ଦେବଗଡ,୨୩।୧୦(ଶଶାଙ୍କ ଶେଖର ଝାଙ୍କର): ନୂତନ କୋଠାକୁ ଦେବଗଡ ଜିଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର ହେବା ଦିନଠାରୁ ପୁରୁଣା ଡାକ୍ତରଖାନାରେ ୨୪ ଘଣ୍ଟିଆ ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ ଦାବି ହୋଇ ଆସୁଛି । ଦେବଗଡ ଜିଲା ଯୁବ ଏକତା ମଞ୍ଚର ଆହ୍ବାନ କ୍ରମେ ବିଭିନ୍ନ ସଙ୍ଗଠନ ଏବଂ ରାଜନୈତିକ ଦଳ ସମେତ ବିଜେଡିରୁ ପ୍ରତିନିଧିତ୍ୱ କରୁଥିବା ଦେବଗଡ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ ଦୃଢ ସମର୍ଥନ ଦେଇ ଆସୁଛନ୍ତି । ମାତ୍ର ମଙ୍ଗଳବାର ଦେବଗଡ ଜିଲା ଭାଜପା ସଭାପତି ଅରୁଣ ସାହୁଙ୍କ ଅଧ୍ୟକ୍ଷତାରେ ଭାଜପା ଏକ ଖବରଦାତା ସମ୍ମିଳନୀ କରି ବିଧାୟକ ବିଶ୍ୱାଳ ଶସ୍ତା ଲୋକପ୍ରିୟତା ପାଇଁ ଲୋକଙ୍କୁ ଉସକାଇ ହୀନ ରାଜନୀତି କରୁଥିବା ଅଭିଯୋଗ କରିଥିଲା । ତେବେ ଭାଜପା ର ଏଭଳି ଅଭିଯୋଗକୁ ଦେବଗଡ ଜିଲା ଯୁବ ଏକତା ମଞ୍ଚ ପକ୍ଷରୁ ଖଣ୍ଡନ କରାଯାଇଛି ।
ସ୍ଥାନୀୟ ଗୋପାଳଜୀଉ ମନ୍ଦିର ପ୍ରାଙ୍ଗଣରେ ଜିଲା ଯୁବ ଏକତା ମଞ୍ଚ ପକ୍ଷରୁ ଏକ ଖବରଦାତା ସମ୍ମିଳନୀ କରାଯାଇ ସୂଚନା ଦିଆଯାଇଛି । ମଞ୍ଚ ପକ୍ଷରୁ କୁହାଯାଇଛି ଯେ, ପୁରୁଣା ଡାକ୍ତରଖାନାରେ ୨୪ ଘଣ୍ଟିଆ ସ୍ବାସ୍ଥ୍ୟସେବା କେବଳ ଆମର ଦାବି । ଏହାକୁ ଯେ କୌଣସି ରାଜନୈତିକ ଦଳ କିମ୍ବା ବ୍ୟକ୍ତିବିଶେଷ ସମର୍ଥନ କଲେ ମଂଚ ତାଙ୍କୁ ସୱାଗତ ଜଣାଇବ । କୌଣସି ବ୍ୟକ୍ତି ବିଶେଷଙ୍କର ପ୍ରରୋଚନାରେ ମଞ୍ଚ ଆନ୍ଦୋଳନକୁ ଓହ୍ଲାଇ ନାହିଁ । ଭାଜପା ଶସ୍ତା ରାଜନୀତି ପାଇଁ ଲୋକଙ୍କ ସ୍ବାର୍ଥକୁ ଜଳାଞ୍ଜଳୀ ଦେଇ ଏଭଳି ହୀନ ମନ୍ତବ୍ୟ ରଖିଥିବା ଅଭିଯୋଗ କରାଯାଇଥିଲା । ଭାଜପା ମିଥ୍ୟା ଅପପ୍ରଚାର କରି ଆମର ମନୋବଳ ଏବଂ ଏକତାକୁ ଭଣ୍ଡୁର କରିବାକୁ ଚେଷ୍ଟା କରୁଛନ୍ତି । ମାତ୍ର ସେମାନେ ଫଳପ୍ରଦ ହେବେ ନାହିଁ ବୋଲି ପ୍ରକାଶ କରିଥିଲେ । ନୂତନ ଜିଲା ମୁଖ୍ୟ ଚିକିତ୍ସାଳୟ ସହର ଠାରୁ ପ୍ରାୟ ୬ କିମି ଦୂରକୁ ସ୍ଥାନାନ୍ତର ହୋଇଥିବା ବେଳେ ବିଜେଡିର