ଓ୍ବାଶିଂଟନ,୨୯।୧: ଚାଇନାର ଷ୍ଟାର୍ଟଅପ୍ କମ୍ପାନୀ ଡିପ୍ସିକ୍ ଏକ ଗେମ୍ ଚେଞ୍ଜିଙ୍ଗ୍ ଏଆଇ ମଡେଲ୍ ଉନ୍ମୋଚନ କରିଛି। କମ୍ପାନୀର ଏହି ସ୍ବଳ୍ପ ମୂଲ୍ୟ ଏବଂ ଉଚ୍ଚ ପ୍ରଦର୍ଶନକାରୀ ଟେକ୍ନୋଲୋଜି ଓ୍ବାଲ୍ଷ୍ଟ୍ରିଟ୍ରେ ଆତଙ୍କ ଖେଳାଇଛି। ମଙ୍ଗଳବାର ଗୋଟିଏ ଦିନରେ ଆମେରିକୀୟ ଷ୍ଟକ୍ ଏକ୍ସଚେଞ୍ଜ ନାସ୍ଡାକ୍ର ବଜାର ମୂଲ୍ୟ ୧ ଟ୍ରିଲିୟନ ଡଲାର ହ୍ରାସ ପାଇଛି। ଏଆଇରେ ରହିଆସିଥିବା ଆମେରିକା ଆଧିପତ୍ୟର ସ୍ଥାୟିତ୍ୱକୁ ନେଇ ଆଶଙ୍କା ପ୍ରକାଶ ପାଇଛି।
ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଭିତ୍ତିଭୂମିର କେନ୍ଦ୍ର ବିବେଚନା କରାଯାଉଥିବା ଆମେରିକୀୟ ଚିପ୍ ନିର୍ମାତା ଏନ୍ଭିଡିଆକୁ ସବୁଠୁ ବଡ଼ ଝଟ୍କା ଲାଗିଛି। ଗୋଟିଏ ଦିନରେ ଏହି କମ୍ପାନୀର ଶେୟାର ମୂଲ୍ୟ ୧୭ ପ୍ରତିଶତ ହ୍ରାସ ପାଇବାରୁ ଏହା ପାଖାପାଖି ୬୦୦ ବିଲିୟନ ଡଲାର ହରାଇଛି, ଯାହା କି ଷ୍ଟକ୍ମାର୍କେଟ ଇତିହାସରେ ଗୋଟିଏ ଦିନରେ ସର୍ବାଧିକ ବଜାର ମୂଲ୍ୟ ହ୍ରାସ। ନାସ୍ଡାକ୍ କମ୍ପୋଜିଟ୍ ୩.୧ ପ୍ରତିଶତ ହ୍ରାସ ପାଇଥିବାବେଳେ ଗୁଗଲର ମୂଳ କମ୍ପାନୀ ଆଲ୍ଫାବେଟ୍ ୧୦୦ ବିଲିୟନ ଡଲାର ଏବଂ ମାଇକ୍ରୋସଫ୍ଟ ୭ ବିଲିୟନ ଡଲାର ହରାଇଛି। ଏଆଇ ଆଧିପତ୍ୟ ପାଇଁ ଆମେରିକା ଏବଂ ଚାଇନା ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତାର ଏକ ନିର୍ଣ୍ଣାୟକ ମୁହୂର୍ତ୍ତ ବୋଲି କୁହାଯାଉଛି।
ଚାଇନାର ଡିପ୍ସିକ୍ ଗତ ସପ୍ତାହରେ ମାଗଣା ଏଆଇ ଆସିଷ୍ଟାଣ୍ଟ ଲଞ୍ଚ୍ କରିଥିଲା। ବର୍ତ୍ତମାନ ଉପଲବ୍ଧ ସେବା ମୂଲ୍ୟର ତୁଳନାରେ ଡିପ୍ସିକ୍ର ଏହି ସେବା ଯଥେଷ୍ଟ କମ୍ ମୂଲ୍ୟରେ ମିଳିବା ସହ ଖୁବ୍ କମ୍ ଡେଟା ବ୍ୟବହାର ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଥିଲା, ଯାହାକି ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଥିଲା। ଏପରିକି ଓପନ୍ଏଆଇ ସିଇଓ ସାମ୍ ଅଲ୍ଟମାନ୍ ମଧ୍ୟ ଡିପ୍ସିକ୍ର ପ୍ରଶଂସା କରିଛନ୍ତି। ଏହା ଏକ ପ୍ରଭାବଶାଳୀ ମଡେଲ ବୋଲି ଅଲ୍ଟମାନ୍ କହିଥିବାବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏହାକୁ ସେଠାର ଶିଳ୍ପସଂସ୍ଥାଗୁଡ଼ିକ ପାଇଁ ଜାଗରଣର ଏକ ଆହ୍ବାନ ବୋଲି କହିଛନ୍ତି। ନୂଆ ପ୍ରତିଦ୍ୱନ୍ଦ୍ୱୀ ଆସିଥିବାରୁ ଆମକୁ ନିଶ୍ଚିତ ଭାବେ ଏହାଠାରୁ ଉନ୍ନତ ମଡେଲ ଆଣିବାକୁ ହେବ ବୋଲି ଚାଟ୍ଜିପିଟି ପଛରେ ଥିବା ଏଆଇ ସଂସ୍ଥାର ମୁଖ୍ୟ ଅଲ୍ଟମାନ୍ ଏକ ସୋସିଆଲ ମିଡିଆ ପୋଷ୍ଟରେ ଲେଖିଛନ୍ତି।
ଡିପ୍ସିକ୍ର ଏଆଇ ଆସିଷ୍ଟାଣ୍ଟ ଲଞ୍ଚ ହେବା ପରେ ଏହି ଫ୍ରି ଆପ୍ ସୋମବାର ଆପଲ୍ ଆଇଫୋନ୍ ଷ୍ଟୋରରେ ସର୍ବାଧିକ ଡାଉନ୍ଲୋଡ ହୋଇଛି। ଏଆଇ ଟେକ୍ନୋଲୋଜି ବିକାଶରେ ଆମେରିକା ଏବଂ ଚାଇନା ମଧ୍ୟରେ ଅର୍ଥନୈତିକ ଏବଂ ଭୂରାଜନୈତିକ ପ୍ରତିଦ୍ୱନ୍ଦ୍ୱିତା ବିତର୍କ ଜୋର୍ଦାର ହୋଇଛି। ଆମେରିକୀୟ ଏଆଇ ଅଧିକ ବ୍ୟୟସାପେକ୍ଷ ହୋଇଥିବାବେଳେ ଚାଇନାର ଏହି ସେବା କମ୍ ମୂଲ୍ୟରେ ଉପଲବ୍ଧ ହେବାକୁ ଯାଉଛି। ଏହା ଆମେରିକୀୟ ପ୍ରଯୁକ୍ତି କମ୍ପାନୀଗୁଡ଼ିକୁ ଚିନ୍ତାରେ ପକାଇଛି। ଏଆଇକୁ ଅଧିକ ଆଧୁନିକ କରିବା ଦିଗରେ ସେମାନେ ବ୍ୟାପକ ପୁଞ୍ଜିନିବେଶ ପାଇଁ ଯୋଜନା କରୁଥିବା ଜଣାପଡ଼ିଛି।