ଅକ୍ସଫୋର୍ଡରୁ ଡିଗ୍ରୀ ଥାଇ ଡେଲିଭରି ବୟ

ବେଜିଂ: ଚାଇନାର ଫୁଡ୍‌ ଡେଲିଭରି ବୟ ଡିଙ୍ଗ୍‌ ୟୁଆନଝାଓ (୩୯) ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛନ୍ତି। ଅସାଧାରଣ ଶିକ୍ଷା ଲାଭ କରିଥିବା ସତ୍ତ୍ୱେ ସେ ଏକ ସାଧାରଣ ଫୁଡ୍‌ ଡେଲିଭରି ବୟ ଭାବେ ଜୀବିକା ନିର୍ବାହ କରୁଛନ୍ତି। ସୋସିଆଲ ମିଡିଆରେ ତାଙ୍କୁ ସବୁଠାରୁ ଶିକ୍ଷିତ ଡେଲିଭରି ବୟ କୁହାଯାଉଛି। ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରୁ ଡିଗ୍ରୀ ଥାଇ ମଧ୍ୟ ତାଙ୍କୁ ଭଲ ନିଯୁକ୍ତି ମିଳି ନ ଥିଲା।
ଫୁଜିଆନ୍‌ ପ୍ରଦେଶ ନିବାସୀ ଡିଙ୍ଗ୍‌ ଦେଶର ପ୍ରତିଷ୍ଠିତ ସିଂଘୁଆ ବିଶ୍ୱବିଦ୍ୟାଳୟରୁ ରସାୟନ ବିଜ୍ଞାନରେ ସ୍ନାତକ ଡିଗ୍ରୀ ଓ ପେକିଂ ବିଶ୍ୱବିଦ୍ୟାଳୟରୁ ଏନର୍ଜି ଇଞ୍ଜିନିୟରିଂରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ। ପରେ ସେ ସିଙ୍ଗାପୁରର ନାନ୍‌ୟାଙ୍ଗ ଟେକ୍ନୋଲୋଜିକାଲ ୟୁନିଭର୍ସିଟିରୁ ଜୀବ ବିଜ୍ଞାନରେ ପିଏଚ୍‌.ଡି. ଡିଗ୍ରୀ ଏବଂ ବ୍ରିଟେନ୍‌ର ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରୁ ଜୈବ ବିବିଧତାରେ ଆଉ ଏକ ସ୍ନାତକୋତ୍ତର ଡିଗ୍ରୀ ଲାଭ କରିଥିଲେ। ଏପରି ଉଜ୍ଜ୍ୱଳ ଶିକ୍ଷାଗତ ପୃଷ୍ଠଭୂମି ସତ୍ତ୍ୱେ ମଧ୍ୟ ଡିଙ୍ଗ୍‌ଙ୍କୁ ଇଚ୍ଛା ଏବଂ ଯୋଗ୍ୟତା ଅନୁଯାୟୀ ନିଯୁକ୍ତି ମିଳି ନ ଥିଲା। ସେ ଅନେକ କମ୍ପାନୀକୁ ନିଜ ବାୟୋଡାଟା ପଠାଇଥିଲେ ଏବଂ ୧୦ରୁ ଅଧିକ ସାକ୍ଷାତ୍‌କାର ମଧ୍ୟ ଦେଇଥିଲେ। ଏହାସତ୍ତ୍ୱେ ତାଙ୍କୁ ସଫଳତା ମିଳି ନ ଥିଲା। ଏହି ସମୟରେ ସେ କିଛି ମାସ ପାଇଁ ସିଙ୍ଗାପୁର ନ୍ୟାଶନାଲ୍‌ ୟୁନଭର୍ସିଟରେ ପୋଷ୍ଟ ଡକ୍ଟରାଲ୍‌ ରିସର୍ଚ୍ଚର ଭାବେ କାର୍ଯ୍ୟ କରିଥିଲେ। ଶେଷରେ ଡିଙ୍ଗ୍‌ ନିଜ ପରିବାର ପ୍ରତିପୋଷଣ ପାଇଁ ଫୁଡ୍‌ ଡେଲିଭରି ବୟ ଭାବେ କାର୍ଯ୍ୟ କରିବାକୁ ବାଧ୍ୟ ହୋଇଥିଲେ।
କହିଛନ୍ତି, ଏବେ ସେ ସ୍ଥିର ଚାକିରି କରି ପରିବାର ପ୍ରତିପୋଷଣ କରିପାରୁଛନ୍ତି। ନିଯୁକ୍ତି ପ୍ରୋଫାଇଲ୍‌ କୌଣସି ବ୍ୟକ୍ତିଙ୍କ ଦକ୍ଷତାର ମାପକାଠି ହୋଇ ନ ଥାଏ। ଦୀର୍ଘଦିନ ଧରି ସଫଳତା ନ ମିଳିଲେ ମଧ୍ୟ ସକାରାତ୍ମକ ରହିବାକୁ ସେ ଛାତ୍ରୀଛାତ୍ରଙ୍କୁ ପରାମର୍ଶ ଦେଇଛନ୍ତି। ସୋସିଆଲ ମିଡିଆରେ ଅନେକ ୟୁଜର୍ସ ଡିଙ୍ଗ୍‌ଙ୍କ ସାହସ ଏବଂ ବ୍ୟବହାରିକ ଚିନ୍ତାଧାରାକୁ ପ୍ରଶଂସା କରିଛନ୍ତି। ଶିକ୍ଷା ଯେତେ ଉଚ୍ଚ ହୋଇଥିଲେ ମଧ୍ୟ ଜୀବନରେ ସର୍ବଦା ବିଭିନ୍ନ ପ୍ରତିକୂଳ ପରିସ୍ଥିତିକୁ ସାମ୍‌ନା କରିବାକୁ ପଡ଼ିଥାଏ, ତାହା ଡିଙ୍ଗ୍‌ଙ୍କ କାହାଣୀ ଦର୍ଶାଉଛି ବୋଲି କେତେଜଣ ୟୁଜର୍ସ କହିଛନ୍ତି।

Share