ଦେବଗଡ଼,୧୭ା୫(ଶଶାଙ୍କ ଶେଖର ଝାଙ୍କର): ସରକାରଙ୍କ ଅବହେଳା ଯୋଗୁ ଦେବଗଡ଼ ଜିଲାର ଅନେକ ଯୋଗ୍ୟ ହିତାଧକାରୀ ଭତ୍ତା ଟଙ୍କା ପାଇବାରୁ ବଞ୍ଚିତ ରହିଛନ୍ତି। ସରକାରଙ୍କ ଏହି ଯୋଜନାରୁ ବଞ୍ଚିତ ଥିବା ହିତାଧିକାରୀଙ୍କୁ ତୁରନ୍ତ ଭତ୍ତା ଟଙ୍କା ପ୍ରଦାନ ପାଇଁ ଦେବଗଡ଼ ଜିଲା କଂଗ୍ରେସ ପକ୍ଷରୁ ଦାବି କରାଯାଇଛି। ଶୁକ୍ରବାର ଦେବଗଡ଼ ଜିଲା କଂଗ୍ରେସ ସଭାପତି ସେମ ହେମ୍ବ୍ରମଙ୍କ ନେତୃତ୍ୱରେ କଂଗ୍ରେସର ଏକ ପ୍ରତିନିଧି ଦଳ ଜିଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇ ସାମାଜିକ ସୁରକ୍ଷା ଅଧିକାରୀ ସର୍ବେଶ୍ୱର ପାଣିଗ୍ରାହୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ବାର୍ଦ୍ଧକ୍ୟ ଭତ୍ତା ପାଇଁ ଜିଲାର ୨୭୬୩ ଜଣ ଯୋଗ୍ୟ ହିତାଧିକାରୀ ଆବେଦନ କରିଥିବା ବେଳେ ସେମାନଙ୍କୁ ଭତ୍ତା ମିଳି ପାରୁନାହିଁ। ସେହିପରି ୩୯୫ ଜଣ ହିତାଧିକାରୀଙ୍କ ବୟସ ୮୦ ବର୍ଷରୁ ଊର୍ଦ୍ଧ୍ୱ ହୋଇ ସାରିଥିଲେ ମଧ୍ୟ ବର୍ଦ୍ଧିତ ଭତ୍ତା ଟଙ୍କା ଦିଆଯାଉ ନ ଥିବା ଜିଲା କଂଗ୍ରେସ ପକ୍ଷରୁ ଉକ୍ତ ଦାବିପତ୍ର ଜରିଆରେ ଅଭିଯୋଗ କରାଯାଇଛି। ସେହିପରି ଅବିଳମ୍ବେ ଦାବି ପୂରଣ ନ ହେଲେ କଂଗ୍ରେସ ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି ଉକ୍ତ ଦାବିପତ୍ର ଜରିଆରେ ଚେତାବନୀ ଦିଆଯାଇଛି।