ହାମଲେଟକୁ ରାଜସ୍ବ ଗ୍ରାମ ମାନ୍ୟତା ଦାବି ତେଜିଲା

କର୍ଲାମୁଣ୍ଡା:୭।୮(ପ୍ରଦୀପ କୁମାର ସାହୁ): ରାଜ୍ୟ ସରକାର ହାମଲେଟ ଗ୍ରାମକୁ ରାଜସ୍ବ ଗ୍ରାମର ମାନ୍ୟତା ଦେବାକୁ ଘୋଷଣା କରିବା ପରେ ଅନେକ ହାମଲେଟ ଏବେ ରାଜସ୍ବ ଗାଁ ହେବା ଅପେକ୍ଷାରେ ରହିଛି। ଏହି କ୍ରମରେ କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ୬ଟି ହାମଲେଟ ରାଜସ୍ବ ଗ୍ରାମ ହେବା ଏକ ପ୍ରକାର ନିଶ୍ଚିତ ହୋଇଥିବା ବେଳେ ସରକାରୀ ଘୋଷଣା ହେବାକୁ ବାକି ରହିଛି।

ସୂଚନା ଅନୁସାରେ, ବ୍ଲକର ରାଜପୁର ପଞ୍ଚାୟତର ବାଞ୍ଜିପଦର ଓ ସାଲେପାଲି, ସାପଲହରା ପଞ୍ଚାୟତର ବାଞ୍ଜିପଦର, ଜୋରାଡ଼ବରା ପଞ୍ଚାୟତର ସିଆଲପଡ଼ା ଓ କର୍ଲାମୁଣ୍ଡା ପଞ୍ଚାୟତର କର୍ଲାମୁଣ୍ଡା(ବସ୍ତି) ଏବଂ ଫଳସପଡାକୁ ରାଜସ୍ବ ଗ୍ରାମ ଘୋଷଣା ପାଇଁ ପ୍ରାଥମିକ ରିପୋର୍ଟ ରାଜସୱ ବିଭାଗ ପକ୍ଷରୁ ଦାଖଲ ହୋଇଥିବା ଜଣାପଡିଛି।

ତେବେ ଅନେକ ହାମଲେଟ ମଧ୍ୟ ରାଜସ୍ବ ଗ୍ରାମ ହେବାକୁ ଆଶା କରୁଥିବା ଜଣାପଡ଼ିଛି। ରେଗଡା ପଞ୍ଚାୟତର ରେଗଡା ରାଜସ୍ବ ଗ୍ରାମର ହାମଲେଟ ଭୋଇପଡା, ତେରେସିଙ୍ଗା ପଞ୍ଚାୟତର ତେରେସିଙ୍ଗା ରାଜସ୍ବ ଗ୍ରାମର ବେଳପଡା ଓ କଲୋନୀ ପଡା, ଜୋରାଡ଼ବରା ପଞ୍ଚାୟତ କୁଶୁର୍ଲା ରାଜସ୍ବ ଗ୍ରାମର ହଜାରିପଡା ଓ କଲୋନୀ ପଡା, ଯୋଗିପଳା ରାଜସ୍ବ ଗ୍ରାମର ଶିଶୋପଡା ଓ କେଶପଡା, ସାପଲହରା ରାଜସ୍ବ ଗ୍ରାମର ଗୁଚ୍ଛାପଡା, ରିଷିଡା ପଞ୍ଚାୟତ ସଲଣ୍ଡିମୁଣ୍ଡା ରାଜସ୍ବ ଗ୍ରାମର ମାତୃପୁରୀ ଓ ବହଳମୁଣ୍ଡା ପ୍ରଭୂତି ହାମଲେଟକୁ ମିଶେଇ ରାଜସ୍ବ ଗ୍ରାମ ପାଇଁ ପ୍ରଶାସନ ପଦକ୍ଷେପ ନେବାକୁ ସ୍ଥାନୀୟ ଜନ ସାଧାରଣ ଦାବି କରିଛନ୍ତି।

ଏନେଇ ତହସିଲଦାର ଅରୁଣ ବର୍ଗେଙ୍କୁ ପଚରାଯିବାରୁ ୬ଟି ନୂତନ ରାଜସ୍ବ ଗ୍ରାମ ହେବା ନେଇ ପ୍ରକ୍ରିୟା ଶେଷ ହୋଇଛି। ବାକି ରହିଥିବା ଅନ୍ୟାନ୍ୟ ହାମଲେଟକୁ ରାଜସ୍ବ ଗ୍ରାମ ହେବା ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ସେ କହିଛନ୍ତି।

Share