ଗତ ୨୪ଘଣ୍ଟାରେ ରାଜଧାନୀରେ ୧୦୪୨କରୋନା ଆକ୍ରାନ୍ତ ଚିହ୍ନଟ, ୨ମୃତ

ନୂଆଦିଲ୍ଲୀ,୨୨।୪: ରାଜଧାନୀ ଦିଲ୍ଲୀରେ ସଂକ୍ରମଣ କମିବା ପରେ ଗତ କିଛି ଦିନରୁ ପୁଣି ଥରେ ଦ୍ରୁତ ଗତିରେ କରୋନା ବୃଦ୍ଧି ପାଇବାରେ ଲାଗିଛି। ଇତିମଧ୍ୟରେ ରାଜ୍ୟରେ ଗତ ୨୪ଘଣ୍ଟାରେ ୧୦୪୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହ କରୋନାଜନିତ ୨ଜଣଙ୍କ ମୃତ୍ୟୁ ଘଟିଥିବା ନେଇ ଶୁକ୍ରବାର ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ରାଜଧାନୀରେ ବର୍ତ୍ତମାନ ପଜିଟିଭିଟି ହାର ୪ପ୍ରତିଶତରୁ ଊର୍ଦ୍ଧ୍ୱ ରହିଛି। ସେହପିରି ଗୁରୁବାର ମଧ୍ୟ ଏଠାରେ ୯୬୫ କରୋନା ମାମଲା ରେକର୍ଡ କରାଯାଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟପଟେ କରୋନା ମାମଲାକୁ ନେଇ ରାଜ୍ୟ ସରକାର ପ୍ରତିକ୍ରିୟା ରଖିଛନ୍ତି। ବର୍ତ୍ତମାନ ସ୍ଥିତି ପୁରା ନିୟନ୍ତ୍ରଣରେ ରହିଛି, ଭୟ କରିବାର ଆବଶ୍ୟକତା ନାହିଁ। ହସ୍ପିଟାଲରେ ମଧ୍ୟ ବେଡ୍‌ ସଂଖ୍ୟା ବୃଦ୍ଧି କରାଯାଉଛି ବୋଲି ରାଜ୍ୟ ସରକାର କହିଛନ୍ତି। କିନ୍ତୁ ସାର୍ବଜନୀନ ସ୍ଥାନରେ ମାସ୍କ ପିନ୍ଧିବା ଜରୁରୀ ଏବଂ କୋଭିଡ କଟକଣାକୁ କଡ଼ାକଡି କରାଯାଇଛି ବୋଲି ଦିଲ୍ଲୀ ସରକାର କହିଛନ୍ତି। ଅନ୍ୟପଟେ ବର୍ଦ୍ଧିତ କରୋନା ମାମଲାକୁ ଦୃଷ୍ଟିରେ ରଖି ସ୍କୁଲ ପାଇଁ ଏକ ନୂଆ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। ଯଦି କେହି ବି ଛାତ୍ର କରୋନାରେ ଆକ୍ରାନ୍ତ ହୁଅନ୍ତି ତେବେ ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ସ୍କୁଲ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏତଦ୍‌ବ୍ୟତୀତ ଆବଶ୍ୟକତା ପଡ଼ିଲେ ପୁରା ସ୍କୁଲକୁ ମଧ୍ୟ ବନ୍ଦ କରିବାକୁ ସ୍କୁଲ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇପାରେ ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ କହିଛନ୍ତି।