Categories: Home Leftଖେଳ

ଲକ୍ଷ୍ନୌକୁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ

ଲକ୍ଷ୍ନୌ, ୧୩।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୬ ଉଇକେଟରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସକୁ ପରାସ୍ତ କରିଛି। ଆୟୂଷ ବଦୋନୀଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ଲକ୍ଷ୍ନୌ ୨୦ ଓଭରରେ ୭ ଉଇକେଟ ହରାଇ ୧୬୭ ରନ କରିଥିଲା। ଜବାବରେ ଦିଲ୍ଲୀ ଜ୍ୟାକ୍‌ ଫ୍ରାସର-ମ୍ୟାକ୍‌ଗୁର୍କଙ୍କ ଅର୍ଦ୍ଧଶତକ ଏବଂ ଅଧିନାୟକ ରିଷଭ ପନ୍ତଙ୍କ ଦୃଢ଼ ବ୍ୟାଟିଂ ବଳରେ ୧୮.୧ ଓଭରରେ ୪ ଉଇକେଟ ହରାଇ ୧୭୦ ରନ ସଂଗ୍ରହ କରି ନେଇଥିଲା। ୬ ମ୍ୟାଚରୁ ଏହା ହେଉଛି ଦିଲ୍ଲୀର ଦ୍ୱିତୀୟ ବିଜୟ। ଅନ୍ୟପକ୍ଷରେ ଲକ୍ଷ୍ନୌ ୫ ମ୍ୟାଚରୁ ଦ୍ୱିତୀୟ ପରାଜୟ ବରଣ କରିଛି। ଦିଲ୍ଲୀ ପକ୍ଷରୁ ଜ୍ୟାକ୍‌ ସର୍ବାଧିକ ୫୫ (୩୫ ବଲ, ୫ ଚୌକା, ୧ ଛକା) ରନ କରିଥିବାବେଳେ ପନ୍ତ ୨୪ ବଲ୍‌ରୁ ୪୧ (୪ ଚୌକା, ୨ ଛକା) ଓ ପୃଥ୍ବୀ ଶ’ ୨୨ ବଲ୍‌ରୁ ୩୨ (୬ ଚୌକା) ରନ କରି ଦିଲ୍ଲୀ ବିଜୟକୁ ସହଜ କରିଥିଲେ। ଟ୍ରିଷ୍ଟନ ଷ୍ଟବ୍ସ ୯ ବଲ୍‌ରୁ ୧୫ ରନରେ ଅପରାଜିତ ରହିଥିଲେ। ଲକ୍ଷ୍ନୌ ପକ୍ଷରୁ ରବି ବିଷ୍ଣୋଇ ୨ଟି ଏବଂ ନଭିନ ଉଲ୍‌-ହକ୍‌ ଓ ୟଶ୍‌ ଠାକୁର ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ଟସ୍‌ ଜିତି ବ୍ୟାଟିଂ ନେଇଥିବା ଲକ୍ଷ୍ନୌ ଓପନିଂ ଯୋଡ଼ିରେ ୨୮ ରନ ସଂଗ୍ରହ କରିଥିଲା। ମାତ୍ର ଓପନର କ୍ୱିଣ୍ଟନ ଡିକକ୍‌ ଓ ଦେବଦତ୍ତ ପଡିକାଲଙ୍କୁ ପ୍ୟାଭିଲିୟନ ପଠାଇ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ ଖଲିଲ ଅହମଦ। ଡିକକ୍‌ ୧୯ ଓ ପଡିକାଲ ୩ ରନ କରିବାକୁ ସକ୍ଷମ ହୋଇଥିଲେ। ଏହାପରେ ଦେଖିବାକୁ ମିଳିଥିଲା କୁଲଦୀପଙ୍କ ଯାଦୁ। ସେ ନିଜ ପ୍ରଥମ ଓଭରର ତୃତୀୟ ଓଭରରେ ମାର୍କୁସ ଷ୍ଟୋଇନିସ ଓ ୪ର୍ଥ ବଲ୍‌ରେ ନିକୋଲସ ପୁରନଙ୍କୁ ଆଉଟ କରି ଲକ୍ଷ୍ନୌକୁ ବ୍ୟାକ୍‌ଫୁଟକୁ ଠେଲି ଦେଇଥିଲେ। ଷ୍ଟୋଇନିସ ୮ ରନ କରିଥିବାବେଳେ ପୂରନ ଖାତା ଖୋଲିବାକୁ ସକ୍ଷମ ହୋଇ ନ ଥିଲେ। କେବଳ ସେତିକି ନୁହେଁ କୁଲଦୀପ ନିଜ ଦ୍ୱିତୀୟ ଓଭରର ୩ୟ ବଲ୍‌ରେ ଅଧିନାୟକ ଲୋକେଶ ରାହୁଲଙ୍କୁ ପ୍ୟାଭିଲିୟନ ପଠାଇ ଲକ୍ଷ୍ନୌର ଚିନ୍ତା ବଢ଼ାଇ ଦେଇଥିଲେ। ଭଲ ଆରମ୍ଭ କରିଥିବା ରାହୁଲ ୨୨ ବଲ୍‌ରୁ ୫ ଚୌକା ଓ ୧ଛକା ସହାୟତାରେ ୩୯ ରନ କରି ପ୍ୟାଭିଲିୟନ ଫେରିଥିଲେ। ପରିସ୍ଥିତିକୁ ଦୃଷ୍ଟିରେ ରଖି ଲକ୍ଷ୍ନୌ ଦୀପକ ହୁଦାଙ୍କୁ ଇମ୍ପାକ୍ଟ ସବ୍‌ଷ୍ଟିଚ୍ୟୁଟ ଭାବେ ନେଇ ଯାଇଥିଲା। ମାତ୍ର ସେ ମଧ୍ୟ ନିରାଶ କରିଥିଲେ। ସେ ୧୦ ରନକରି ଈଶାନ୍ତ ଶର୍ମାଙ୍କ ବଲ୍‌ରେ ଆଉଟ ହୋଇଥିଲେ। ପରେ କୃନାଲ ପାଣ୍ଡ୍ୟାଙ୍କୁ ଆଉଟ କରିଥିଲେ ମୁକେଶ କୁମାର। ଫଳରେ ୧୩ ଓଭର ବେଳକୁ ସ୍କୋର ୯୪/୭ ହୋଇ ଯାଇଥିଲା। ମାତ୍ର ବଦୋନି ଓ ଅର୍ଶଦ ଖାଁଙ୍କ ଅସମାପ୍ତ ୮ମ ଉଇକେଟରେ ୭୩ ରନର ଭାଗୀଦାରି ଯୋଗୁ ଲକ୍ଷ୍ନୌ ସମ୍ମାନଜନକ ସ୍କୋରରେ ପହଞ୍ଚତ୍ ପାରିଥିଲା। ବଦୋନୀ ୩୫ ବଲ୍‌ରୁ ୫୫ ଓ ଅର୍ଶଦ ୨୦ ରନରେ ଅପରାଜିତ ରହିଥିଲେ। ଦିଲ୍ଲୀ ପକ୍ଷରୁ କୁଲଦୀପ ୩ଟି, ଖଲିଲ ଅହମଦ ୨ଟି ଏବଂ ଈଶାନ୍ତ ଶର୍ମା ଓ ମୁକେଶ କୁମାର ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।