ଭାଜପା-ବିଜେଡିର ଖେଳ ବିଗାଡ଼ିବ ଡିଫାଇନ କଳାହାଣ୍ଡି, ଉପ ନିର୍ବାଚନରେ ନିଶ୍ଚିତ ଦେବ ପ୍ରାର୍ଥୀ!

ନୂଆପଡ଼ା,୧୩।୧୦, (ମକାରୁ ବେମାଲ): ନୂଆପଡ଼ା ଉପନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ପରିବେଶ ସେତିକି ଉଷ୍ଣ ହେବାରେ ଲାଗିଛି। ନୂଆପଡା ଦିବଙ୍ଗତ ବିଧାୟକଙ୍କ ପୁଅ ଜୟ ଢୋଲକିଆ ଭାଜପାରେ ଯୋଗ ଦେଇଛନ୍ତି। ତେଣୁ ଉପ ନିର୍ବାଚନ ଅଙ୍କ ପୂରା ବଦଳି ଯାଇଛି। ବର୍ତ୍ତମାନ ଭାଜପା ଓ ବିଜେଡି ପ୍ରାର୍ଥୀ କିଏ ହେବେ ତାକୁ ନେଇ କଳ୍ପନା ଜଳ୍ପନା ଜାରି ରହିଛି। ଏହାରି ଭିତରେ ବିଜେଡିକୁ ପୂର୍ବତନ ସଭାପତି ପ୍ରସନ୍ନ ପାଢ଼ୀ ଫେରିବା ନେଇ ଆଶଙ୍କା କରାଯାଉଛି । ଅନ୍ୟପଟେ ଡିଫାଇନ କଳାହାଣ୍ଡି ନିର୍ବାଚନରେ ନିଜ ପ୍ରାର୍ଥୀ ଦେବା ଆଶଙ୍କା କରାଯାଉଛି । ସୂଚନାଯୋଗ୍ୟ, ୯୦ ଦଶକରେ ଡିଫାଇନ କଳାହାଣ୍ଡିର ସଂସ୍ଥାପକ ମଧୁ ମହାନ୍ତି ଭବାନୀପାଟଣାରେ କଳାହାଣ୍ଡି ମୁକ୍ତି ମୋର୍ଚ୍ଚା ଗଠନ କରି କଳାହାଣ୍ଡି ରାଜନୀତିରେ ହଇଚଇ ସୃଷ୍ଟି କରିଥିଲେ। ବର୍ତ୍ତମାନ ସମୟରେ ସେ ଡିଫାଇନ କଳାହାଣ୍ଡି ଜରିଆରେ କଳାହାଣ୍ଡି ଓ ନୂଆପଡ଼ା ଜିଲାରେ ସକ୍ରିୟ ରହିଛନ୍ତି। ଉପନିର୍ବାଚନକୁ ଦୃଷ୍ଟିରେ ରଖି ବର୍ତ୍ତମାନ ସମୟରେ ଡିଫାଇନ କଳାହାଣ୍ଡିର କର୍ମକର୍ତ୍ତା ନୂଆପଡ଼ାରେ ନିଜ ସଂଗଠନ ମଜବୁତ କରିବା ପାଇଁ ଗାଁକୁ ଗାଁ ବୁଲୁଛନ୍ତି। ଶୀଘ୍ର ମଧୁ ମହାନ୍ତି ନୂଆପଡ଼ା ଆସି ବିଶାଳ ସମାବେଶ କରିବେ ବୋଲି ଜଣାପଡ଼ିଛି ।

 

Dharitri – Odisha’s No.1 Odia Daily