କୁଚିଣ୍ଡା, ୧୦।୧୧(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା କୁଚିଣ୍ଡା ଆରଏମ୍ସି ପକ୍ଷରୁ ମଣ୍ଡି ପ୍ରସ୍ତୁତିରେ ବିଳମ୍ବକୁ ନେଇ ଚାଷୀ ଅସନ୍ତୋଷ ଦେଖାଦେଇଛି। ବିଗତ ବର୍ଷରେ ମାସେ ପୂର୍ବରୁ ମଣ୍ଡି ପ୍ରସ୍ତୁତି ହେଉଥିବା ବେଳେ ଚଳିତବର୍ଷ ନଭେମ୍ବର ୧୦ସୁଦ୍ଧା ଆରଏମ୍ସି ପକ୍ଷରୁ ମଣ୍ଡି ପ୍ରସ୍ତୁତି ନିମନ୍ତେ ସେଭଳି କୌଣସି ତତ୍ପରତା ପରିଲକ୍ଷିତ ହେଉନାହିଁ। ମଣ୍ଡି ଶୁଭାରମ୍ଭ ପାଇଁ ମାତ୍ର ୧୦ରୁ ୧୫ ଦିନ ଥିବାରୁ ଏତେ କମ୍ ଦିନରେ କିଭଳି ମଣ୍ଡି ପ୍ରସ୍ତୁତି ହେବ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଏହାଛଡ଼ା ଗ୍ରେଡିଂ ଇକ୍ୟୁପମେଣ୍ଟ (ଆବଶ୍ୟକ ସରଞ୍ଜାମ) ଯାଞ୍ଚ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇ ନ ଥିବାରୁ ଆରଏମ୍ସିର କାର୍ଯ୍ୟଦକ୍ଷତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଆରଏମ୍ସି ଅଧୀନରେ ଥିବା ଓଜନ କଣ୍ଟାଗୁଡିକ ଏପର୍ଯ୍ୟନ୍ତ ଯାଞ୍ଚ ହୋଇ ନ ଥିବାରୁ କିଭଳି ମଣ୍ଡି ଆରମ୍ଭ ହେବ ସେନେଇ ଚାଷୀ ସନ୍ଦିହାନରେ ପଡ଼ିଛନ୍ତି।
ଧାନକ୍ରୟର ଯଥେଷ୍ଟ ପୂର୍ବରୁ ଚାଷୀ, ଚାଷୀ ପ୍ରତିନିଧି, କ୍ରୟକାରୀ ସଂସ୍ଥା ଓ ସରକାରୀ ଅଧିକାରୀଙ୍କୁ ନେଇ ବ୍ଲକୱାରି ଆଭ୍ୟନ୍ତରୀଣ ସମନ୍ବୟ ବୈଠକ ହେବାର ସରକାରୀ ପ୍ରାବଧାନ ରହିଛି। ହେଲେ ଆରଏମ୍ସି ପକ୍ଷରୁ ସେଭଳି କୌଣସି ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇନାହିଁ।
ବିଗତ ବର୍ଷରେ ସଚେତନତା ରଥ ମାଧ୍ୟମରେ ଚାଷୀଙ୍କୁ ସଚେତନ କରାଯାଇଥିବା ବେଳେ ଚଳିତବର୍ଷ ଅଦ୍ୟାବଧି ଏ ଦିଗରେ କୌଣସି ପଦକ୍ଷେପ ନିଆଯାଇ ନ ଥିବା ଦେଖିବାକୁ ମିଳିଛି। ମଣ୍ଡି ସଫେଇ, ଟେଣ୍ଟ, ଜଗୁଆଳି, ବିଦ୍ୟୁତ୍ ସଂଯୋଗ, ପାଣି, ତାର୍ପୋଲିନ, ଆବଶ୍ୟକ ଯନ୍ତ୍ରପାତି, ସିସି କ୍ୟାମେରା ବ୍ୟବସ୍ଥା ନେଇ ଆଦୌ କୌଣସି ପ୍ରସ୍ତୁତି ହୋଇ ନ ଥିବା ବେଳେ କୁଚିଣ୍ଡା ଓ ଜମନକିରାରେ ଥିବା ଦୁଇଟି ୱେ ବ୍ରିଜ ମଧ୍ୟ ଯାଞ୍ଚ ହୋଇନାହିଁ।
ଚଳିତ ବର୍ଷ ଭଲ ବର୍ଷା ଓ ଅନୁକୂଳ ପାଗ ଯୋଗୁ ଭଳ ଫସଲ ହୋଇଥିଲେ ହେଁ ଆରଏମ୍ସିର ଖାମଖିଆଲି ମନୋଭାବକୁ ନେଇ ଚାଷୀ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।
ଏ ସମ୍ପର୍କରେ ଆରଏମସି ସମ୍ପାଦକ ସୁଧୀର କୁମାର ନାଏକଙ୍କୁ ପଚାରିବାରେ ମଣ୍ଡି ସଫେଇ କାମ ଚାଲିଛି। ଆଇଇସି ଓ ଆଭ୍ୟନ୍ତରୀଣ ସମନ୍ବୟ ବୈଠକ ଖୁବ୍ଶୀଘ୍ର କରାଯିବ। ଏଥି ସହ ଯନ୍ତ୍ରପାତି ଏବଂ ୱେ ବ୍ରିଜ ଯାଞ୍ଚ ନିମନ୍ତେ ଚିଠି କରାଯାଇଥିବା ସେ କହିଛନ୍ତି।
Dharitri – Odisha’s No.1 Odia Daily