Categories: Home Leftଖେଳ

ଦୀପିକା, ସାଲୁଙ୍ଖେଙ୍କୁ ବ୍ରୋଞ୍ଜ, ଭାରତକୁ ୭ ପଦକ

ଶାଙ୍ଘାଇ,୧୧ା୫: ଭାରତର ସବୁଠୁ ସଫଳ ତୀରନ୍ଦାଜ ଦୀପିକା କୁମାରୀ ଓ ପାର୍ଥ ସାଲୁଙ୍ଖେ ଆର୍ଚେରୀ ଓ୍ବାଲର୍‌ଡକପ୍‌ ଷ୍ଟେଜ-୨ରେ ରବିବାର ବ୍ରୋଞ୍ଜ ପଦକ ଜିତିଛନ୍ତି। ଏଥିସହିତ ଟୁର୍ନାମେଣ୍ଟରେ ଭାରତ ମୋଟ ୭ ପଦକ ସହ ଅଭିଯାନ ଶେଷ କରିଛି। ଏଥିପୂର୍ବରୁ କମ୍ପାଉଣ୍ଡ ତୀରନ୍ଦାଜମାନେ ୫ଟି ପଦକ ଜିତିଥିଲେ। ଦୀପିକା ମହିଳା ରିକର୍ଭ ବ୍ୟକ୍ତିଗତ ସେମିଫାଇନାଲରେ ଅଲିମ୍ପିକ ଚାମ୍ପିୟନ ଲିମ ଶିହେଅନଙ୍କଠାରୁ ୧-୭ ବ୍ୟବଧାନରେ ପରାଜିତ ହୋଇଥିଲେ। ଏହାପରେ ବ୍ରୋଞ୍ଜ ପଦକ ମ୍ୟାଚ୍‌ରେ ୩୦ ବର୍ଷୀୟା ୪ ଥରର ଅଲିମ୍ପିଆନ ୭-୩ ବ୍ୟବଧାନରେ କୋରିଆର କାଙ୍ଗ ଚାଏ ୟଙ୍ଗଙ୍କୁ ହରାଇଛନ୍ତି। ପୁରୁଷ ବିଭାଗରେ ୨୧ ବର୍ଷୀୟ ସାଲୁଙ୍ଖେ ସେମିଫାଇନାଲରେ ଟପ ସିଡ୍‌ କୋରିଆର କିମ୍ବଦନ୍ତୀ କିମ୍‌ ଉଜିନଙ୍କଠାରୁ ୧-୭ରେ ପରାଜିତ ହୋଇଥିଲେ। ବ୍ରୋଞ୍ଜ ପଦକ ପ୍ଲେଅଫ ମ୍ୟାଚ୍‌ରେ ସେ ୬-୪ ବ୍ୟବଧାନରେ ଫ୍ରେଞ୍ଚ ଆର୍ଚର ବାପ୍ଟିଷ୍ଟେ ଆଡିସଙ୍କୁ ପରାସ୍ତ କରିଥିଲେ।