ନୂଆଦିଲ୍ଲୀ,୧୮।୮: ଭାରତର ମୁଖ୍ୟ ବିଚାରପତି ଜଷ୍ଟିସ ବି. ଆର. ଗଭାଇ ଜାତୀୟ ରାଜପଥର ଅବସ୍ଥା ଓ ଟୋଲ ଟ୍ୟାକ୍ସ ସଂଗ୍ରହ ସମ୍ପର୍କିତ ଏକ ଆବେଦନ ଶୁଣାଣି ସମୟରେ କହିଛନ୍ତି ଯେ, ଦିଲ୍ଲୀରେ ମାତ୍ର ୨ ଘଣ୍ଟା ବର୍ଷା ହେଲେ ସମଗ୍ର ରାଜଧାନୀ ଅଚଳ ହୋଇପଡ଼େ। ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନଏଚଏଆଇ) ଦ୍ୱାରା ଦାଖଲ ଏକ ଆବେଦନରେ କେରଳର ତ୍ରିସୁର ଜିଲ୍ଲାର ଜାତୀୟ ରାଜପଥ ୫୪୪ରେ ଟୋଲ ସଂଗ୍ରହ ଉପରେ କେରଳ ହାଇକୋର୍ଟଙ୍କ ନିଷେଧାଦେଶକୁ ଚ୍ୟାଲେଞ୍ଜ କରାଯାଇଥିଲା। ରାଜପଥର ଖରାପ ଅବସ୍ଥା ହେତୁ କେରଳ ହାଇକୋର୍ଟ ଟୋଲ ସଂଗ୍ରହ ଉପରେ ରୋକ ଲଗାଇଛନ୍ତି।
ମୁଖ୍ୟ ବିଚାରପତି ଜଷ୍ଟିସ ବି. ଆର. ଗଭାଇ, ଜଷ୍ଟିସ କେ. ବିନୋଦ ଚନ୍ଦ୍ରନ ଓ ଜଷ୍ଟିସ ଏନ. ଭି. ଅଞ୍ଜାରିଆଙ୍କ ବେଞ୍ଚ ଏହି ମାମଲାରେ ଶୁଣାଣି କରି ରାୟ ସଂରକ୍ଷଣ କରିଛନ୍ତି। ଶୁଣାଣି ସମୟରେ ମୁଖ୍ୟ ବିଚାରପତି କହିଛନ୍ତି, “ଯଦି ଗୋଟିଏ ରାସ୍ତାର ଏକ ପ୍ରାନ୍ତରୁ ଅନ୍ୟ ପ୍ରାନ୍ତକୁ ଯିବାକୁ ୧୨ ଘଣ୍ଟା ଲାଗୁଛି, ତେବେ ଜଣେ ବ୍ୟକ୍ତି କାହିଁକି ୧୫୦ ଟଙ୍କା ଟୋଲ ଦେବେ? ଯେଉଁ ରାସ୍ତା ଏକ ଘଣ୍ଟାରେ ଅତିକ୍ରମ ହେବା କଥା, ତାହା ୧୨ ଘଣ୍ଟା ଲାଗୁଛି ଓ ତା’ ପରେ ମଧ୍ୟ ଟୋଲ ଦେବାକୁ ପଡ଼ୁଛି।”
ଏନଏଚଏଆଇ ଓ ତାଙ୍କ କନସେସନେୟାର ଗୁରୁବାୟୁର ଇନଫ୍ରାଷ୍ଟ୍ରକଚର ପକ୍ଷରୁ ତ୍ରିସୁରର ପାଲିୟେକ୍କାରା ଟୋଲ ପ୍ଲାଜାରେ ଟୋଲ ସଂଗ୍ରହ ଉପରେ କେରଳ ହାଇକୋର୍ଟଙ୍କ ନିଷେଧାଦେଶକୁ ଚ୍ୟାଲେଞ୍ଜ କରାଯାଇଥିଲା। ସୁପ୍ରିମକୋର୍ଟ ଏହି ମାମଲାରେ ନିଷ୍ପତ୍ତି ସଂରକ୍ଷଣ କରିଥିବା ବେଳେ ରାଜପଥର ଅବସ୍ଥା ଓ ଟୋଲ ସଂଗ୍ରହ ନୀତି ଉପରେ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠାଇଛନ୍ତି।