ବୋମା ଆକ୍ରମଣକାରୀଙ୍କ ଦ୍ୱିତୀୟ କାର୍ ଖୋଜୁଛି ପୋଲିସ୍, ଲାଲ୍ ରଙ୍ଗର ଏହି କାର୍‌ ଉପରେ ନଜର

ନୂଆଦିଲ୍ଲୀ,୧୨।୧୨: ଦିଲ୍ଲୀ ଲାଲ୍ କିଲ୍ଲା ବିସ୍ଫୋରଣ ମାମଲାରେ ପୋଲିସ୍ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇବା ପରେ ଦିଲ୍ଲୀ, ହରିଆଣା ଏବଂ ଉତ୍ତର ପ୍ରଦେଶରେ ବ୍ୟାପକ ଖୋଜାଖୋଜି ଆରମ୍ଭ କରିଛି। ଅନୁସନ୍ଧାନକାରୀମାନେ ବିଶ୍ୱାସ କରୁଛନ୍ତି ଯେ, ଏହି ଆକ୍ରମଣରେ ଅଭିଯୁକ୍ତମାନେ ବ୍ୟବହାର କରିଥିବା ଏକ ଲାଲ୍ ରଙ୍ଗର ଫୋର୍ଡ ଇକୋସ୍ପୋର୍ଟ (DL10CK0458) କାର୍ ଖୋଜା ଚାଲିଛି।

ସୂଚନା ଅନୁଯାୟୀ, ଏହି ରେଡ୍ ଫୋର୍ଡ ଇକୋସ୍ପୋର୍ଟ (EcoSport) ଗାଡ଼ିଟି ଡାକ୍ତର ଉମର ଉନ୍ ନବୀ ଓରଫ୍ ଡ. ଉମର ମହମ୍ମଦଙ୍କ ନାମରେ ପଞ୍ଜୀକୃତ ହୋଇଛି, ଯିଏ ଏହାର ଦ୍ୱିତୀୟ ମାଲିକ ଅଟନ୍ତି। ୨୦୧୭ ମସିହା ନଭେମ୍ବର ୨୨ ତାରିଖରେ ଏହି କାର୍ ରାଜୌରୀ ଗାର୍ଡେନ RTOରେ ପଞ୍ଜୀକୃତ ହୋଇଥିଲା। ତଦନ୍ତରୁ ଜଣାପଡ଼ିଛି ଯେ, ଉମର ଗାଡ଼ି କିଣିବା ପାଇଁ ଉତ୍ତର-ପୂର୍ବ ଦିଲ୍ଲୀରେ ଏକ ନକଲି ଠିକଣା ବ୍ୟବହାର କରିଥିଲେ।

ଅଧିକାରୀମାନେ ଅନୁମାନ କରୁଛନ୍ତି ଯେ, ବିସ୍ଫୋରଣରେ ନଷ୍ଟ ହୋଇଥିବା ଧଳା Hyundai i20 କାର୍ ପରେ ସନ୍ଦିଗ୍ଧମାନେ ଏହି EcoSport କାର୍‌କୁ ଦ୍ୱିତୀୟ ଯାନ ଭାବରେ ବ୍ୟବହାର କରିଥିବେ। ଗୋଇନ୍ଦା ଏଜେନ୍ସିଗୁଡ଼ିକ ଚେତାବନୀ ଦେଇଛନ୍ତି ଯେ, ଏହି ଲାଲ୍ EcoSport କାର୍‌ରେ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ କିମ୍ବା ବିସ୍ଫୋରକ ଥାଇପାରେ।

ଏହି କାରଣରୁ, ସମସ୍ତ ତଦନ୍ତକାରୀ ୟୁନିଟ୍‌କୁ ତୁରନ୍ତ DL10CK0458 ନମ୍ବର ଥିବା କୌଣସି ଲାଲ୍ ଫୋର୍ଡ ଇକୋସ୍ପୋର୍ଟ ଗାଡ଼ିକୁ ଅଟକାଇବାକୁ ନିର୍ଦ୍ଦେଶ ଦିଆଯାଇଛି।

ବିସ୍ଫୋରଣ ହୋଇଥିବା ଧଳା Hyundai i20 କାର୍ ଚଳାଉଥିବା ବ୍ୟକ୍ତି ଜଣକ ଡ. ଉମର ବୋଲି ବିଶ୍ୱାସ କରାଯାଉଛି। ଘଟଣାସ୍ଥଳରୁ ମିଳିଥିବା ପ୍ରମାଣ ସହିତ ଡ୍ରାଇଭରର ପରିଚୟ ନିଶ୍ଚିତ କରିବା ପାଇଁ ତଦନ୍ତକାରୀ ଏଜେନ୍ସିମାନେ ତାଙ୍କ ପରିବାର ସଦସ୍ୟଙ୍କଠାରୁ DNA ନମୁନା ସଂଗ୍ରହ କରିଛନ୍ତି।

ସୂତ୍ର ଅନୁଯାୟୀ, ଡ. ଉମର ଆକ୍ରମଣ କରିବା ପାଇଁ ଆଉ ଦୁଇଜଣ ସହଯୋଗୀଙ୍କ ସହ ମିଶି ଯୋଜନା କରିଥିଲେ। ତେବେ ତାଙ୍କ ସହଯୋଗୀମାନେ ଫରିଦାବାଦରେ ଗିରଫ ହେବା ପରେ ସେ ଭୟଭୀତ ହୋଇ ଏକାକୀ ଆକ୍ରମଣ କରିଥିଲେ। ଡ. ଉମରଙ୍କ ସହ ଡ. ମୁଜାମିଲ ଏବଂ ଡ. ଶାହୀନଙ୍କ ସମେତ ୯-୧୦ ଜଣିଆ ଆତଙ୍କବାଦୀ ଲଜିଷ୍ଟିକ୍ ନେଟୱର୍କରେ ୫ରୁ ୬ ଜଣ ଡାକ୍ତର ସାମିଲ ଥିବା ଜଣାପଡ଼ିଛି। ଗିରଫ ହୋଇଥିବା ଡାକ୍ତରମାନେ ସେମାନଙ୍କ ବୃତ୍ତିଗତ ପଦବୀର ଅପବ୍ୟବହାର କରି ବିସ୍ଫୋରକ ସାମଗ୍ରୀ ସଂଗ୍ରହ କରୁଥିଲେ ବୋଲି ଅଭିଯୋଗ ହୋଇଛି।