Aedes albopictus Mosquito. Super macro close up a Mosquito sucking human blood,
ଭୁବନେଶ୍ୱର,୨୬।୭ (ବ୍ୟୁରୋ)କରୋନା କବଳରୁ ମୁକୁଳି ପାରି ନ ଥିବା ରାଜଧାନୀବାସୀଙ୍କୁ ଏବେ ଡେଙ୍ଗୁ ଡର ଘାରିଛି। ସହରରେ ସଂକ୍ରମଣ ବ୍ୟାପୁଥିବାବେଳେ ଘରେ ଘରେ ଡେଙ୍ଗୁ ଜ୍ୱର ଚିନ୍ତା ବଢ଼ାଇଛି। ପରିବାରର ଜଣେ ସଂକ୍ରମିତ ହେବା ପରେ ପଛକୁ ପଛ ଅନ୍ୟମାନେ ଜ୍ୱରରେ ପଡୁଛନ୍ତି। ବିଶେଷକରି ଶୈଳଶ୍ରୀ ବିହାର, ନୀଳାଦ୍ରିବିହାର, କଳ୍ପନା, ଚିନ୍ତାମଣିଶ୍ୱର, ୟୁନିଟ-୨ ଅଞ୍ଚଳ ଏବେ ଡେଙ୍ଗୁର ହଟ୍ସ୍ପଟ ପାଲଟିଥିବାବେଳେ ଅନ୍ୟସବୁ ଅଞ୍ଚଳରେ ମଧ୍ୟ ରୋଗୀଙ୍କ ସଂଖ୍ୟା ବଢ଼ି ଚାଲିଛି। ୨୩ ତାରିଖ ଶୁକ୍ରବାର ସୁଦ୍ଧା ସହରର ଡେଙ୍ଗୁ ରୋଗୀ ସଂଖ୍ୟା ୨୯୧ ଥିଲା। ରବିବାର ଏହି ସଂଖ୍ୟା ୩୫୯ରେ ପହଞ୍ଚତ୍ଥିବା ବିଏମ୍ସି ପକ୍ଷରୁ ସୂଚନା ଦିଆଯାଇଥିଲେ ମଧ୍ୟ ବାସ୍ତବ ସଂଖ୍ୟା ଏହାଠାରୁ ଢେର୍ ଅଧିକ। ଏବେ ବି ବହୁ ଡେଙ୍ଗୁ ରୋଗୀ ଘରେ ଓ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବାରୁ ଏହାର ହିସାବ ବିଏମ୍ସି ପାଖରେ ନାହିଁ। ତେବେ ସହରରେ ଏପରିସ୍ଥିତି ନେଇ ଲୋକେ ବିଏମ୍ସିକୁ ଦାୟୀ କରି ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଆକ୍ରାନ୍ତ ଚିହ୍ନଟ ହେବା ପରେ ବିଏମ୍ସି ପକ୍ଷରୁ ସମ୍ପୃକ୍ତ ଅଞ୍ଚଳରେ ମଶା ତେଲ ସିଞ୍ଚନ, ଗଛ କାଟିବା, ପରିବେଶ ସଫାସୁତୁରା ରଖିବା ଆଦି କାର୍ଯ୍ୟ କରାଯାଉଛି। ସ୍ଥିତି ତଦାରଖ ସହ ସଚେତନତା ଓ ନିରାକରଣ ପାଇଁ ସ୍ବତନ୍ତ୍ର ଟିମ୍ ନିୟୋଜିତ ହୋଇଛନ୍ତି। ରବିବାର ୧୦୯୩ ମଶା ଉତ୍ପତ୍ତିସ୍ଥଳ ନଷ୍ଟ କରାଯାଇଥିବାବେଳେ ୪୬୪ ଜାଗାରୁ ଲାର୍ଭା ମିଳିଛି। ୪ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ପାଖରେ ପହଞ୍ଚତ୍ ସେମାନଙ୍କୁ ସଚେତନ କରିବା ସହ ବୁକ୍ଲେଟ୍ ବଣ୍ଟନ କରାଯାଇଛି। ଆଗକୁ ମଧ୍ୟ ଏପରି କାର୍ଯ୍ୟ ଜାରି ରହିବ ବୋଲି ବିଏମ୍ସି କହିଛି। ମାତ୍ର ଡେଙ୍ଗୁ ବ୍ୟାପିବା ପୂର୍ବରୁ ଏହାକୁ ଗୁରୁତ୍ୱ ଦିଆଯାଉ ନ ଥିବାରୁ ସ୍ଥିତି ବିଗିଡି ଯାଉଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ ଆଣୁଛନ୍ତି।