ମନମାନି ପାଇଁ ଏଭଳି ହୋଇଥିବା ଭାଜପା ଅଭିଯୋଗ ଆଣିଥିଲା। ସେତେବେଳେ ଭାଜପା ଦଳର ବିଧାୟକ ଏବଂ ସାଂସଦ ଦେବଗଡରୁ ପ୍ରତିନିଧିତ୍ୱ କରୁଥିଲେ ହେଁ ସେମାନେ କାହିଁକି ମୁହଁ ଖୋଲିଲେ ନାହିଁ । ଏହା ସତ୍ତ୍ୱେ ଜିଲା ଯୁବ ଏକତା ମଞ୍ଚ କୌଣସି ଦଳକୁ ଆକ୍ଷେପ କରୁ ନ ଥିବା ବେଳେ ଭାଜପା କାହିଁକି କୁମ୍ଭୀର କାନ୍ଦଣା କାନ୍ଦୁଛି ବୋଲି କହିଥିଲେ । ପୂର୍ବତନ ବିଧାୟକ ମୌଖିକ ଭାବରେ ଡାକ୍ତରଖାନା ସ୍ଥାନାନ୍ତର ନକରିବାକୁ ଅଭିଯୋଗ କରିଥିବା କହୁଥିବା ବେଳେ ଲିଖିତ ଅଭିଯୋଗ କରିନଥିବାରୁ ତାଙ୍କ ମୁହଁରେ ଏହା ଶୋଭା ପାଉନାହିଁ ବୋଲି କୁହାଯାଇଥିଲା । ସବୁଠାରୁ ବଡ କଥା ହେଲା ଜିଲା ଯୁବ ଏକତା ମଂଚ ଯେତେବେଳେ ପୁରୁଣା ଡାକ୍ତରଖାନାରେ ସୱାସ୍ଥ୍ୟ ସେବା ପାଇଁ ଆନ୍ଦୋଳନକୁ ବାହାରିଲା ଭାଜପା ଦଳର ଜିଲା ସଭାପତି ଅରୁଣ ସାହୁ, ଭାରପ୍ରାପ୍ତ ପୌରାଧ୍ୟକ୍ଷ ପ୍ରଜିତ କୁମାର ଭୋଜ ସମେତ ବହୁ ନେତୃବୃନ୍ଦ ସମର୍ଥନ ଜଣାଇବା ସହିତ ବିଳମ୍ବରେ ଆନ୍ଦୋଳନରେ ସାମିଲ ହୋଇଥିବାରୁ କ୍ଷମା ପ୍ରାର୍ଥନା କରିଥିଲେ । କେବଳ ଏତିକି ନୁହେଁ ଉକ୍ତ ଦାବି ପାଇଁ ଜିଲା ନାଗରିକ କମିଟି ପ୍ରଥମେ ଏକ ବୈଠକ ଆୟୋଜନ କରିଥିଲା । ଏହି ବୈଠକର ମୁଖ୍ୟ ପୁରୋଧା କମିଟି ସଭାପତି ସୁଶିଲ କପରଦାର ଏବଂ ସମ୍ପାଦକ ସୁଧୀର କୁମାର କପରଦାର ରହିଥିଲେ । କିନ୍ତୁ ସୁଧୀର କପରଦାର କେଉଁ ସ୍ବାର୍ଥ ପାଇଁ ଏବେ ଆନ୍ଦୋଳନକୁ ବାରମ୍ବାର ଭଣ୍ଡୁର ପାଇଁ ଚେଷ୍ଟା କରୁଛନ୍ତି ବୋଲି ଜିଲା ଯୁବ ଏକତା ମଞ୍ଚ ପକ୍ଷରୁ ପ୍ରଶ୍ନ କରାଯାଇଥିଲା । ଏହି ଆନ୍ଦୋଳନ କୌଣସି ଦଳର ନୁହେଁ ବରଂ ଦେବଗଡିଆଙ୍କ ମାନ, ସମ୍ମାନ ଓ ହକର ଲଢେଇ ସେଥିପାଇଁ କାଦୁଅଫିଙ୍ଗା ରାଜନୀତି କରନ୍ତୁ ନାହିଁ ବୋଲି ପ୍ରକାଶ କରିଥିଲେ । ଜିଲା ଯୁବ ଏକତା ମଞ୍ଚର ଆବାହକ ସୁରଞ୍ଜିତ ମହାପାତ୍ର, ସ୍ବାଧୀନ କାଉନସିଲର ଧର୍ମେନ୍ଦ୍ର କୁମାର ଦେବତା, ପ୍ରଫୁଲ୍ଲ ନାୟକ, ରାଜେଶ ନାୟକ, ମାନସ ଦ୍ୱିବେଦୀଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ରହିଥିଲେ ।