ଭଞ୍ଜନଗର,୧୦।୬(ବାବୁଲା ପ୍ରଧାନ)- ଦକ୍ଷିଣ ଓଡ଼ିଶା ରେଳ ଏବଂ ଉନ୍ନୟନ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବ୍ରହ୍ମପୁର ଫୁଲବାଣୀ ରେଳ ଲାଇନ ଦାବି ନେଇ ଗଞ୍ଜାମ ଓ କନ୍ଧମାଳ ଜିଲାର ବିଭିନ୍ନ ସ୍ଥାନରେ ପଥପ୍ରାନ୍ତ ସଭା ଏବଂ ଶୋଭାଯାତ୍ରା କରାଯାଉଛି। ଏନେଇ ଏକ ସଚେତନତା ରଥ ମଧ୍ୟ ବାହାରିଛି। ଆସନ୍ତା ୧୩ ତାରିଖରେ ଉକ୍ତ ରଥ ଭଞ୍ଜନଗରରେ ପହଞ୍ଚିବ। ଏହି ଅବସରରେ ଭଞ୍ଜନଗରର ବିଭିନ୍ନ ସଙ୍ଗଠନ ପକ୍ଷରୁ ରଥକୁ ସ୍ବାଗତ କରାଯିବା ସହ ସହରରେ ଏକ ସଭା ହେବ। ଏହି କାର୍ଯ୍ୟକ୍ରମ କିଭଳି ସଫଳ ହେବ ସେଥିପାଇଁ ଭଞ୍ଜନଗର ବାର ଆସୋସିଏଶନ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ଏକ ସଭା ହୋଇଥିଲା। ଏଥିରେ ସଭାପତି ଲକ୍ଷ୍ମୀକାନ୍ତ ମହାପାତ୍ର ଅଧ୍ୟକ୍ଷତା କରି କାର୍ଯ୍ୟକ୍ରମ କିଭଳି ସଫଳ ହେବ ସେନେଇ କହିଥିଲେ।
ଏହି ଅବସରରେ ସମ୍ପାଦକ ଜ୍ୟୋତିରାଜ ପତି, ବରିଷ୍ଠ ଆଇନଜୀବି ସୋମନାଥ ନାୟକ, ରାଜେନ୍ଦ୍ର ପ୍ରସାଦ ପ୍ରଧାନ, ସନ୍ତୋଷ କୁମାର ନାୟକ, ଧବଳେଶ୍ବର ମାଝୀ, ସୁଶାନ୍ତ ତ୍ରିପାଠୀ, ସନ୍ତୋଷ ପାଳ, ରଜତ ଦାସ, ଗିରିଜା ଶଙ୍କର ଭୂୟାଁ, ଚନ୍ଦ୍ରମଣି ମହାପାତ୍ର ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଭାଗ ନେଇ ନିଜର ମତ ରଖିଥିଲେ। ଏଥିସହ ବୁଧବାର ପୁଣି ଘୁମୁସର ବରିଷ୍ଠ ନାଗରିକ ମଞ୍ଚ ସଭାପତି ସୋମନାଥ ନାୟକଙ୍କ ଆହ୍ବାନକ୍ରମେ ସହରର ବିଭିନ୍ନ ସଙ୍ଗଠନକୁ ଆନ୍ଦୋଳନ ସମ୍ପର୍କରେ ଆଲୋଚନା କରିବା ପାଇଁ ଡକାଯାଇଛି।
ସୂଚନାଯୋଗ୍ୟ, ଦେଶ ସ୍ବାଧୀନତା ହେବାର ୭୮ ବର୍ଷ ବିତିଗଲାଣି ତଥାପି କନ୍ଧମାଳ ଜିଲାବାସୀ ରେଳ ଲାଇନ ଜିଲାରେ ଦେଖିନାହାନ୍ତି। ସେହିଭଳି ବ୍ରିଟିଶ ଶାସନ ପୂର୍ବରୁ ଗଞ୍ଜାମ ଜିଲାରେ ଯେତିକି ରେଳ ଲାଇନ ବିଛା ହୋଇଥିଲା ସେତିକି ହିଁ ବର୍ତ୍ତମାନ ଅଛି। ଇଞ୍ଚେ ମଧ୍ୟ ଆଉ ବଢ଼ିନାହି। ଫଳରେ ଭଞ୍ଜନଗର ଉପଖଣ୍ଡବାସୀଙ୍କ ପାଇଁ ରେଳ ଲାଇନ ସ୍ବପ୍ନ ହୋଇ ରହିଯାଇଛି। ତେଣୁ ଆଗାମୀ ବଜେଟରେ ଉକ୍ତ ପ୍ରକଳ୍ପ ପାଇଁ କିଭଳି ଅର୍ଥ ଅନୁମୋଦନ ହେବ ସେଥିପାଇଁ ଆନ୍ଦୋଳନକୁ ଇତିମଧ୍ୟରେ ଜୋରଦାର କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।