ନୂଆଦିଲ୍ଲୀ,୪ା୨: ହାଇକୋର୍ଟଗୁଡ଼ିକ ରାୟକୁ ପ୍ରକାଶ ନ କରି ମାସ ମାସ ଧରି ସଂରକ୍ଷିତ ରଖିବା ଅଭ୍ୟାସ ଏକ ଜଣାଶୁଣା ବେମାରି ବୋଲି ସୁପ୍ରିମକୋର୍ଟ ମଙ୍ଗଳବାର କହିବା ସହ ତାହାର ମୂଳୋତ୍ପାଟନ ହେବା ଜରୁରୀ ବୋଲି ମତ ଦେଇଛନ୍ତି। ଠିକ୍ ସମୟରେ ନ୍ୟାୟ ପ୍ରଦାନକୁ ସୁନିଶ୍ଚିତ କରିବାର ଆବଶ୍ୟକତା ଉପରେ ସର୍ବୋଚ୍ଚ ଅଦାଲତ ଜୋର୍ ଦେଇଛନ୍ତି।
ଡିସେମ୍ବର ୪ରେ ଝାଡ଼ଖଣ୍ଡ ହାଇକୋର୍ଟ ଏକ ପିଟିଶନ୍କୁ ଖାରଜ କରି ମୌଖିକ ଭାବେ ରାୟ ଶୁଣାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଉକ୍ତ ରାୟକୁ ଅପ୍ଲୋଡ୍ କରାଯାଇ ନାହିଁ। ଏହା ଉପରେ ଏକ ଆବେଦନର ଶୁଣାଣି ବେଳେ ଭାରତର ପ୍ରଧାନ ବିଚାରପତି (ସିଜେଆଇ) ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମାଲ୍ୟ ବାଗ୍ଚୀ ଏବଂ ବିପୁଲ ଏମ୍ ପାଞ୍ଚୋଲିଙ୍କ ଖଣ୍ଡପୀଠ ଉପରୋକ୍ତ ଟିପ୍ପଣୀ ଦେଇଛନ୍ତି। ପରବର୍ତ୍ତୀ ସପ୍ତାହ ଶେଷ ସୁଦ୍ଧା ଓକିଲଙ୍କୁ ସମ୍ପୂର୍ଣ୍ଣ ରାୟ ପ୍ରଦାନ କରିବାକୁ ଖଣ୍ଡପୀଠ କହିଛନ୍ତି। ପିଟିଶନ ଦାଏର କରିଥିବା ପକ୍ଷଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗୀ କହିଥିଲେ, ଏକପ୍ରକାର ମିଛ ସମର୍ଥନ ଚାଲିଥିବା ଭଳି ଲାଗୁଛି। ଆଇନ ଅଦାଲତ ସହ ମଧ୍ୟ ଏପରି ହେଉଛି ବୋଲି ସେ କହିଥିଲେ।
କହିଥିଲେ, ୨ ପ୍ରକାର ବିଚାରପତି ଅଛନ୍ତି। ଗୋଟିଏ ପ୍ରକାର ବିଚାରପତି କଠିନ ପରିଶ୍ରମୀ ଏବଂ ସେ ସମସ୍ତଙ୍କ ବୟାନ ଶୁଣିବେ ଏବଂ ୧୦ରୁ ୧୫ଟି ମାମଲାରେ ରାୟ ସଂରକ୍ଷିତ ରଖିବେ। ଆଉ କେତେଜଣ ବିଚାରପତି ଏସବୁ ପରେ ରାୟ ପ୍ରଦାନ କରନ୍ତି ନାହିଁ। ଏହା ନ୍ୟାୟପାଳିକା ସମ୍ମୁଖରେ ଏକ ଆହ୍ବାନ ଏବଂ ଏକ ଜଣାଶୁଣା ବ୍ୟାଧି। ଏହାକୁ ବ୍ୟାପିବାକୁ ନ ଦେଇ ଚିକିତ୍ସା କରାଇବାକୁ ଏବଂ ମୂଳୋତ୍ପାଟନ କରିବାକୁ ହେବ ବୋଲି ସିଜେଆଇ କହିଛନ୍ତି। ଅନ୍ୟ ଏକ ପ୍ରଚଳିତ ଧାରା ହେଲା କେତେକ ମାମଲାରେ ଯୁକ୍ତି ଶୁଣାଣି ପରେ ଅଧିକ ନିର୍ଦ୍ଦେଶ ପାଇଁ ଏହାକୁ ପକାଇ ରଖାଯାଉଛି। ହାଇକୋର୍ଟ ମୁଖ୍ୟ ବିଚାରପତିମାନଙ୍କ ସହ ଆଗାମୀ ବୈଠକରେ ସିଜେଆଇ ଏହି ପ୍ରସଙ୍ଗ ଉଠାଇବେ ବୋଲି କହିଛନ୍ତି।