ଦେବଗଡ, ୧୫ା୧୨ (ଶଶାଙ୍କ ଶେଖର ଝାଙ୍କର):ପୁରୁଣା ଜିଲା ମୁଖ୍ୟ ଚିକିତ୍ସାଳୟ କୋଠାରେ ୨୪ ଘଣ୍ଟିଆ ସ୍ବାସ୍ଥ୍ୟ ସେବା ଦାବିରେ ଜିଲା ଯୁବ ଏକତା ମଞ୍ଚ ପକ୍ଷରୁ ଦୀର୍ଘ ମାସ ଧରି ଜାରି ରହିଥିବା ଆନ୍ଦୋଳନକୁ ଅଧିକ ପ୍ରଭାବି କରିବା ଉଦେଶ୍ୟରେ ଯୁବ ଏକତା ମଞ୍ଚ ସପକ୍ଷରେ ଜିଲା ମହିଳା ଏକତା ମଞ୍ଚ ଯୁଦ୍ଧଂଦେହି ଡାକରା ଦେଇ ଆଗକୁ ଆସିଛି l ଜିଲା ମୁଖ୍ୟ ଚିକିତ୍ସାଳୟ ପୁରୁଣା କୋଠାରେ ମଞ୍ଚର ଡାକରାରେ ଶତାଧିକ ମହିଳାଙ୍କ ସମେତ ଯୁବ ଏକତା ମଞ୍ଚର ଶତାଧିକ ସଦସ୍ୟ ଏକତ୍ରିତ ହୋଇ ଯୁବ ଏକତା ମଞ୍ଚର ଦାବିକୁ ପୂରଣ କରିବାରେ ସରକାର ଜାଣିଶୁଣି ଅଣଦେଖା କରୁଥିବା ଅଭିଯୋଗ କରିଥିଲେ । ଏଥିସହ ଦେବଗଡ଼ବାସୀଙ୍କ ସ୍ବାସ୍ଥ୍ୟ ସେବା ଭଳି ମୌଳିକ ଅଧିକାର ପାଇଁ ମଞ୍ଚ ଆନ୍ଦୋଳନ ଜାରି ରଖିଥିବା ବେଳେ ସମ୍ବଲପୁର ଲୋକସଭା ଏମ୍ପି ତଥା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚାହିଁଲେ କ୍ଷଣିକେ ଜିଲାବାସୀଙ୍କ ଦାବି ପୂରଣ ହେବାସହ ସେମାନେ ମୌଳିକ ଅଧିକାର ପାଇପାରିବେ ବୋଲି ଅନେକ ମହିଳା ମତବ୍ୟକ୍ତ କରିଥିଲେ ।
ତେବେ ଯୁବ ଏକତା ମଞ୍ଚ ପକ୍ଷରୁ ୧୫ ଡିସେମ୍ବର ସୁଦ୍ଧା ଜିଲା ମୁଖ୍ୟ ଚିକିତ୍ସାଳୟ ପୁରୁଣା କୋଠାରେ ୨୪ ଘଣ୍ଟିଆ ସ୍ବାସ୍ଥ୍ୟ ସେବା ଯୋଗାଇବାକୁ ଜିଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ମହଲତ ଦେଇଥିବାବେଳେ ଉକ୍ତ ମହଲତ ପୁରା ହୋଇଥିଲେ ମଧ୍ୟ ଦାବି କାର୍ଯ୍ୟକାରୀ ନ ହେବା ଯୋଗୁ ମଞ୍ଚ ପକ୍ଷରୁ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ଆସନ୍ତା ୧୭ ତାରିଖ ଦେବଗଡ଼ ବନ୍ଦ ଡାକରାକୁ ପ୍ରଥମଥର ପାଇଁ ମହିଳା ଏକତା ମଞ୍ଚ ନିଜ ହାତକୁ ନେଇ ଆନ୍ଦୋଳନକୁ ଓହ୍ଲାଇଥିବା ଜଣାପଡିଛି l ଅନ୍ୟପକ୍ଷରେ ଯୁବ ଏକତା ମଞ୍ଚ ଡାକରାରେ ଆୟୋଜିତ ଜନସଭାରେ ଜିଲାର ବହୁ ଆଇନଜୀବୀ, ରାଜନୈତିକ ଦଳର ସଦସ୍ୟ, ଶିକ୍ଷାବିତ, ବୁଦ୍ଧିଜୀବୀ,ବିଭିନ୍ନ ଅନୁଷ୍ଠାନର କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ନିଜ ନିଜ ମତ ପ୍ରକାଶ କରିଥିଲେ l