ଥାନା ସ୍ଥାପନ ଦାବି ତେଜିଲା

ଦେବଗଡ଼,୧୫।୪(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ବ୍ଲକ ଅନ୍ତର୍ଗତ କଣ୍ଢଳ ଗ୍ରାମରେ ଥାନା କିମ୍ବା ପୋଲିସ ଫାଣ୍ଡି ସ୍ଥାପନ ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ସରକାରଙ୍କ ନିକଟରେ ଦାବି କରାଯାଇଛି । ଅଞ୍ଚଳବାସୀଙ୍କ ପକ୍ଷରୁ ସାମାଜିକ କର୍ମୀ ହିରାଲାଲ ସାହୁ ଜିଲାପାଳଙ୍କ କାର୍ଯ୍ୟାଳୟ ଆୟୋଜିତ ଜିଲା ସଡକ ସୁରକ୍ଷା ସମିତି ବୈଠକରେ ଅତିରିକ୍ତ ଜିଲାପାଳ ରେବେକା ବିଲୁଙ୍ଗ ଓ ଉପ ଜିଲାପାଳ ପରକ୍ଷୀତ ସାହୁଙ୍କ ଉପସ୍ଥିତିରେ ଅତିରିକ୍ତ ଏସ୍‌ପି ଧୀରଜ ଚୋପଦାରଙ୍କୁ ଜିଲା ଆରକ୍ଷୀ ଅଧୀକ୍ଷକଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ।

ଏଥିସହ ଏହାର ନକଲ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲାପାଳ ରେବେକା ବିଲୁଙ୍ଗଙ୍କ ପ୍ରଦାନ କରାଯାଇଥିଲା। ଅଞ୍ଚଳବାସୀଙ୍କ ଦାବି ଅନୁଯାୟୀ ଦେବଗଡ଼ ଥାନା ଅଧୀନରେ ଥିବା କଣ୍ଢଳ ଗ୍ରାମଟି ଜନସଂଖ୍ୟା ଦୃଷ୍ଟିରୁ ଦେବଗଡ ଜିଲାର ଦ୍ୱିତୀୟ ବୃହତମ ଗ୍ରାମ ଅଟେ। ଏହାର ନିକଟସ୍ଥ ଗ୍ରାମଗୁଡିକ ଜନ ବହୁଳ ଅଞ୍ଚଳ ହୋଇଥିବା ବେଳେ ସେଠାରେ ସ୍କୁଲ, କଲେଜ, ବ୍ୟାଙ୍କ ଓ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ସମେତ ବ୍ୟବସାୟିକ ପ୍ରତିଷ୍ଠାନ ମଧ୍ୟ ରହିଛି।

ପୂର୍ବର ରାତ୍ରି ସମୟରେ କଣ୍ଢଳସ୍ଥିତ ଗ୍ରୀଡ ଷ୍ଟେଶନଠାରୁ ଡାଇମଣ୍ଡ ଛକ ମଧ୍ୟରେ ରହିଥିବା ବିଭିନ୍ନ ଦୋକାନ ଏବଂ ବ୍ୟବସାୟିକ ପ୍ରତିଷ୍ଠାନରୁ ଚୋରି ହୋଇଥିବା ବହୁ ନଜିର ରହିଛି। ସେହିପରି ଅନେକ ଥର ଏଟିଏମ୍‌ ଲୁଟ ଭଳି ଉଦ୍ୟମ ମଧ୍ୟ ହୋଇଛି ।

ଡାଇମଣ୍ଡ ଛକ ନିକଟରେ ଏକ ବିଦେଶୀ ମଦ ଦୋକାନ ରହିଥିବାରୁ ରାତ୍ରୀ ସମୟରେ ଅସାମାଜିକ ତତ୍ୱଙ୍କର ଗହଳି ଦେଖିବାକୁ ମିଳିଥାଏ। ସେଠାରେ ଥିବା ସର୍ନିଂହୋମ ଅଞ୍ଚଳ ମଧ୍ୟ ରାତ୍ରୀ ସମୟରେ ସୁରକ୍ଷିତ ନୁହେଁ। ଏଣୁ ଏହି ଅଞ୍ଚଳରେ ଦିନକୁ ଦିନ ଅପରାଧ ବୃଦ୍ଧି ପାଇବାରେ ଲାଗିଥିବାରୁ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ କଣ୍ଢଳ ଗ୍ରାମରେ ଏକ ଥାନା କିମ୍ବା ପୋଲିସ ପାଣ୍ଡି ସ୍ଥାପନ କରିବାକୁ ଦାବି କରାଯାଇଛି।

Share