ସ୍ବାସ୍ଥ୍ୟସେବା ସମସ୍ୟାର ତୁରନ୍ତ ସମାଧାନ ନିମନ୍ତେ ଦାବି: ଆନ୍ଦୋଳନ ଚେତାବନୀ

ଦେବଗଡ,୩୦।୭(ଶଶାଙ୍କ ଶେଖର ଝାଙ୍କର): ପୂର୍ବତନ ଜିଲା ମୂଖ୍ୟ ଚିକିତ୍ସାଳୟକୁ ସହର ମଧ୍ୟସ୍ଥଳୀରୁ ପ୍ରାୟ ୫ କି.ମି. ଦୂରତ୍ୱରେ ଥିବା ନୁଆଁ ବାଲିରୋଇ ସ୍ଥିତ ନୂତନ ସୁପର ସ୍ପେପିଆଲିଟୀଜିଲା ମୂଖ୍ୟ ଚିକିତ୍ସାଳୟ କୋଠାକୁ ସ୍ଥାନାନ୍ତରିତ କରାଯିବା ସହ ଗତ ୧୧ ତାରିଖ ଠାରୁ ସେଠାରେ ଆନୁଷ୍ଠାନିକ ଭାବେ ଚିକିତ୍ସା ସେବା ଆରମ୍ଭ ହୋଇଛି । ତେବେ ପୁରୁଣା ଜିଲା ମୂଖ୍ୟ ଚିକିତ୍ସାଳୟ କୋଠାରେ ଆବଶ୍ୟକ ଅନୁଯାୟୀ ସେବା ଯୋଗାଣ ହେବା ପରିବର୍ତ୍ତେ କେବଳ ଅର୍ବାନ ହେଲ୍ଥ ସେଂଟର ଚାଲୁ କରାଯାଇ ନାମକୁ ମାତ୍ର ସ୍ବାସ୍ଥ୍ୟ ସେବା ଉପଲବ୍ଧ ହେଉଛି । ଫଳରେ ଦେବଗଡ ପୌରାଂଚଳବାସୀଙ୍କ ସମେତ ଗ୍ରାମାଂଚଳରୁ ଆସୁଥିବା ରୋଗୀ ଏବଂ ଆଟେଂଡେଂଟ ମାନେ ଅକଥନୀୟ ସମସ୍ୟାର ସମ୍ମୁଖୀନ ହେବା ସହ ପୁରୁଣା କୋଠାରେ ଉପଖଣ୍ଡ ସ୍ତରୀୟ ୨୪ ଘଂଟିଆ ଚିକିତ୍ସା ସେବା ଯୋଗାଇଦେବାକୁ ଜିଲାର ବିଭିନ୍ନ ମହଲରେ ଦାବି ହେଉଛି ।
ଏହି ପରିପ୍ରେକ୍ଷୀରେ ନୂତନ ଭାବେ ଗଠିତ ଦେବଗଡ ଜିଲା ଯୁବ ଏକତା ମଂଚ ପକ୍ଷରୁ ସୱସ୍ଥ୍ୟ ସମସ୍ୟା ସମ୍ବନ୍ଧିତ ୪ ଦଫା ଦାବି ସମ୍ବଳିତ ଏକ ଦାବୀ ପତ୍ର ଜିଲାପାଳଙ୍କୁ ପ୍ରଦାନ କରାଯାଇଛି। ଏଥିସହ ଏହାର ନକଲ ମାନ୍ୟବର ମୂଖ୍ୟମନ୍ତ୍ରୀ, ସମ୍ବଲପୁର ଲୋକସଭା ସଦସ୍ୟ ତଥା କେନ୍ଦ୍ର ଶିକ୍ଷାମନ୍ତ୍ରୀ, ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଓ ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କୁ ମଧ୍ୟ ପ୍ରେରଣ କରାଯାଇଛି । ପୁରାତନ ଜିଲା ମୂଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ ଜିଲା ମୂଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ବିଶ୍ୱ ମୋହନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ରୋଗୀ କଲ୍ୟାଣ ସମିତି ବୈଠକରେ ଯୋଗଦେବା ଅବସରରେ ଦେବଗଡ ଜିଲାପାଳ କବିନ୍ଦ୍ର କୁମାର ସାହୁଙ୍କୁ ଦେବଗଡ ଜିଲା ଯୁବ ଏକତା ମଂଚ ପକ୍ଷରୁ ୪ ଦପା ଦାବି ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା।
