ରକ୍ତ ଭଣ୍ଡାର ଦାବି, ସିଡିଏମ୍‌ଓଙ୍କୁ ଫେରାଦ

ବରଗଡ଼,୯।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହର ଉପକଣ୍ଠ ଖେଦାପାଲିସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟରେ ରକ୍ତ ଭଣ୍ଡାର ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରିନାହିଁ। ଫଳରେ ରୋଗୀମାନଙ୍କୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଏହାକୁ ନେଇ ଅସନ୍ତୋଷ ଲାଗି ରହିଛି। ଶୁକ୍ରବାର ବରଗଡ଼ର ସ୍ବେଚ୍ଛାସେବୀ ଅନୁଷ୍ଠାନ ନିଷ୍ଠା ପରିବାର ରକ୍ତ ଭଣ୍ଡାର କାର୍ଯ୍ୟକ୍ଷମ ଦାବିରେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ (ସିଡିଏମ୍‌ଓ) ଡା. କୁବେର ଚନ୍ଦ୍ର ମହାନ୍ତଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛି। ସ୍ମାରକପତ୍ରରେ ଉଲ୍ଲେଖ ରହିଛି, ବରଗଡ଼ ପୁରୁଣା ସରକାରୀ ଡାକ୍ତରଖାନାରେ ଥିବା ରକ୍ତ ଭଣ୍ଡାର ଉପରେ ଜିଲାର ଲୋକେ ନିର୍ଭର କରନ୍ତି। ରୋଗୀଙ୍କ ପରିଜନ ରକ୍ତ ଦେବା ପାଇଁ ପୁରୁଣା ଡାକ୍ତରଖାନାରେ ଥିବା ରକ୍ତ ଭଣ୍ଡାରକୁ ସୁବିଧା ମନେ କରନ୍ତି। ଦୀର୍ଘବର୍ଷ ଧରି ଖେଦାପାଲିଠାରେ ନୂତନ ଜିଲା ମୁଖ୍ୟ ଚିକିତ୍ସାଳୟ ଓ ରକ୍ତ ଭଣ୍ଡାର କୋଠା ତିଆରି ହୋଇଛି। କିନ୍ତୁ ସେଠାରେ ରକ୍ତ ଭଣ୍ଡାର ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରିନାହିଁ। ଏ ନେଇ ବାରମ୍ବାର ଜିଲା ପ୍ରଶାସନ ସହିତ ଆଲୋଚନା କରାଯାଇଛି । ଅନେକ ଗରିବ ରୋଗୀ ରକ୍ତ ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟ ଖେଦାପାଲିରୁ ପୁରୁଣା ଡାକ୍ତରଖାନାକୁ ଆସିବାରେ ଖର୍ଚ୍ଚାନ୍ତ ହେବା ସହିତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଉଭୟ ଡାକ୍ତରଖାନାରେ ରକ୍ତ ଭଣ୍ଡାରର ନିତାନ୍ତ ଆବଶ୍ୟକତା ରହିଛି । ଫଳରେ ଉଭୟ ସ୍ଥାନରେ ରକ୍ତ ସଂଗ୍ରହ ଓ ରକ୍ତ ପୃଥକୀକରଣ ୟୁନିଟ କାର୍ଯ୍ୟକ୍ଷମ କରିବାକୁ ଅନୁଷ୍ଠାନର ସଭାପତି ଅଶ୍ୱିନୀ ତ୍ରିପାଠୀ, ଉପ ସଭାପତି ସଚି ପଣ୍ଡା ଏବଂ ଉପଦେଷ୍ଟା ଜିତୁ ମହାପାତ୍ର ପ୍ରମୁଖ ଦାବି କରିଥିଲେ।