ଦିଲ୍ଲୀ ଏକ୍ୟୁଆଇ ୪୪୧: ଜିଆର୍‌ଏପି-୪ ଲାଗୁହେଲା

ନୂଆଦିଲ୍ଲୀ,୧୪ା୧୨: ଦିଲ୍ଲୀ-ଜାତୀୟ ରାଜଧାନୀ ଅଞ୍ଚଳ (ଏନ୍‌ସିଆର୍‌)ରେ ଶନିବାର ସନ୍ଧ୍ୟାରେ ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୪୪୧ରେ ପହଞ୍ଚତ୍ଛି, ଯାହାକି ଅତ୍ୟନ୍ତ ଗମ୍ଭୀର ବର୍ଗର। ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ଲାଗି ଜରୁରୀ ପଦକ୍ଷେପ ସ୍ବରୂପ ଦିଲ୍ଲୀ କର୍ତ୍ତୃପକ୍ଷ ଗ୍ରେଡେଡ୍‌ ଆକ୍ସନ ରେସ୍ପନ୍ନ ପ୍ଲାନ୍‌ (ଜିଆର୍‌ଏପି)ର ଚତୁର୍ଥ ପର୍ଯ୍ୟାୟ ତୁରନ୍ତ ଲାଗୁ କରିଛନ୍ତି। ଦିଲ୍ଲୀରେ କିଛିଘଣ୍ଟା ପୂର୍ବରୁ ଜିଆର୍‌ଏପି-୩ ଲାଗୁ ହୋଇଥିଲା। ସ୍ଥିତି ଅଧିକ ଖରାପ ହେଉଥିବା ଏକ୍ୟୁଆଇରୁ ଜଣାପଡ଼ିବା ପରେ ବାୟୁ ଗୁଣବତ୍ତା ପରିଚାଳନା ଆୟୁକ୍ତ (ସିଏକ୍ୟୁଏମ୍‌) ଜିଆର୍‌ଏପି-୪ ଲଗାଇବାକୁ ନିଷ୍ପତ୍ତି ନେଇଥିଲେ। ଅପରାହ୍ନ ୪ଟାରେ ଏକ୍ୟୁଆଇ ୪୩୧ ଥିବାବେଳେ ୬ଟା ବେଳକୁ ୪୪୧କୁ ଖସିଥିଲା। ବାୟୁ ପ୍ରବାହର ମନ୍ଥର ଗତି, ସ୍ଥିର ବାୟୁମଣ୍ଡଳ, ପ୍ରତିକୂଳ ପାଣିପାଗ ସ୍ଥିତି ତଥା ପ୍ରଦୂଷିତ କଣିକାଗୁଡ଼ିକ ଖେଳାଇ ନ ହୋଇ ସ୍ଥିର ରହିବା ଫଳରେ ବାୟୁ ଗୁଣବତ୍ତା ସୂଚକାଙ୍କ ଅତ୍ୟନ୍ତ ଗମ୍ଭୀର ସ୍ତରକୁ ଆସିଥିଲା ବୋଲି ସିଏକ୍ୟୁଏମ୍‌ କହିଛି।
ଆନନ୍ଦବିହାର ଅଞ୍ଚଳ ଶନିବାର ସନ୍ଧ୍ୟାରେ ବହଳ ଧୂଆଁ କୁହୁଡ଼ିରେ ଘୋଡ଼ାଇ ହୋଇ ରହିଥିବାବେଳେ ଏକ୍ୟୁଆଇ ୪୮୮କୁ ଖସିଆସିଛି। ଏଭଳି ବାୟୁ ସ୍ବାସ୍ଥ୍ୟ ପ୍ରତି ଗମ୍ଭୀର ଚିନ୍ତାର ବିଷୟ ପାଲଟିଛି। ସେହିପରି ଇଣ୍ଡିଆ ଗେଟ୍‌, କର୍ତ୍ତବ୍ୟ ପଥରେ ଏକ୍ୟୁଆଇ ୪୦୭ ରହିଛି। ଫଳରେ ସମଗ୍ର ଜାତୀୟ ରାଜଧାନୀ ଅଞ୍ଚଳରେ ତୁରନ୍ତ ସର୍ବାଧିକ କଟକଣା ଜିଆର୍‌ଏପି-୪ ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି କଟକଣା ଯୋଗୁ ଦିଲ୍ଲୀ-ଏନ୍‌ସିଆର୍‌ରେ ନିର୍ମାଣ କାର୍ଯ୍ୟ ଓ ଜବରଦଖଲ ଉଚ୍ଛେଦ ସମ୍ପୂର୍ଣ୍ଣ ନିଷିଦ୍ଧ ହେବା ସହ ଷ୍ଟୋନ୍‌ କ୍ରସର, ଖଣି ଉତ୍ତୋଳନ ଆଦି ସମ୍ପୂର୍ଣ୍ଣ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ୫ମ ଶ୍ରେଣୀ ପର୍ଯ୍ୟନ୍ତ ହାଇବ୍ରିଡ୍‌ ଲର୍ନିଂ ମୋଡ୍‌ରେ ପାଠପଢ଼ା ପାଇଁ ପରାମର୍ଶ ଦିଆଯାଇଛି। ବିଏସ୍‌-୩ ଡିଜେଲ ଏବଂ ବିଏସ୍‌-୪ ଡିଜେଲ ଚାରିଚକିଆ ଯାନ ଚଳାଚଳ ଉପରେ କଟକଣାକୁ କଡ଼ାକଡ଼ି କରାଯାଇଛି।

 

Dharitri – Odisha’s No.1 Odia Daily

Share