ବିହାରି ଭାଟି ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଦାବି

ନନ୍ଦପୁର, ୮।୩ (ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ହିକିମପୁଟ ପଞ୍ଚାୟତ ସଦର ମହକୁମାରେ ଥିବା ବିହାରୀ ମଦ ଭାଟିକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ଏ ନେଇ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ପୋର୍ଟାଲରେ ଅଭିଯୋଗ ପତ୍ର ଦାଖଲ କରି ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି। ପୋର୍ଟାଲ ତଥ୍ୟ ଅନୁସାରେ ଅଭିଯୋଗ ଟିକେଟ ଆଇଡି ସିଏମ୍‌ଓ ୨୦୨୬୧୪୯୨୩୪୬ ପ୍ରକାରେ ପଞ୍ଜୀକୃତ କରାଯାଇ ଜିଲା ଏସ୍‌ପି ଓ ନନ୍ଦପୁର ଏସ୍‌ଡିପିଓଙ୍କୁ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ମିଳିଛି।
ନନ୍ଦପୁର ବ୍ଲକ ଅଞ୍ଚଳରେ ସରକାରଙ୍କ ପକ୍ଷରୁ ପାଡୁଆ(କୁଲାବିର)ରେ ମହୁଲି ମଦ ପ୍ରସ୍ତୁତକାରୀ ସରକାରୀ ଭାଟି ରହିଛି। ପାଉଚ ମଦ ପ୍ରସ୍ତୁତ ପରେ ପାଡୁଆ ଥାନା ଅଧୀନ ଚାଟୁଆ, ନନ୍ଦପୁର ଥାନାର ହିକିମପୁଟ ଓ ମାଛକୁଣ୍ଡ ଥାନାର ମୁଚିଙ୍ଗପୁଟରେ ସରକାରୀ କାଉଣ୍ଟର ଖୋଲାଯାଇ ବିକ୍ରି କରିବାକୁ ସରକାରୀ ବ୍ୟବସ୍ଥା ରହିଛି। ହିକିମପୁଟ ବିହାରୀ ମଦ କାଉଣ୍ଟର ପାର୍ଶ୍ୱରେ ଆବାସିକ ସେବାଶ୍ରମ ବିଦ୍ୟାଳୟ ରହିଛି। ଏଥିଯୋଗୁ ବିଦ୍ୟାଳୟର ଶୈଖିକ ବାତାବରଣ ନଷ୍ଟ ହେଉଥିବା କୁହାଯାଇଛି। ଉକ୍ତ ସରକାରୀ ଭାଟି ଓ କାଉଣ୍ଟରରେ ନିଯୁକ୍ତ କର୍ମଚାରୀ ବାଇକ ଯୋଗେ ଗାଁ ଗାଁ ବୁଲି ପାଉଚ ମଦ ଖୁଚୁରା ବେପାରୀଙ୍କୁ ଯୋଗାଇ ଦେଉଛନ୍ତି। କମଦରରେ ଗାଁ ଗହଳିରେ ପାଉଚ ମଦ ଉପଲବ୍ଧ ହେଉଥିବାରୁ ମହିଳା ପୁରୁଷ, ଯୁବଗୋଷ୍ଠୀ ସେଗୁଡିକ ପାନ କରି ରୋଗାକ୍ରାନ୍ତ ହେଉଥିବା ଦେଖିବାକୁ ମିଳୁଛି। ପ୍ରତି ଗ୍ରାମରେ ଲିଭର ଓ କିଡନୀ ଜନିତ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି। ସ୍ବାସ୍ଥ୍ୟ ବିଭାଗ ‘ଆଭା’ ଆଇଡି ମାଧ୍ୟମରେ ରୋଗୀଙ୍କ ତଥ୍ୟ ସଂଗ୍ରହ କରାଯାଉଛି। ଖୋଲାରେ ବିହାରୀ ମଦ ପାଉଚ ବିକ୍ରି ହେଉଥିବା ବେଳେ ପୋଲିସ ବିଭାଗ ଓ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଉନାହିଁ କାହିଁକି ବୋଲି ପ୍ରଶ୍ନ କରାଯାଇଛି। ହିକିମପୁଟ ଗ୍ରାମବାସୀ ତୁରନ୍ତ ଭାଟି ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଅନୁରୋଧ କରିଛନ୍ତି।
Dharitri – Odisha’s No.1 Odia Daily

Share