ନୁପୁରଙ୍କ ସୁରକ୍ଷା ବ୍ୟବସ୍ଥା ବଢିଲା

ନୂଆଦିଲ୍ଲୀ, ୭।୬: ପ୍ରଫେଟ୍‌ ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇ ଭାରତୀୟ ଜନତା ପାର୍ଟିରୁ ନିଲମ୍ବିତ ହୋଇଥିବା ନୂପୁର ଶର୍ମା ଏବଂ ତାଙ୍କ ପରିବାରକୁ ଦିଲ୍ଲୀ ପୋଲିସ ସୁରକ୍ଷା ଯୋଗାଇ ଦେଇଛି। ଏହି ମନ୍ତବ୍ୟ ପରେ ନୂପୁରଙ୍କୁ ହତ୍ୟା ଧମକ ଦିଆଯାଉଥିଲା। ଏନେଇ ସେ ପୋଲିସ ଷ୍ଟେଶନରେ ଅଭିଯୋଗ କରିଥିଲେ ଏବଂ ସୁରକ୍ଷା ପାଇଁ ନିବେଦନ କରିଥିଲେ। ଏହି ଅଭିଯୋଗ ଆଧାରରେ ପୋଲିସ ତାଙ୍କୁ ଏବଂ ତାଙ୍କ ପରିବାରକୁ ସୁରକ୍ଷା ଯୋଗାଇ ଦେଇଛି।
ସୂଚନାଯୋଗ୍ୟ, ଏକ ଟିଭି ଡିବେଟରେ ନୂପୁର ପ୍ରଫେଟ ମହମ୍ମଦଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ; ଯାହାକୁ ନେଇ ଗତ ଶୁକ୍ରବାର କାନପୁରରେ ସାମ୍ପ୍ରଦାୟିକ ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା। ନୂପୁର ଶର୍ମାଙ୍କ ବୟାନକୁ ବିରୋଧ କରି କାନପୁରର ଏକ ମୁସଲମାନ ସଙ୍ଗଠନ ବନ୍ଦ ଡାକରା ଦେବା ସହ ଦୁଇ ଗୋଷ୍ଠୀ ମଧ୍ୟରେ ଢେଲାପଥର ମାଡ ହୋଇଥିଲା। ଫଳରେ ଉଭୟ ଗୋଷ୍ଠୀର ୪୦ରୁ ଊର୍ଦ୍ଧ୍ୱ ଲୋକ ଆହତ ହୋଇଥିଲେ। ରବିବାର ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଥିଲା।