣା ଦେବେ ବୋଲି ସ୍ମାରକପତ୍ରର ଉଲ୍ଲେଖ ରହିଛି। ବ୍ୟାଙ୍କ ବହୁ ସଂଖ୍ୟକ ଜମାକାରୀ ଜମାଖତାରୁ ୭୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଆତ୍ମସାତ କରାଯାଇଥିବା ନେଇ ବହୁ ସଂଖ୍ୟକ ଜମାକାରୀ ଅଭିଯୋଗ କରିଥିଲେ। ବ୍ୟାଙ୍କ ଶାଖା ପରିଚାଳକ ପି. ପ୍ରଦୀପ କୁମାରଙ୍କ ଏତଲା କ୍ରମେ ଦିଗପହଣ୍ଡି ଥାନା ଭାରପ୍ରାପ୍ତ ଆଇଆଇସି ତଥା ଡିଏସପି ପ୍ରଶାନ୍ତ କୁମାର ପାତ୍ର ଗତ ଜୁନ ୨୪ରେ ମାମଲା ନଂ.୨୩୨/୨୫ ଅନୁଯାୟୀ ମକଦ୍ଦମା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ। ପରେ ଏହି ବ୍ୟାଙ୍କ ଠକେଇର ମାଷ୍ଟର ମାଇଣ୍ଡ ବ୍ୟାଙ୍କ କିରାଣି ଦିଗପହଣ୍ଡି କୋର୍ଟ କଲୋନୀର ମୂଳ ବାସିନ୍ଦା ତଥା ଗୋପାଳପୁର ଥାନା ଆମ୍ବପୁଆ ବସନ୍ତ ବିହାର ୪ ର୍ଥ ଲେନ୍‌ର ଏସ. ପ୍ରୀୟମ ପ୍ରଥମ ସାବତଙ୍କ ଗିରଫକରି କୋର୍ଟ ଚାଲାଣ କରିଥିଲେ। ଅଭିଯୁକ୍ତ ପ୍ରଥମ ଗତ ୨୦୨୪ରେ ଏହି ବ୍ୟାଙ୍କ ଶାଖାରେ କନିଷ୍ଠ କିରାଣି ଭାବେଯୋଗ ଦେଇଥିଲେ। ପରେ ତାଙ୍କୁ ବ୍ୟାଙ୍କ ରେକର୍ଡ଼ , ନୂଆ ଜମାଖାତା ଖୋଲିବା ଏବଂ ବିଭିନ୍ନ ଜମାକାରୀଙ୍କ ଜମା ଖାତାକୁ ଟଙ୍କା ନେଣଦେଣ କାର୍ଯ୍ୟରେ ନିୟୋଜିତ କରାଯାଇଥିଲା। ଶାଖା ପରିଚାଳକଙ୍କ ଅନୁପସ୍ଥିତ

ନିଜକୁ ସହକାରୀ ଶାଖା ପରିଚାଳକ ବୋଲି ଜମାକାରୀଙ୍କ ମନରେ ବିଶ୍ୱାସ ଜନ୍ମାଇ ସେମାନଙ୍କ ଜମାଖାତାରୁ ଟଙ୍କା ଉଠାଣ କରି ବିଭିନ୍ନ ସନ୍ଦେହଜନକ ବ୍ୟାଙ୍କ ଆକାଉଣ୍ଟକୁ ଅନଲାଇନ ଟ୍ରାଞ୍ଜାଶନ କରି ସେ କିଛିଦିନ ମଧ୍ୟରେ ୭୦ ଲକ୍ଷରୁ ଊଦ୍ଧର୍‌ବ ଟଙ୍କା ଠକେଇ ଘଟଣାରେ ସମ୍ପୃକ୍ତ ଥିବା ପୋଲିସ ତଦନ୍ତରୁ ଜଣାପଡ଼ିଛି। ଏ ନେଇ ବ୍ୟାଙ୍କ ଶାଖା ପରିଚାଳକଙ୍କୁ ଯୋଗାଯୋଗ କରିବାରୁ ଘଟଣା ସମ୍ପର୍କରେ ବ୍ୟାଙ୍କ ମୁଖ୍ୟାଳୟ ଏବଂ ଆଞ୍ଚଳିକ କାର୍ଯ୍ୟାଳୟକୁ ଜଣାଇଦିଆଯାଇଛି। ସେଠାରୁ ନିର୍ଦ୍ଦେଶନାମା ଆସିଲେ ହିଁ ସମସ୍ତ ଜମାକାରୀ ଙ୍କ ଅର୍ଥରାଶି ଫେରସ୍ତ କରାଯିବ ବୋଲି କହିଛନ୍ତି।