ଦେବଗଡ ଜିଲାବାସୀଙ୍କ ପକ୍ଷରୁ ଦେବଗଡ ଜିଲା ଯୁବ ଏକତା ମଂଚର ସୁରଞ୍ଜିତ କୁମାର ମହାପାତ୍ର, ନବୀନ କୁମାର ପାଣି, ସଚ୍ଚିକାନ୍ତ ଦାଶ, ଅର୍ଣ୍ଣବ କୁମାର ପଣ୍ଡା, ଶୁଶୀଳ କୁମାର ଦାଶ, ରାଜେଶ କୁମାର ନାୟକ, ଶରତ ଚନ୍ଦ୍ର ମେହେର,ଟିକେଶ୍ୱର ନନ୍ଦ, ଜନ୍ମାଜୟ ନାୟକ,ବାଦଲ କୁମାର ସାହୁ, ରୁଦ୍ର ନାରାୟଣ ବେହେରା, ସୌମ୍ୟରଞ୍ଜନ ଅମାନ୍ତ,ଚନ୍ଦନ କୁମାର ପୃଷ୍ଟି, କାବଲୁ ଜେନା, ଅର୍ଜୁନ ଦାସ, ଛୁନିଆ ଶତପଥି, ପଂଚାନନ ଆଚାର୍ଯ୍ୟ, ଶ୍ରୀନିବାସ ଦାଶ, ସତ୍ୟ ନାରାୟଣ ସାହୁଙ୍କ ସମେତ ବହୁ ଜନସାଧାରଣ ଓ ବିଭିନ୍ନ ଅନୁଷ୍ଠାନର ପ୍ରତିନିଧି ମାନେ ସେଠାରେ ଜିଲା ମୂଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ମିଶ୍ର ଓ ଅନ୍ୟାନ୍ୟ ଅଧିକାରୀଙ୍କ ଉପସ୍ଥିତିରେ ଜିଲାପାଳଙ୍କ ସହିତ ଆଲୋଚନା କରିବାସହ ଉପରୋକ୍ତ ଦାବିପତ୍ର ପ୍ରଦାନ କରିଥିଲେ। ସେହିପରି ଆଗାମୀ ୭ ଦିନ ମଧ୍ୟରେ ଦାବି ପୁରଣ ନ ହେଲେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିବାକୁ ଉକ୍ତ ଦାବି ମାଧ୍ୟମରେ ଲିଖିତ ଚେତାବନୀ ଦେଇଥିଲେ ।
ଜିଲାପାଳଙ୍କୁ ପ୍ରଦାନ କରାଯାଇଥିବା ଉପରୋକ୍ତ ସ୍ମାରକପତ୍ରରେ ପୁରୁଣା ଜିଲା ମୂଖ୍ୟ ଚିକିତ୍ସାଳୟ କୋଠାରେ ଆବଶ୍ୟକ ସମସ୍ତ ସୁବିଧା ସୁଯୋଗ ସହିତ ୨୪ ଘଂଟିଆ ସ୍ବାସ୍ଥ୍ୟସେବା ପ୍ରଦାନ, ପୁରୁଣା କୋଠାକୁ ଉପଖଣ୍ଡ ସ୍ତରୀୟ ଚିକିତ୍ସାଳୟର ମାନ୍ୟତା ପ୍ରଦାନ,ନୂଆ ବାଲିରୋଇ ମୌଜାରେ ର୍ନିମୀତ ନୂତନ ସୁପର ସ୍ପେସିଆଲିଟୀ ଜିଲା ମୂଖ୍ୟ ଚିକିତ୍ସାଳୟକୁ ଯାତାୟତର ଉପଯୁକ୍ତ ବ୍ୟବସ୍ଥା କରାଯିବା ଓ ପୁରାତନ କୋଠାରୁ ନୂତନ ଜିଲା ମୂଖ୍ୟ ଚିକିତ୍ସାଳୟକୁ ୨୪ ଘଂଟିଆ ଆମ୍ବୁଲାନ୍ସ ସେବା ଯୋଗାଇଦେବା ଆଦି ଦାବି ଅନ୍ତର୍ଭୁକ୍ତ ରହିଛି ।