ଭୁବନେଶ୍ୱର,୧୨।୫: ଦୀଘା ମନ୍ଦିରରୁ ଶ୍ରୀଜଗନ୍ନାଥ ଧାମ ବୋର୍ଡ ହଟାଇବାକୁ ସୋମବାର ପୁଣି ଦାବି ହୋଇଛି। ସୋସିଆଲ ମିଡିଆ ଏକ୍ସରେ ପୁଣି ଏକ ପୋଷ୍ଟ କରି ଦାବି ଉଠାଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ତଥା ଶ୍ରୀମନ୍ଦିର ପରିଚାଳନା କମିଟିର ପୂର୍ବତନ ସଦସ୍ୟ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟାନାୟକ।
ଅନ୍ୟପକ୍ଷେ ପଶ୍ଚିମବଙ୍ଗର ଦିଘାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ବିବାଦକୁ କେନ୍ଦ୍ର କରି ଶ୍ରୀମନ୍ଦିର ପ୍ରଶାସନ ବରିଷ୍ଠ ଦଇତାପତି ସେବାୟତ ତଥା ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ରଙ୍କୁ ରବିବାର ନିଲମ୍ବନ କରାଯାଇଛି। ଏହି ଘଟଣା ଓଡ଼ିଶା ତଥା ପଶ୍ଚିମବଙ୍ଗରେ ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଛି।
ସୂଚନା ଅନୁଯାୟୀ, ରାମକୃଷ୍ଣ ଦାସମହାପାତ୍ର ପୁରୀରୁ ବଳକା ଦାରୁ (ପବିତ୍ର କାଠ) ନେଇ ଦିଘାରେ ଜଗନ୍ନାଥ ମନ୍ଦିରରେ ଶ୍ରୀଜଗନ୍ନାଥଙ୍କ ପ୍ରତିମା ପ୍ରତିଷ୍ଠା କରିଥିବା ଅଭିଯୋଗ ହୋଇଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ଓଡ଼ିଶା ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଥିଲେ ଏବଂ ଶ୍ରୀମନ୍ଦିର ପ୍ରଶାସନକୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ନିର୍ଦ୍ଦେଶ ଅନୁଯାୟୀ, ରାମକୃଷ୍ଣଙ୍କୁ ଏହି ବିବାଦ ସମ୍ପର୍କରେ ଜବାବ ଦେବା ନୋଟିସ ଜାରି କରାଯାଇଥିଲା। ପ୍ରଥମେ ୭ ଦିନ ଏବଂ ପରେ ୨ ଦିନର ସମୟ ଦିଆଯାଇଥିଲା। ତେବେ, ସେ ସନ୍ତୋଷଜନକ ଉତ୍ତର ଦେଇ ନ ପାରିବାରୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।