ଅଞ୍ଚଳର ବିକାଶ ପାଇଁ ୩ ବ୍ଲକକୁ NAC ଘୋଷଣା ଦାବି

ଦାରିଙ୍ଗବାଡି, ୯।୯ (ଅରୁଣ ସାହୁ):କନ୍ଧମାଳ ଜିଲାର ପ୍ରମୁଖ ସହର ତଥା ବ୍ଲକ ହେଡକ୍ୱାଟର ଦାରିଙ୍ଗବାଡି ସମେତ ରାଇକିଆ ଓ ଟିକାବାଲିକୁ ରାଜ୍ୟ ସରକାର ବିଜ୍ଞାପିତ ଅଞ୍ଚଳ ପରିଷଦ ଘୋଷଣା କରିବାକୁ ଜି. ଉଦୟଗିରି ବ୍ଲକ ଗଟାମାହା ଗ୍ରାମର ଯୁବକ ରାଜେଶ ବଗର୍ତ୍ତୀ ଓଡ଼ିଶା ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀଙ୍କୁ ଅଭିଯୋଗ ଶୁଣାଣିରେ ଲିଖିତ ଅଭିଯୋଗ ତଥା ଦାବି ଜଣାଇଛନ୍ତି। ସେ ଏହି ୩ଟି ବ୍ଲକକୁ ସରକାର ତୁରନ୍ତ ବିଜ୍ଞାପିତ ଅଞ୍ଚଳ ପରିଷଦର ମାନ୍ୟତା ଦିଅନ୍ତୁ। ଏହା ହେଲେ ଅଞ୍ଚଳର ବିକାଶ ହୋଇପାରିବ ବୋଲି ସେ କହିଛନ୍ତି।

ସେ ତାଙ୍କ ଦାବି ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ଜିଲାର ଦାରିଙ୍ଗବାଡ଼ି, ରାଇକିଆ ଏବଂ ଟିକାବାଲି ଏହି ତିନୋଟି ବ୍ଳକ ଜିଲାର ଅନ୍ୟତମ ପ୍ରମୁଖ ସହର ଭାବେ ପରିଚିତ । ଦୈନନ୍ଦିନ ଭକ୍ତ ୩ ଗୋଟି ସହର ଉପରେ ହଜାର ହଜାର ଜନସାଧାରଣମାନେ ଉଭୟ ସରକାରୀ ଓ ବେସରକାରୀ କାର୍ଯ୍ୟ ପାଇଁ ଆସିଥାନ୍ତି, ଏହା ବ୍ୟତୀତ ଉକ୍ତ ତିନୋଟି ଅଞ୍ଚଳରେ ଥିବା ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଗୁଡିକକୁ ପରିଭ୍ରମଣ ପାଇଁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପ୍ରତିଦିନ ହଜାର ହଜାର ପର୍ଯ୍ୟଟକଙ୍କ ସମାଗମ ହୋଇଥାଏ । ସେହି ଦୃଷ୍ଟିକୋଣରୁ ଦେଖୁବାକୁ ଗଲେ ବିଗତ କିଛି ବର୍ଷ ହେବ ଉକ୍ତ ୩ଟି ସହରରେ ଉଭୟ ଜନସଂଖ୍ୟା ଏବଂ ପରିସୀମା ବୃଦ୍ଧି ପାଇବାରେ ଲାଗିଛି । ସହରୀ ସଭ୍ୟତା ବୃଦ୍ଧି ପାଇଥିଲେ ମଧ୍ୟ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ମାଧ୍ୟମରେ ଆଜି ପର୍ଯ୍ୟନ୍ତ ଆଖିଦୃଶିଆ ସହରଗୁଡ଼ିକର ଆନୁଷଙ୍ଗିକ ଭିରିଭୂମି ବିକାଶ ହୋଇ ପାରିନାହିଁ, ଯାହା ଦ୍ବାରା ଉକ୍ତ ତିନୋଟି ସହରରେ ବସବାସ କରୁଥିବା ସହରବାସୀ ଏବଂ ପରିଭ୍ରମଣରେ ଆସୁଥିବା ପର୍ଯ୍ୟଟକମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି।

ନିକଟରେ ରାଜ୍ୟ ସରକାରଙ୍କ ତରଫରୁ ରାଜ୍ୟରେ ଥିବା ବିଭିନ୍ନ ଛୋଟ ଛୋଟ ସହର ଗୁଡ଼ିକକୁ ନୂତନ ଭାବେ ବିଜ୍ଞାପିତ ଅଞ୍ଚଳ ପରିଷଦର ମାନ୍ୟତା ପ୍ରଦାନ କରାଯାଇଥିବା ବେଳେ ଉକ୍ତ ତାଲିକାକୁ କନ୍ଧମାଳ ଜିଲାର ଏହି ତିନୋଟି ସହରକୁ ବାଦ ଦିଆଯାଇଛି। ବାରମ୍ବାର ଦାବି ଉପସ୍ଥାପନ କରିବା ସତ୍ତ୍ବେ ଜିଲାର ଏହି ୩ ସହର ବିଜ୍ଞାପିତ ଅଞ୍ଚଳ ପରିଷଦର ମାନ୍ୟତା ନ ମିଳିବା ଏହା ଏକ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା କହିଲେ ଅତ୍ୟୁକ୍ତି ହେବ ନାହିଁ । ତେଣୁ ଉକ୍ତ ତିନୋଟି ସହରକୁ ନୂତନ ଭାବେ ବିଜ୍ଞାପିତ ଅଞ୍ଚଳ ପରିଷଦର ମାନ୍ୟତା ପ୍ରଦାନ କରାଗଲେ ସହରୀକରଣ ମାଧ୍ୟମରେ ସହର ଗୁଡ଼ିକର ବିଭିନ୍ନ ଭିରିଭୂମି ବିକାଶ ହୋଇପାରିବ, ଯାହା ଦ୍ବାରା ସହରବାସୀ ସହରୀକରଣ ମାଧ୍ୟମରେ ବିଶେଷ ଆନୁଷଙ୍ଗିକ ସୁବିଧା ପାଇପାରିବେ ବୋଲି ସେ ଦାବିପତ୍ରରେ ଉଲେଖ କରିଛନ୍ତି।