ଶରୀରରେ ଜଳୀୟ ଅଂଶ କମିଲେ ଦେଖାଦିଏ ଏସବୁ…

ବିଭିନ୍ନ କାରଣରୁ ଅନେକ ଲୋକଙ୍କର ପାଟିରେ ଘା’ ହୋଇଥାଏ। ବେଳେବେଳେ ଏହି ଘା’ ବଡ଼ ହୋଇ କ୍ୟାନ୍‌ସରର ରୂପେ ନିଏ। ସେଥିପାଇଁ ପାଟିରେ ଘା’ ହେଲେ ତାହାକୁ ହାଲୁକା ଭାବରେ ନିଅନ୍ତୁ ନାହିଁ। ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରି ଚିକିତ୍ସା କରାଇ ନିଅନ୍ତୁ। କାରଣ ଏହାକୁ ଅବହେଳା କଲେ ତାହା ପରବର୍ତ୍ତୀ ସମୟରେ ସ୍ବାସ୍ଥ୍ୟ ସମସ୍ୟାକୁ ଡାକି ଆଣିଥାଏ। ତେବେ ପାଟିରେ ଘା’ ହେବାର ଅନେକ କାରଣ ରହିଛି। ବିଶେଷଭାବରେ ଯଦି ଆପଣଙ୍କ ଶରୀରରେ ଜଳୀୟ ଅଂଶ ଅସନ୍ତୁଳିତ ରହେ ତେବେ ଏଭଳି ସମସ୍ୟା ଦେଖାଯିବାର ଆଶଙ୍କା ରହିଛି। ଯେତେବେଳେ ଶରୀରରେ ଭିଟାମିନ୍‌ ବି ଯୁକ୍ତ ଉପାଦାନ (ବି-୧, ବି-୨, ବି-୩ ଏବଂ ବି-୬) ଅଭାବ ଘଟେ ସେତେବେଳେ ପାଟିରେ ଘା’ ହୋଇଥାଏ। ଅନ୍ୟପକ୍ଷରେ ଜିଭ ଅଧିକାଂଶ ସମୟ ଶୁଖିଲା ରହିଲେ କିମ୍ବା ପାଟିରୁ କମ୍‌ ଲାଳ ବାହାରିଲେ ଏପରି ସମସ୍ୟା ଦେଖାଦେଇଥାଏ। ବେଳେବେଳେ ଅତ୍ୟଧିକ ରାଗ ଏବଂ ମସଲାଯୁକ୍ତ ଖାଦ୍ୟ ଖାଇବା ମଧ୍ୟ କେତେକାଂଶରେ ଏଥିପାଇଁ ଦାୟୀ। ସବୁଠାରୁ ଗୁରତ୍ୱପୂର୍ଣ୍ଣ କଥା ହେଲା ନିଶାଦ୍ରବ୍ୟ ସେବନ ଏକ ଅଭ୍ୟାସରେ ପରିଣତ ହୋଇଗଲେ ପାଟିରେ ଘା’ ହୁଏ ଏପରିକି ଠିକ୍‌ ସମୟରେ ଚିକିତ୍ସା ନ କଲେ ତାହା କ୍ୟାନ୍ସରରେ ପରିଣତ ହେବାର ଯଥେଷ୍ଟ ଆଶଙ୍କା ରହିଛି। ତେଣୁ ନିଶା ଦ୍ରବ୍ୟଠାରୁ ଯଥାସମ୍ଭବ ଦୂରେଇ ରୁହନ୍ତୁ।

Share