ବାରିପଦା,୨୦।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): କୁଡୁମୀ ଜାତିକୁ ପୁନଃ ଆଦିବାସୀ ମାନ୍ୟତା ଦାବିରେ ଆଦିବାସୀ କୁଡୁମୀ ସମାଜ ଓ କୁଡୁମୀ ଏକତା ମଞ୍ଚ ପକ୍ଷରୁ ଶନିବାର ମୟୂରଭଞ୍ଜ ଜିଲା ବାରିପଦା ଭଞ୍ଜପୁର ରେଳ ଷ୍ଟେଶନରେ ରେଳରୋକୋ ଆନ୍ଦୋଳନ କରାଯାଇଛି।
ଦୀର୍ଘବର୍ଷ ଧରି କୁଡୁମୀ ଜାତିକୁ ଅନୁସୂଚିତ ଜନଜାତିରେ ପୁନଃ ଅନ୍ତର୍ଭୁକ୍ତ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିକଟରେ ଦାବି କରାଯାଇଆସୁଛି। ହେଲେ ସରକାର ଅଣଦେଖା କରିଆସୁଥିବାରୁ କୁଡୁମୀମାନେ ସାମାଜିକ, ଆର୍ଥିକ, ଶୈକ୍ଷିକ ଓ ରାଜନୈତିକ କ୍ଷେତ୍ରରେ ଅବହେଳିତ ହୋଇଛନ୍ତି। ଏଣୁ କେନ୍ଦ୍ରୀୟ କମିଟିର ଡାକରାରେ ଓଡ଼ିଶାର ଭଞ୍ଜପୁର ରେଳ ଷ୍ଟେଶନ, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର ରେଳ ଷ୍ଟେଶନଗୁଡ଼ିକରେ ରେଳରୋକୋ କରାଯାଇଛି। ଭଞ୍ଜପୁର ଷ୍ଟେଶନରେ ରେଳରୋକୋ ଦ୍ୱାରା ବାଙ୍ଗିରିପୋଷି-ପୁରୀ ସୁପରଫାଷ୍ଟ ଏକ୍ସପ୍ରେସ ପ୍ରାତଃ ୫ଟାରୁ ସକାଳ ସାଢ଼େ ୬ଟା ଯାଏ ଦେଢ଼ଘଣ୍ଟା ଅଟକି ରହିଥିଲା।
ଆଦିବାସୀ କୁଡୁମୀ ସମାଜ ରାଜ୍ୟ ସଭାପତି ମନୋଜ କୁମାର ମହାନ୍ତ, ଜିଲା ସଭାପତି ନିରଞ୍ଜନ ମହାନ୍ତ, ରାଜ୍ୟ ସଂଯୋଜକ ସଞ୍ଜୀବ କୁମାର ମହାନ୍ତ, ଉପଦେଷ୍ଟା କୃପାସିନ୍ଧୁ ମହାନ୍ତ, କୁଡୁମାଲୀ ସାଂସ୍କୃତିକ ପରିଷଦର ସଭାପତି ଡ. ଭକ୍ତହରି ମହାନ୍ତ ଓ ସାଧାରଣ ସମ୍ପାଦକ ଚିତ୍ତରଞ୍ଜନ ମହାନ୍ତ ନେତୃତ୍ୱ ନେଇଥିଲେ। ଆଦିମ କୁଡୁମୀ ମହାସଂଘର ସଭାପତି ପଦ୍ମଲୋଚନ ମହାନ୍ତ, ଆଦିବାସୀ କୁଡୁମୀ ସମାଜର ରାଜ୍ୟ ଉପସଭାପତି ବସନ୍ତ କୁମାର ମହାନ୍ତ, ଓଡ଼ିଶା ଝୁମର ଏକାଡେମୀର ସଭାପତି ଅବନୀ କୁମାର ମହାନ୍ତ, ଟୋଟେମିକ କୁଡୁମୀ ସଂଘର ଓଡ଼ିଶା ସଭାପତି ସତ୍ୟନାରାୟଣ ମହାନ୍ତ, ସମ୍ପାଦକ ଗୋବିନ୍ଦ ମହାନ୍ତ, ସାଧାରଣ ସମ୍ପାଦକ ପ୍ରଦୀପ କୁମାର ମହାନ୍ତ, ଓଡ଼ିଶା କୁଡୁମୀ ସେନାର ରାଜ୍ୟ ସଭାପତି ଦିବ୍ୟ ସିଂ ମହାନ୍ତ, ରାଜ୍ୟ ସମ୍ପାଦକ ଦୁର୍ଗାଚରଣ ମହାନ୍ତ, କୁଡୁମୀ ବିକାଶ ମଞ୍ଚ ସଭାପତି ରଜନୀକାନ୍ତ ମହାନ୍ତ, ସମ୍ପାଦକ ଦିପୁ ମହାନ୍ତ, ଆଦିବାସୀ କୁଡୁମୀ ସମାଜର କେନ୍ଦ୍ରୀୟ ସଂଯୋଜକ ପଦ୍ମଲୋଚନ ମହାନ୍ତ, କୁଡୁମାଲୀ ସାଂସ୍କୃତିକ ପରିଷଦର ମୁଖ୍ୟ ଉପଦେଷ୍ଟା କ୍ଷୀରୋଦ ଚନ୍ଦ୍ର ମହାନ୍ତ ପ୍ରମୁଖ ଏଥିରେ ସାମିଲ ଥିଲେ। ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିବା ସ୍ମାରକପତ୍ର ଜିଲାପାଳଙ୍କ ପକ୍ଷରୁ ବାରିପଦା ତହସିଲଦାର ସପନ କୁମାର ସାହୁ ଗ୍ରହଣ କରିଛନ୍ତି।