ରାଜ୍ୟ ବାହାରେ କନ୍ଧମାଳ ହଳଦୀ-ମସଲାର ବଢୁଛି ଚାହିଦା: ଲକ୍ଷପତି ଦିଦିଙ୍କଠାରୁ ଜିନିଷ କିଣି ଉତ୍ସାହିତ କଲେ କେନ୍ଦ୍ରମନ୍ତ୍ରୀ

ଦାରିଙ୍ଗବାଡି, ୨୫।୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡିର ଲକ୍ଷପତି ଦିଦି ଝରଣା ସାହୁଙ୍କଠାରୁ ମଙ୍ଗଳବାର କେନ୍ଦ୍ର ମନ୍ତ୍ରୀ ବିଶ୍ୱବିଖ୍ୟାତ କନ୍ଧମାଳ ହଳଦୀ ଗୁଣ୍ଡ ଓ କିଛି ମସଲା କିଣିଛନ୍ତି । ପ୍ରକାଶ ଯେ ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଉତ୍ତରପ୍ରଦେଶ ର ନୋଇଡା ଠାରେ ସରସ ଆଜୀବିକା ମେଳା ଅନୁଷ୍ଠିତ ହୋଇଯାଇଛି ଏହାକୁ କେନ୍ଦ୍ର ସରକାରଙ୍କ ଗ୍ରାମୀଣ ବିକାଶ ମନ୍ତ୍ରୀ କମଳେଶ ପାଶୱାନ ଏବଂ ଗ୍ରାମୀଣ ବିକାଶ ଓ ଯୋଗାଯୋଗ ମନ୍ତ୍ରୀ ଚନ୍ଦ୍ରଶେଖର ପେମାସାନି ଅତିଥି ଭାବେ ଯୋଗଦେଇ ଏହାର ଉଦଘାଟନ କରିଥିଲେ। ଏହା ଆସନ୍ତା ମାର୍ଚ୍ଚ ୧୦ରେ ମେଳା ଉଦଯାପନୀ ହେବ। ଏହି ମେଳା ଉଦଘାଟନୀ ଉତ୍ସବରେ ନୋଇଡାର ଗ୍ରାମୀଣ ବିକାଶ ବିଭାଗର ଯୁଗ୍ମ ସଚିବ ସାତି ଶର୍ମା ଏବଂ ଜିଲାପାଳ ମନୀଷ କୁମାର ବର୍ମାଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।
ଏହି ଅବସରରେ କନ୍ଧମାଳ ଷ୍ଟଲରୁ ମନ୍ତ୍ରୀମାନେ ହଳଦୀ ସହ ମସଲା ସାମଗ୍ରୀ କ୍ରୟ କରି ଲକ୍ଷପତି ଦିଦି ଝରଣା ସାହୁଙ୍କୁ ଉତ୍ସାହିତ କରିଥିଲେ। ପ୍ରକାଶ ଯେ କନ୍ଧମାଳ ଜିଲା ସମେତ ଯାଜପୁର ଜିଲାର ଶାଢି, କେନ୍ଦ୍ରାପଡାର କାଇଁଚରୁ ପ୍ରସ୍ତୁତୀ ସାମଗ୍ରୀ,ଗଞ୍ଜାମରୁ ଟେଡି ଓ କାଠରେ ପ୍ରସ୍ତୁତ ସାମଗ୍ରୀ, ପୁରୀ ଜିଲାର ପଟ୍ଟଚିତ୍ର, ବାଲେଶ୍ୱର ସାରୀ ଘାସରୁ ପ୍ରସ୍ତୁତୀ ସାମଗ୍ରୀ ସୋନପୁର ଶାଢି ଷ୍ଟଲ ସେଠାରେ ପହଞ୍ଚିଛି। ସେଠାରେ ବିଭିନ୍ନ ରାଜ୍ୟରୁ ୩ ଶହରୁ ଉର୍ଦ୍ଧ୍ୱ ଷ୍ଟଲ ରହିଥିବାବେଳେ କେବଳ ଓଡିଶାରୁ ୭ଟି ଷ୍ଟଲ ରହିଥିବା ଜଣାପଡିଛି। କନ୍ଧମାଳ ହଳଦୀ ସମେତ ତେନ୍ତୁଳି, ଡାଲମା ମସଲା, ଗରମ ମସଲା, ସୋରିଷ, ତେଜପତ୍ର, ଡାଲିଜାତୀୟ ସାମଗ୍ରୀ, ମାଣ୍ଡିଆ, ଆଦିର ଚାହିଦା ଅଧିକା ରହିଛି।

ସୂଚନାଯୋଗ୍ୟ, ଗତ ୨୦୨୪ ମସିହାରେ ଝରଣା ସାହୁ ଉକ୍ତ ହାଟରେ ଲକ୍ଷାଧିକ ଟଙ୍କାର ହଳଦୀ ସମେତ ମସଲା, ଜଙ୍ଗକଜାତୀୟ ସାମଗ୍ରୀ ବିକ୍ରି କରି ପୁରସ୍କୃତ ହୋଇଥିବା ବେଳେ ଲକ୍ଷପତି ଦିଦିର ଉପାଧି ହାସଲ କରିଥିଲେ ଚଳିତ ବର୍ଷ ମଧ୍ୟ ଏହି ମେଳାରେ ଭଲ ବିକ୍ରୀ ହେବ ବୋଲି ଝରଣା ଆଶା ରଖିଛନ୍ତି। ନୋଏଡାବାସୀଙ୍କ ପାଇଁ ଆବଶ୍ୟକ ଚାହିଦା ରହିଥିବା କନ୍ଧମାଳ ହଳଦୀ ସମେତ ବିଭିନ୍ନ ପ୍ରକାରର ମସଲା, ବଢି, ପାମ୍ପ ଆଚାର ଆଦି ସେ ପ୍ରସ୍ତୁତ କରି ବିକ୍ରିପାଇଁ ନୋଏଡା ନେଇ ଯାଇଥିବା କହିଛନ୍ତି।