ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍ ପୂର୍ବରୁ ଟିମ୍ ଅଷ୍ଟ୍ରେଲିଆର ଦିଗ୍ଗଜ ଖେଳାଳି ମେଗ ଲାନିଙ୍ଗଙ୍କୁ ରିଲିଜ୍ କରିଥିଲା, ଯିଏକି ଟିମର ଅଧିନାୟକ ଥିଲେ। ଏହି ପରିସ୍ଥିତିରେ ଦିଲ୍ଲୀ କ୍ୟାପିଟଲ୍ସକୁ ନୂଆ ଅଧିନାୟକ ନିଯୁକ୍ତ କରିବାକୁ ପଡ଼ିଛିଟିମ୍ ଏକ ବଡ଼ ନିଷ୍ପତ୍ତି ନେଇ ୨୫ ବର୍ଷୀୟ ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍ ଜେମିମା ରୋଡ୍ରିଗଜ୍‌ଙ୍କୁ ଅଧିନାୟକ ନିଯୁକ୍ତ କରିଛି। ଜେମିମା ଗତ ସିଜନରେ ଉପ-ଅଧିନାୟକ ଭାବରେ ଦାୟିତ୍ୱ ସମ୍ଭାଳିଥିଲେ।

ଦିଲ୍ଲୀ କ୍ୟାପିଟଲ୍ସ ଫ୍ରାଞ୍ଚାଇଜି WPL ୨୦୨୬ ସିଜନ୍ ପାଇଁ ଭାରତୀୟ ବ୍ୟାଟ୍ସମ୍ୟାନ୍ ଜେମିମା ରୋଡ୍ରିଗଜ୍‌ଙ୍କୁ ଟିମ୍‌ର ଅଧିନାୟକ ଭାବେ ନିଯୁକ୍ତ କରିଛି। ୨୫ ବର୍ଷୀୟ ଜେମିମା ଲିଗ୍‌ର ପ୍ରଥମ ସିଜନରୁ ଦିଲ୍ଲୀର ଗୁରୁତ୍ୱପୂର୍ଣ୍ଣ ଖେଳାଳି ରହିଆସିଛନ୍ତି ଏବଂ ଅକ୍ସନରେ ଟିମ୍‌ର ପ୍ରଥମ ପସନ୍ଦ ଥିଲେ। ସମ୍ପ୍ରତି ଆଇସିସି ମହିଳା ବିଶ୍ୱକପ୍‌ରେ ଭାରତର ଐତିହାସିକ ବିଜୟରେ ଜେମିମା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ। ବଡ଼ ମଞ୍ଚରେ ଚାପ ସହ ଖେଳିବାର କ୍ଷମତା ପ୍ରମାଣ କରିଥିବା କାରଣରୁ ସେ ପ୍ରଥମ ଥର ପାଇଁ ଏହି ଲିଗ୍‌ରେ ଅଧିନାୟକ ଭାବେ ଦାୟିତ୍ୱ ସମ୍ଭାଳିବେ।

ଦିଲ୍ଲୀ କ୍ୟାପିଟଲ୍ସ ଜର୍ସିରେ ଜେମିମା ଏପର୍ଯ୍ୟନ୍ତ ୨୭ଟି WPL ମ୍ୟାଚ୍ ଖେଳିଛନ୍ତି, ଯେଉଁଥିରେ ୧୩୯.୬୭ର ଷ୍ଟ୍ରାଇକ୍ ରେଟ୍‌ରେ ୫୦୭ ରନ୍ କରିଛନ୍ତି। ଖାସ୍ କଥା ହେଉଛି ଲିଗ୍‌ର ତିନୋଟି ସିଜନରେ ସେ ସମସ୍ତ ଫାଇନାଲ୍‌ରେ ଟିମ୍‌ର ଅଂଶ ରହିଛନ୍ତି। ବ୍ୟାଟିଂ ସହ ଫିଲ୍ଡିଙ୍ଗ୍‌ରେ ମଧ୍ୟ ସେ ଟିମ୍‌କୁ ମ୍ୟାଚ୍ ଜିତାଇବାରେ ସହାୟକ ହୋଇଛନ୍ତି।ନୂଆ ଦାୟିତ୍ୱ ଉପରେ କହିବାକୁ ଗଲେ ରୋଡ୍ରିଗଜ୍ କହିଛନ୍ତି, “ଦିଲ୍ଲୀ କ୍ୟାପିଟଲ୍ସର ଅଧିନାୟକ ନିଯୁକ୍ତି ଏକ ସମ୍ମାନର ବିଷୟ। ବିଶ୍ୱକପ୍ ଜିତିବା ଓ ଏହି ଫ୍ରାଞ୍ଚାଇଜିର ଅଧିନାୟକ ହେବା, ଯାହା WPLର ପ୍ରଥମ ସିଜନରୁ ମୋ ହୃଦୟରେ ଏକ ବିଶେଷ ସ୍ଥାନ ରଖିଛି।”

ଏହି ନିଷ୍ପତ୍ତି ଦ୍ୱାରା ଦିଲ୍ଲୀ କ୍ୟାପିଟଲ୍ସ ଭାରତୀୟ ପ୍ରତିଭାକୁ ପ୍ରୋତ୍ସାହନ ଦେବାର ଏକ ବଡ଼ ସଙ୍କେତ ଦେଇଛି। ଜେମିମାଙ୍କ ନେତୃତ୍ୱରେ ୨୦୨୬ ସିଜନ୍ ପାଇଁ ଟିମ୍ ଆଶାବାଦୀ ରହିଛି।