ଦାରିଙ୍ଗବାଡି,୫।୫ (ଅରୁଣ ସାହୁ)- ଯାତ୍ରୀଙ୍କ ମଧ୍ୟରେ ବଢୁଛି ଲକ୍ଷ୍ମୀ ବସ୍ର ଚାହିଦା। ସରକାରୀ ହେଉ କି ବେସରକାରୀ ବସ ଯାତ୍ରୀମାନେ ବିଶେଷ କରି ମହିଳା ଯାତ୍ରୀମାନେ ଲକ୍ଷ୍ମୀ ବସ୍ରେ ଯାତ୍ରା କରିବାକୁ ଗୁରୁତ୍ୱ ଦେଉଛନ୍ତି। ଯାତ୍ରୀଙ୍କ ଚାହିଦା ଯୋଗୁ ସ୍ଥାନୀୟ ବିଡ଼ିଓ ପ୍ରୀତିରଞ୍ଜନ ରଥଙ୍କ ପ୍ରଚେଷ୍ଟା ଓ ଜିଲା ପ୍ରଶାସନର ନିର୍ଦ୍ଦେଶରେ ଏବେ ପଞ୍ଚାୟତ ଠାରୁ ବ୍ଲକ ହେଡକ୍ୱାଟରରେ ଏହି ବସ ଚଳାଚଳ ସିମିତ ନାହିଁ, ଏବେ ପଞ୍ଚାୟତର ଶେଷ ମୁଣ୍ଡରେ ରହିଥିବା ଗ୍ରାମ ପର୍ଯ୍ୟନ୍ତ ବସ ଚଳାଚଳ କରୁଥିବା ଲକ୍ଷ୍ମୀ ବସ୍ର ସୁପରଭାଇଜର ସୁହାନି ସୁବୁଦ୍ଧି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।
ସେହିକ୍ରମରେ ଭ୍ରମରବାଡି ପର୍ଯ୍ୟନ୍ତ ଯାଉଥିବା ବସ କେରୁବାଡି ପର୍ଯ୍ୟନ୍ତ ଯାଉଛି। ସେହିପରି କାଟିଙ୍ଗିଆ ଯାଉଥିବା ବସ ମିଞ୍ଜାପଙ୍କା, ଗୁମିକିଆ ବସ ଅଲିମାହା ଗ୍ରାମ ପର୍ଯ୍ୟନ୍ତ ଯାଉଥିବା ବେଳେ ସରାମୁଳି ପଞ୍ଚାୟତକୁ ଯାଉଥିବା ଲକ୍ଷ୍ମୀ ବସ୍ ଏବେ ମର୍ଦ୍ଦିପାଙ୍କା ପର୍ଯ୍ୟନ୍ତ ଯାତାୟାତ କରୁଛି। ପର୍ତ୍ତମାହା ପଞ୍ଚାୟତକୁ ଯାତାୟାତ କରୁଥିବା ବସ ଯୁଗାବାଡି, କଟାବାଡି, ପେତରବାଡ଼ି ଆଦି ଗାଁକୁ ଯାଉଛି। ସେହିପରି ହାତୀମୁଣ୍ଡା ପଞ୍ଚାୟତକୁ ଯାଉଥିବା ବସ ତାମାଙ୍ଗି ପର୍ଯ୍ୟନ୍ତ ଖୁବ ଶୀଘ୍ର ଯାତାୟାତ କରିବ ବୋଲି କୁହାଯାଇଛି। କେବଳ ଉକ୍ତ ବ୍ଲକର ୨୫ ପଞ୍ଚାୟତ ମଧ୍ୟରୁ ବାଡାବାଙ୍ଗା ପଞ୍ଚାୟତକୁ ଲକ୍ଷ୍ମୀ ବସ୍ର ଶୁଭାରମ୍ଭ ଠାରୁ ଆଜିପର୍ଯ୍ୟନ୍ତ ଯାଉ ନ ଥିବା ଓ ବାଡାବାଙ୍ଗା ପଞ୍ଚାୟତବାସୀ ଏହି ବସ ସେବାରୁ ବଞ୍ଚିତ ହୋଇଥିବା ଜଣାପଡିଛି। ଉକ୍ତ ବ୍ଲକରେ ମୋଟ ୭ ଟି ଲକ୍ଷ୍ମୀ ବସ୍ ୨୪ଟି ପଞ୍ଚାୟତକୁ ଛୁଇଁକି ଯାତାୟାତ କରୁଥିବା କୁହାଯାଇଛି।