ସ୍କୁଲରେ ପ୍ରଶ୍ନପତ୍ର ପହଞ୍ଚିବାରେ ହେଉଛି ବିଳମ୍ୱ: ପରୀକ୍ଷା ଦେବାକୁ ଆସି ବସି ରହୁଛନ୍ତି ଛାତ୍ରୀଛାତ୍ର

ଗୋପ,୧୦ା୩(ଭାରତୀ ଭୂଷଣ ଉପାଧ୍ୟାୟ): ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ସୋମବାରଠାରୁ ବାର୍ଷିକ ପରୀକ୍ଷା ଆରମ୍ଭ ହୋଇଛି। ହେଲେ ପୁରୀ ଜିଲା ଗୋପ ବ୍ଲକର ବିଭିନ୍ନ ସ୍କୁଲରେ ବିଳମ୍ୱରେ ପ୍ରଶ୍ନପତ୍ର ପହଞ୍ଚି ଥିବାରୁ ପରୀକ୍ଷା ବିଳମ୍ୱରେ ହୋଉଥିବା ଭଳି ଅଭିଯୋଗ ହୋଇଛି। ପ୍ରକାଶ ଯେ, ଗୋପ ବ୍ଲକର ୨୦ଟି କ୍ଲଷ୍ଟର ଅଧୀନରେ ଥିବା ବିଭିନ୍ନ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକରେ ବାର୍ଷିକ ପରୀକ୍ଷା ୯ରୁ ଆରମ୍ଭ ହୋଇ ୧୩ ତାରିଖରେ ଶେଷ ହେବ ବୋଲି ଜଣାପଡ଼ିଛି। କିନ୍ତୁ ସରକାରୀ ନିୟମ ଅନୁସାରେ ସମସ୍ତ ସ୍କୁଲରେ ପ୍ରଶ୍ନପତ୍ର ପହଞ୍ଚିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଥିବା ବେଳେ ଆବଶ୍ୟକ ଅନୁଯାୟୀ ମନିଟରିଂ ନ ଥିବାରୁ ଏପରି ଅବ୍ୟବସ୍ଥା ହୋଇଥିବା ଜଣାପଡ଼ିଛି।
ସରକାରୀ ନିୟମ ଅନୁସାରେ ସକାଳ ୭ଟାରେ ପରୀକ୍ଷା ହେବାର ସୂଚି ଥିବାବେଳେ ବିଳମ୍ୱରେ ଅନେକ ସ୍କୁଲରେ ପ୍ରଶ୍ନପତ୍ର ପହଞ୍ଚିବା ଯୋଗୁ ପରୀକ୍ଷା ବିଳମ୍ୱରେ ହୋଇଛି। ବିଶେଷ କରି ସକାଳୁ ପରୀକ୍ଷା ହେଉଥିବାରୁ ଅନେକ ଶିକ୍ଷକ, ଶିକ୍ଷୟିତ୍ରୀ ବିଳମ୍ୱରେ ସ୍କୁଲ ଆସିବା ଓ କେତେକ ସ୍କୁଲରେ ପ୍ରଧାନଶିକ୍ଷକ ବିନା ଛୁଟି ଦରଖାସ୍ତରେ ରହିବା ଭଳି ଅଭିଯୋଗ ହୋଇଛି। ଗୋପ ବ୍ଲକ ଶିକ୍ଷାଧିକାରୀ ଅଧୀନ ମଦ୍ରାସା ଇସଲାମିଆ ବିଦ୍ୟାଳୟର ପ୍ରଧାନଶିକ୍ଷକ ସ୍କୁଲ ନ ଆସିବା ନେଇ ଅଭିଯୋଗ ହେବାପରେ ମାତ୍ର ୫ ମିନିଟ୍‌ ମଧ୍ୟରେ ସାଧନା କେନ୍ଦ୍ର ସଂଯୋଜକ ପହଞ୍ଚି ତଦନ୍ତ କରିଥିବା ଜଣାପଡ଼ିଛି।
ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଦୀର୍ଘଦିନ ଧରି ବ୍ଲକ ଶିକ୍ଷା ଅଧିକାରୀ, ଅତିରିକ୍ତ ଶିକ୍ଷା ଅଧିକାରୀ ସହିତ ଆଉ କେତକ ପଦବୀ ଖାଲି ପଡ଼ିବା ଫଳରେ ଏପରି ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଆବଶ୍ୟକ ମନିଟରିଂ ଯୋଗୁ ଏପରି ଅବସ୍ଥା ଦେଖାଦେଇଥିବା ଜଣାପଡ଼ିଛି। ଅଭିଯୋଗକୁ ନେଇ ବ୍ଲକ ଶିକ୍ଷା ଅଧିକାରୀ ଦାୟିତ୍ୱରେ ଥିବା ଅମିତା ସେନାପତି କହିଛନ୍ତି, ସକାଳ ସମୟରେ ପରୀକ୍ଷା ହେଉଥିବାରୁ କିଛି ମିନିଟ୍‌ ପ୍ରଶ୍ନପତ୍ର ଡେରି ହୋଇପାରେ। କିନ୍ତୁ ଦାୟିତ୍ୱରେ ଥିବା ଶିକ୍ଷକ, ଶିକ୍ଷୟିତ୍ରୀମାନେ ସମୟ ଅନୁସାରେ ସ୍କୁଲ ଆସିବା ଦରକାର ବୋଲି କହିବା ସହ ଅଭିଯୋଗ ଉପରେ ଗୁରୁତ୍ୱ ଦେବେ ବୋଲି ସେ କହିଛନ୍ତି।

Share