କୁନ୍ଦୁରା,୧୫।୧(ସନ୍ତୋଷ ପ୍ରହରାଜ): କୋରାପୁଟ ଜିଲା କୁନ୍ଦୁରା ବ୍ଲକ ଆସନା ପଞ୍ଚାୟତର ଶତାଧିକ ଲୋକେ ଗୁରୁବାର କୁନ୍ଦୁରା ବ୍ଲକ କାର୍ଯ୍ୟାଳୟରେ ଏକାଠି ହୋଇଥିଲେ। ହାତରେ ଦାବିପତ୍ର ଧରି ବ୍ଲକ ପ୍ରଶାସନ ପ୍ରତି ଅସନ୍ତୋଷ ପ୍ରକାଶ କରିଥିଲେ। ଆସନା ପଞ୍ଚାୟତରେ ଆସନା ଗ୍ରାମ ରହିଛି। ଉକ୍ତ ଗ୍ରାମକୁ ଭିତ୍ତି କରି ଆସନା ପଞ୍ଚାୟତ ନାମିତ ହୋଇଛି। ହେଲେ ପରୀତାପର ବିଷୟ ଦୀର୍ଘ ବର୍ଷ ହେବ ଆସନା ପଞ୍ଚାୟତ କାର୍ଯ୍ୟାଳୟ ଏବଂ ଅନ୍ୟାନ୍ୟ ସରକାରୀ, ବେସରକାରୀ କାର୍ଯ୍ୟାଳୟ ଆସନା ପଞ୍ଚାୟତ ଦର୍ଶାଇ ଉଦଲଗୁଡା ଗ୍ରାମରେ କାର୍ଯ୍ୟକ୍ଷମ ହେଉଛି। ବର୍ତ୍ତମାନ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଆସନା ପଞ୍ଚାୟତ ପାଇଁ ଏକ ନୂତନ ପଞ୍ଚାୟତ ଭବନ ନିର୍ମାଣ ହେବାର ଅଛି। ଏନେଇ ଆସନା ଗ୍ରାମରେ ନୂତନ ପଞ୍ଚାୟତ ଭବନ ନିର୍ମାଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।
ସୂଚନା ଯୋଗ୍ୟ, ଆସନା ଗ୍ରାମରେ ନୂତନ ପଞ୍ଚାୟତ ଭବନ ନିର୍ମାଣ ପାଇଁ ଆସନା ପଞ୍ଚାୟତବାସୀ ଗତ ଡିସେମ୍ବର ୨ ତାରିଖରେ କୁନ୍ଦୁରା ବିଡ଼ିଓ, ତହସିଲଦାରଙ୍କୁ ଭେଟି ଦାବୀପତ୍ର ପ୍ରଦାନ କରିଥିଲେ। ବିଡ଼ିଓଙ୍କ ପରାମର୍ଶ କ୍ରମେ ଆସନା ସରପଞ୍ଚ ଏବଂ ସମିତି ସଭ୍ୟଙ୍କୁ ଭେଟି ପଞ୍ଚାୟତ ବାସୀ ଲିଖିତ ନିବେଦନ କରିଥିଲେ। ପରେ ବ୍ଲକ ଏଏଇ, ଜେଇ, ରାଜସ୍ବ ନିରୀକ୍ଷକ ଏବଂ ପିଇଓ ଆସନା ଗ୍ରାମରେ ନୂତନ ପଞ୍ଚାୟତ ଭବନ ନିର୍ମାଣ ପାଇଁ ଜାଗା ଚିହ୍ନଟ କରିଥିଲେ।
ହେଲେ ଦୁଃଖର ବିଷୟ ସରପଞ୍ଚ ଏବଂ ସମିତି ସଭ୍ୟଙ୍କୁ ଭେଟିବାର ଦିନକ ପରେ ପୁଣି ରାଜସ୍ବ ନିରୀକ୍ଷକ ଉଦଲଗୁଡା ଗାଁକୁ ଯାଇ ନୂତନ ପଞ୍ଚାୟତ ଭବନ ନିର୍ମାଣ ପାଇଁ ଜାଗା ଚି଼ହ୍ନଟ କରିବା କେତେଦୂର ଯୁକ୍ତିଯୁକ୍ତ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏପରିକି ଅଧିକାରୀଙ୍କ ଏଭଳି କାର୍ଯ୍ୟକୁ ପଞ୍ଚାୟତବାସୀ ଦୃଢ଼ ନିନ୍ଦା କରିଛନ୍ତି।
ପଞ୍ଚାୟତବାସୀଙ୍କ ଦାବିକୁ ଅଣଦେଖା କରାଯିବ ତେବେ ଆସନା ପଞ୍ଚାୟତର ଶତାଧିକ ଜନସାଧାରଣ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବେ ବୋଲି ଗ୍ରାମବାସୀ ଚେତବନୀ ଦେଇଛନ୍ତି। ସପ୍ତାହକ ମଧ୍ୟରେ ସମସ୍ୟାରେ ସମାଧାନ ନ ହେଲେ ଆଗକୁ ଯାହା ବି ସମସ୍ୟା ଉପୁଜିବ ସେନେଇ କୁନ୍ଦୁରା ବ୍ଲକ ପ୍ରଶାସନ ଏବଂ ତହସିଲ ପ୍ରଶାସନ ଦାୟୀ ରହିବ ବୋଲି ଗ୍ରାମବାସୀ କହିଛନ୍ତି। ଏଥିସହ ଗ୍ରାମବାସୀ କୁନ୍ଦୁରା ବିଡ଼ିଓ, ତହସିଲଦାର, ଥାନା ଅଧିକାରୀଙ୍କୁ ଚେତାବନୀ ପୂର୍ଣ୍ଣ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।