ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ ପକ୍ଷରୁ ଦାବି କରାଯାଇଛି। ବୁଧବାର ଓକିଲ ସଂଘର ସାଧାରଣ ପରିଷଦ ବୈଠକ ସଂଘର ଉପସଭାପତି ସନ୍ତୋଷ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ବରିଷ୍ଠ ଦଓ୍ବୋନି ବିଚାରପତିମାନଙ୍କଠାରେ ପୂର୍ବରୁ ରହିଥିବା ଫୌଜଦାରୀ ମାମଲା ପରିଚାଳନା କ୍ଷମତାକୁ ନୂତନ ଭାବେ କାର୍ଯ୍ୟକାରୀ ହୋଇଥିବା ଭାରତୀୟ ନାଗରିକ ସୁରକ୍ଷା ସଂହିତାରେ ଅପସାରଣ କରି ଦିଆଯାଇଥିବା ସମ୍ପର୍କରେ ଅନୁଷ୍ଠିତ ବୈଠକରେ ସବିଶେଷ ଆଲୋଚନା କରାଯାଇଥିଲା। ଦିଗପହଣ୍ଡିଠାରେ ନୂତନ ଭାବେ ଖୋଲିଥିବା ସବଜଜ୍ କୋର୍ଟଙ୍କ ଠାରେ ଏଡିଜେ କ୍ଷମତା ନ ଥିବା ଯୋଗୁ ଅଞ୍ଚଳବାସୀଙ୍କ ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ଏଠାରେ ଅତିରିକ୍ତ ଜିଲା ଜଜ୍ କୋର୍ଟ ସ୍ଥାପନ କରିବା ପାଇଁ ବୈଠକରେ ସର୍ବସମ୍ମତି ନିଷ୍ପତ୍ତି ଗୃହୀତ ହୋଇଥିଲା। ଏ ସମ୍ପର୍କରେ ଓକିଲ ସଂଘର ଏକ ପ୍ରତିନିଧି ଦଳ ଖୁବ୍ଶୀଘ୍ର ଗଞ୍ଜାମ ଜିଲା ଜଜ୍, ରାଜ୍ୟ ଆଇନ ମନ୍ତ୍ରୀ ଏବଂ ହାଇକୋର୍ଟ ବିଚାରପତିଙ୍କ ସହ ସାକ୍ଷାତ ଆଲୋଚନା କରିବ ବୋଲି ଜଣାପଡ଼ିଥିବା ବେଳେ ଦିଗପହଣ୍ଡିକୁ ଜିଲା ସବ୍ଡିଭିଜନର ମାନ୍ୟତା ଦିଆଯିବାକୁ ମଧ୍ୟ ସଂଘ ପକ୍ଷରୁ ସରକାରଙ୍କଠାରେ ଦାବି କରାଯାଇଛି। ଅନୁଷ୍ଠିତ ଏହି ବୈଠକରେ ସଂଘ ସମ୍ପାଦକ ପ୍ରଦୀପ କୁମାର ନାୟକ, ସହସମ୍ପାଦକ ରବିଚନ୍ଦ୍ର ଗୌଡ଼, କୋଷାଧ୍ୟକ୍ଷ ସିମାଞ୍ଚଳ ପ୍ରଧାନଙ୍କ ସମେତ ପ୍ରାକ୍ତନ ସଭାପତି ହରପ୍ରସାଦ ରଥ, ରସାନନ୍ଦ ରାଉତ, ପରେଶ ଚନ୍ଦ୍ର ରଥ, ସତ୍ୟ ନାରାୟଣ ରଥ, ଚନ୍ଦ୍ରଧ୍ବଜ ସିଂହ, ହେମନ୍ତ କୁମାର ପାଣିଗ୍ରାହୀ, ରତ୍ନାକର ମେକାପ, ଗିରିଜା ନନ୍ଦନ ମେକାପ ପ୍ରମୁଖ ବହୁ ସଦସ୍ୟ ଉପସ୍ଥିତ ରହି ଆଲୋଚନା କରିଥିଲେ।