ଦିଗପହଣ୍ଡି/ପାଟପୁର,୧୫।୯(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସାନଖେମୁଣ୍ଡି ତହସିଲ କାର୍ଯ୍ୟାଳୟରେ ଚାଲିଥିବା ସବରେଜିଷ୍ଟ୍ରି ପ୍ରକୋଷ୍ଠରେ ଜମି ରେଜିଷ୍ଟ୍ରେଶନ କରୁଥିବା ବେଳେ ଜଣେ ବୃଦ୍ଧ ମତ୍ୟୁବରଣ କରିଥିବା ଜଣାପଡିଛି। ସୋମବାର ଅପରାହ୍ନରେ ଏହି ଦୁଃଖଦ ଘଟଣା ଘଟିଛି। ମୃତକ ଜଣକ ହେଲେ ସାନଖେମୁଣ୍ଡି ବ୍ଲକ ଏସ.ଗୋପାଳପୁର ପଞ୍ଚାୟତ ପୁରୁଣାଗଡ ଗ୍ରାମର ବିପ୍ରଚରଣ ପାତ୍ର(୭୨)।
ତାଙ୍କ ନାଁରେ ଥିବା ପ୍ରାୟ ୨ ବିଘା ଜମିକୁ ନିଜ ସ୍ତ୍ରୀ ମଞ୍ଜୁଙ୍କ ନାଁରେ କବଲା କରିବାକୁ ସବ ରେଜିଷ୍ଟ୍ରି ଅଫିସକୁ ଆସିଥିଲେ। ବିକ୍ରୟ ଦଲିଲ ପ୍ରସ୍ତୁତ ହେବା ପରେ ଜଣେ କର୍ମଚାରୀ ତାଙ୍କ ଅଙ୍ଗୁଳି ଛାପ ନେଇଥିଲେ। ତାଙ୍କ ଆଇ ସ୍କାନ କରାଯାଉଥିବା ବେଳେ ସେ ଆକସ୍ମିକ ଭାବେ ଅଫିସ ପ୍ରକୋଷ୍ଠରେ ଟଳି ପଡ଼ିଥିଲେ। ସ୍ତ୍ରୀ ମଞ୍ଜୁ ଏବଂ ପରିବାର ଲୋକେ ତାଙ୍କୁ ଅଚେତ ଅବସ୍ଥାରେ ଆଡପଡ଼ା ଗୋଷ୍ଠୀ ସ୍ବସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଗତ ୨ ମାସ ପୂର୍ବେ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ଭୁବନେଶ୍ବରସ୍ଥିତ ଏକ ଘରୋଇ ଡାକ୍ତରଖାନା ରେ ଭର୍ତ୍ତି କରାଯାଇଥିଲା। ସାମାନ୍ୟ ସୁସ୍ଥ ହେବା ପରେ ସେ ଗାଁକୁ ଫେରିଥିଲେ ବୋଲି ତାଙ୍କ ସ୍ତ୍ରୀ କହିଛନ୍ତି। ସ୍ବାସ୍ଥ୍ୟକେନ୍ଦ୍ରରୁ ମୃତଦେହ ଗାଁକୁ ନିଆଯାଇ ସନ୍ଧ୍ୟାରେ ଶୋକାକୁଳ ପରିବେଶ ମଧ୍ୟରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଛି। ଏନେଇ ସବରେଜିଷ୍ଟ୍ରର ଦାୟିତ୍ୱରେ ଥିବା ତହସିଲଦାର ରାମଚନ୍ଦ୍ର ପଟ୍ଟନାୟକଙ୍କୁ ପଚାରିବାରେ ବୃଦ୍ଧ ଜଣକ ତାଙ୍କ ନାଁ ରେ ଥିବା ଚାଷ ଜମିକୁ ବିକ୍ରୟ ପାଇଁ ଅଫିସ ଆସିଥିଲେ। ଜମି ରେଜିଷ୍ଟ୍ରି ପୂର୍ବରୁ ସେ ଆକସ୍ମିକ ଭାବେ ଅଫିସ ପ୍ରକୋଷ୍ଠରେ ଟଳି ପଡ଼ିଥିଲେ। ତାଙ୍କୁଉଦ୍ଧାର କରାଯାଇ ସ୍ବାସ୍ଥ୍ୟକେନ୍ଦ୍ର ନିଆଯାଇଥିଲା। ପରେ ସେ ମୃତ୍ୟୁବରଣ କରିଥିବା ଜାଣିବାକୁ ପାଇଛନ୍ତି।