Tour de France 2020 - 107th Edition - 9th stage Pau - Laruns 153 km - 06/09/2020 - Egan Bernal COL - Ineos Grenadiers CYCLISME : Tour de France - Etape 9 - Pau a Laruns - 06/09/2020 LucaBettini/Panoramic PUBLICATIONxNOTxINxFRAxITAxBEL
ଗ୍ରେନୋବଲ(ଫ୍ରାନ୍ସ), ୧୭।୯(ଏପି): ଫ୍ରାନ୍ସରେ ପ୍ରତିବର୍ଷ ଆୟୋଜିତ ହେଉଥିବା ବହୁ ପର୍ଯ୍ୟାୟ ବିଶିଷ୍ଟ ପୁରୁଷ ସାଇକେଲ ରେସ୍ ଟୁର୍ ଡି ଫ୍ରାନ୍ସରୁ ଓହରିଯାଇଛନ୍ତି ଗତଥରର ଚାମ୍ପିୟନ ଇଗାନ ବେର୍ନାଲ। ଆଲ୍ପସ୍ରେ ଆୟୋଜିତ ହେବାକୁ ଥିବା ରେସ୍ର ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ପୂର୍ବରୁ ସେ ଓହରିଯାଇଛନ୍ତି ବୋଲି ତାଙ୍କ ଇନୋଓସ୍ ଗ୍ରେନାଡିଏର୍ସ ଟିମ୍ ବୁଧବାର ସୂଚନା ଦେଇଛି। ପିଠିରେ ଯନ୍ତ୍ରଣା କାରଣରୁ ସେ ଓହରିଯାଇଛନ୍ତି ବୋଲି କୁହାଯାଇଛି। ୨୩ ବର୍ଷୀୟ ଏହି ରାଇଡର ଜୁରା ପର୍ବତମାଳାରେ ଗତ ସପ୍ତାହରେ ଆୟୋଜିତ ପର୍ଯ୍ୟାୟରେ ବେଶ୍ ସଂଘର୍ଷ କରୁଥିବାର ଲକ୍ଷ୍ୟ କରାଯାଇଥିଲା। ଏଥିରେ ସେ ୭ ମିନିଟ୍ରୁ ଊର୍ଦ୍ଧ୍ୱ ଡ୍ରପ୍ କରିଥିଲେ।
ମୋଟ ଉପରେ ସେ ୧୬ତମ ସ୍ଥାନରେ ରହିଥିଲେ। ସବୁଠାରୁ ଆଗରେ ଥିବା ରେସ୍ ଲିଡର ପ୍ରିମୋଜ ରୋଗ୍ଲିକ୍ଙ୍କଠାରୁ ସେ ୧୯ ମିନିଟ୍ ୪ ସେକେଣ୍ଡ ପଛରେ ରହିଥିଲେ। ଏଭଳି ଅବସ୍ଥାରେ ଟୁର୍ ଡି ଫ୍ରାନ୍ସରୁ ଓହରିବାକୁ ଚାହୁଁ ନ ଥିଲେ ମଧ୍ୟ ଠିକ୍ ନିଷ୍ପତ୍ତି ନେଇଛି ବୋଲି ବର୍ନାଲ କହିଛନ୍ତି। ଟୁର ଡି ଫ୍ରାନ୍ସ ପ୍ରତି ମୋର ଯଥେଷ୍ଟ ସମ୍ମାନ ରହିଛି। ଆଗାମୀ ବର୍ଷଗୁଡିକରେ ଏହି ରେସ୍କୁ ପ୍ରତ୍ୟାବର୍ତ୍ତନ କରିବି ବୋଲି ବର୍ନାଲ କହିଛନ୍ତି।
ଗତବର୍ଷ ପ୍ରଥମ କଲମ୍ବିଆ ରେସର ଭାବେ ବର୍ନାଲ ଟୁର୍ ଡି ଫ୍ରାନ୍ସ ଜିତି ଇତିହାସ ସୃଷ୍ଟି କରିଥିଲେ। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ସେ ସର୍ବ କନିଷ୍ଠ ରେସର ଭାବେ ଏହି ସଫଳତା ପାଇଥିଲେ। ଖୁବ୍ଶୀଘ୍ର ସେ ଆଘାତ ସମସ୍ୟାରୁ ମୁକୁଳି ପ୍ରତ୍ୟାବର୍ତ୍ତନ କରିବେ ବୋଲି ତାଙ୍କ ଟିମ୍ ତରଫରୁ କୁହାଯାଇଛି।