ମ୍ୟାଜିକ୍‌ ନମ୍ବର ଛୁଇଁବା ପରେ ଭାଜପା କଲା ବଡ଼ ଘୋଷଣା: ଏହି ହେବେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ!

ନୂଆଦିଲ୍ଲୀ, ୮।୨: ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ନିର୍ବାଚନର ଫଳାଫଳର ଚିତ୍ର ସ୍ପଷ୍ଟ ହେବାରେ ଲାଗିଛି। ଏହି ନିର୍ବାଚନ ଫଳାଫଳରେ, ଭାରତୀୟ ଜନତା ପାର୍ଟି ପ୍ରାୟ ବହୁମତ ସଂଖ୍ୟା ଅତିକ୍ରମ କରିସାରିଛି। ସରକାର ଗଠନ କରିବା ନେଇ ଆତ୍ମବିଶ୍ୱାସୀ ଭାରତୀୟ ଜନତା ପାର୍ଟିର ନେତାମାନେ ଖୁସି ମନେହେଉଛି। ଏହି ସମ୍ପର୍କରେ ଭାଜପା ନେତା ଯୋଗେନ୍ଦ୍ର ଚନ୍ଦୌଲି ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦିଙ୍କ ଆବେଦନ ଶୁଣିବା ପାଇଁ ମୁଁ ଦିଲ୍ଲୀବାସୀଙ୍କୁ ଧନ୍ୟବାଦ ଜଣାଉଛି। କେଜ୍‌ରିୱାଲ ସମସ୍ତ ମଡେଲରେ ବିଫଳ ହୋଇଛନ୍ତି। କେଜ୍‌ରିୱାଲ ତିହାର ଯିବେ ଏହା ନିଶ୍ଚିତ। ସେ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଥିଲେ କିନ୍ତୁ ଏବେ ସେ ବିଧାୟକ ମଧ୍ୟ ହେବାକୁ ଯାଉନାହାଁନ୍ତି। ଦଳର ହାଇକମାଣ୍ଡ ଦ୍ୱାରା ମନୋନୀତ ଯେକୌଣସି ଦଳୀୟ କର୍ମୀ ଦିଲ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ।

ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ ଭାଜପା ପାଇଁ ଭଲ ଖବର ଆଣିଛି। ଦିନ ୧୨ଟା ପର୍ଯ୍ୟନ୍ତ ଟ୍ରେଣ୍ଡ ଅନୁଯାୟୀ, ଭାଜପା ୪୬ଟି ଆସନରେ ଆଗୁଆ ଅଛି। ଆମ ଆଦମୀ ପାର୍ଟି ୨୩ ଟି ଆସନରେ ଆଗୁଆ ଅଛି।

ଆମ ଆଦମୀ ପାର୍ଟିି ୪୩ ପ୍ରତିଶତ ଏବଂଭାଜପା ୪୭ ପ୍ରତିଶତ ଭୋଟ ପାଇବା ଦେଖାଯାଉଛି। ସେହିପରି କଂଗ୍ରେସକୁ ୬.୫୯ ପ୍ରତିଶତ ଭୋଟ ମିଳୁଛି।

ଗତ ନିର୍ବାଚନରେ ଭାଜପା ମାତ୍ର ୮ଟି ଆସନ ପାଇଥିଲା। ପୂର୍ବରୁ ୨୦୧୫ରେ କେବଳ ତିନୋଟି ଆସନ ମିଳିଥିଲା। ଏବେ ଏଥର ଦଳ ଏକ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଛି। ଯଦି ଧାରା ଫଳାଫଳରେ ପରିଣତ ହୁଏ ତେବେ ୨୭ ବର୍ଷ ପରେ ଭାଜପା ଦିଲ୍ଲୀରେ ସରକାର ଗଠନ କରିବ।

Share