ବାପା ଉପରେ ପ୍ରତିଶୋଧ ନେବା ପାଇଁ ୫ ବର୍ଷର ପୁଅକୁ ଅପହରଣ ପରେ ହତ୍ୟା କଲା ଡ୍ରାଇଭର

ନୂଆଦିଲ୍ଲୀ,୨୨।୧୦: ଦିଲ୍ଲୀର ନରେଲା ଅଞ୍ଚଳରେ ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଛି। ବାପାଙ୍କର ଟ୍ରାନ୍ସପୋର୍ଟ ବ୍ୟବସାୟରେ କାମ କରୁଥିବା ଜଣେ ଡ୍ରାଇଭର ପ୍ରତିଶୋଧ ନେବା ଉଦ୍ଦେଶ୍ୟରେ ଜଣେ ୫ ବର୍ଷର ଶିଶୁ ପୁତ୍ରକୁ ଅପହରଣ କରିବା ପରେ ଇଟାରେ ଛେଚି ଓ ଛୁରୀରେ ହତ୍ୟା କରିଛି।

ପୋଲିସ ସୂଚନା ଅନୁଯାୟୀ, ଅଭିଯୁକ୍ତ ଡ୍ରାଇଭରର ନାମ ନୀତୁ। ମଙ୍ଗଳବାର ଶିଶୁଟି ଘର ବାହାରେ ଖେଳୁଥିବା ସମୟରେ ହଠାତ୍ ନିଖୋଜ ହୋଇଯାଇଥିଲା। ପରିବାର ଲୋକେ ଖୋଜାଖୋଜି କରିବା ପରେ ପିଲାଟିର ମୃତଦେହ ନୀତୁର ଭଡ଼ା ଘରୁ ଉଦ୍ଧାର ହୋଇଥିଲା।

ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ସୋମବାର ସନ୍ଧ୍ୟାରେ ନୀତୁ ଅନ୍ୟ ଜଣେ ଡ୍ରାଇଭର ୱାସିମ୍ ସହିତ ମଦ୍ୟପାନ କରି ଝଗଡ଼ା କରିଥିଲା ଏବଂ ତାକୁ ମାଡ଼ ମାରିଥିଲା। ଏହି କଥା ଜାଣିବା ପରେ ଶିଶୁଟିର ବାପା (ମାଲିକ) ନୀତୁକୁ ଗାଳିଗୁଲଜ କରିବା ସହ ଚାପୁଡ଼ା ମାରିଥିଲେ। ଏଥିରେ ଅପମାନିତ ହୋଇ ନୀତୁ ପରଦିନ ଶିଶୁଟିକୁ ଅପହରଣ କରି ଇଟା ଓ ଛୁରୀରେ ହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛି।

ଘଟଣା ପରେ ଡ୍ରାଇଭର ନୀତୁ ଫେରାର ହୋଇଯାଇଛି। ପୋଲିସ ବିଭିନ୍ନ ଟିମ୍ ଗଠନ କରି ଅଭିଯୁକ୍ତକୁ ଖୋଜୁଛି। ଡାକ୍ତରଖାନାରେ ଶିଶୁଟିକୁ ମୃତ ଘୋଷଣା କରାଯାଇଛି ଏବଂ ମାମଲା ରୁଜୁ ହୋଇ ଅଧିକ ତଦନ୍ତ ଜାରି ରହିଛି।

Dharitri – Odisha’s No.1 Odia Daily

Share