ସିଭିଲ୍ ସର୍ଭିସ ବୃତ୍ତିର ମୋହ ଅଧିକାଂଶ ଭାରତୀୟଙ୍କୁ ଏମିତି ଘାରିଛି ଯେ, ପିଲା ଟିକେ ଭଲ ମାର୍କ ରଖିଲେ ମାତାପିତା, ଅଭିଭାବକ ଓ ଶିକ୍ଷୟିତ୍ରୀଶିକ୍ଷକ ସେମାନଙ୍କୁ ଏଭଳି ମାର୍କାଦିଆ ପଦବୀ ପାଆନ୍ତୁ ବୋଲି ଆଶା କରୁଛନ୍ତି। ଜୀବନରେ ସ୍ବପ୍ନ ପୂରଣ କରିପାରି ନ ଥିବା ଅଭିଭାବକ ବର୍ଗ ପିଲାମାନଙ୍କ ମଧ୍ୟରେ ତାହାକୁ ସାକାର କରିବା ଦିଗରେ ଲାଗି ପଡ଼ୁଥିବାର ଅନେକ ଦୃଷ୍ଟାନ୍ତ ରହିଛି। ଏଇ ଯେମିତି ନିର୍ବାଚନ ଆସିଲେ ଅନେକ ସମୟରେ ଶୁଣିବାକୁ ମିଳିଥାଏ ‘ମୁଁ ମୋ ନେତା ବା ମାତାପିତାଙ୍କ ଅଧୁରା ସ୍ବପ୍ନକୁ ପୂରଣ କରିବି’। ଏଠି ଦଳର ନେତା କିମ୍ବା ରାଜନୀତିରେ ନିଜ ମାତାପିତା ସ୍ବର୍ଗବାସ କରିଥିଲେ ସେମାନଙ୍କ ଦାୟାଦଙ୍କ ମୁହଁରେ ଏଭଳି ଭାଷା ପୂରାଇ ଦିଆଯାଇ ନିର୍ବାଚନ ସଫଳତା କାମନା କରାଯାଇଥାଏ। କ୍ୱଚିତ ଶୁଭାକାଂକ୍ଷୀ ଥିବେ ଯେଉଁମାନେ ନୂଆ କରି କ୍ୟାରିୟର ଗଢ଼ିବାକୁ ଯାଉଥିବା ଆଶାୟୀଙ୍କୁ ଆଶ୍ୱାସନା ଦେଉଥିବେ ଯେ ‘ତୁ ତୋ ଦକ୍ଷତା ଅନୁଯାୟୀ ଯାହା ହେବାକୁ ଚାହୁଁଛୁ, ତା’ କର’। ଏଠି ଗୋଟେ କଥା ବରିଷ୍ଠ ବର୍ଗଙ୍କୁ କୁହାଯାଇପାରେ-ପିଲାମାନଙ୍କୁ ନିଜ ଭବିଷ୍ୟତ ନିଜେ ନିର୍ଣ୍ଣୟ କରିବାକୁ ଛାଡ଼ିଦିଆଯିବା ଉଚିତ।
ଏହି ସ୍ତମ୍ଭର ଏଭଳି ଉପକ୍ରମଣିକା ଅବତାରଣା ପଛରେ ଉତ୍ତର ପ୍ରଦେଶର ବିଜ୍ନୌର ଜିଲାରେ ଏମ୍ଟେକ୍ ଡିଗ୍ରୀ ହାସଲ କରିଥିବା ଜଣେ ବିଦ୍ୟାର୍ଥୀ ୩ ନଭେମ୍ବରରେ ଗଙ୍ଗା ନଦୀକୁ ଡେଇଁ ପଡ଼ିବା ଘଟଣାକୁ ଦର୍ଶାଉଛି। ୨୪ ବର୍ଷୀୟା ଲଳିତା ସିଂ ତାଙ୍କ ୧୩ ବର୍ଷୀୟା ଭଉଣୀଙ୍କ ସହ ଗଙ୍ଗା ବ୍ୟାରେଜ୍ ନିକଟକୁ ପ୍ରାତଃଭ୍ରମଣରେ ଯାଇଥିଲେ। ଭଉଣୀଙ୍କୁ ଫାଟକ ନମ୍ବର ୨୪ରେ ଅପେକ୍ଷା କରିବାକୁ କହି ତତ୍କ୍ଷଣାତ୍ ଗଙ୍ଗା ନଦୀକୁ ଡେଇଁ ପଡ଼ିଲେ। ତାଙ୍କୁ ଖୋଜାଖୋଜି କରାଯିବା ପରେ ସେ ମିଳି ନ ଥିଲେ। ଲଳିତାଙ୍କ ଏଭଳି ପଦକ୍ଷେପ ନେବା ସଂକ୍ରାନ୍ତରେ ତାଙ୍କ ପିତା କହିଛନ୍ତି ଯେ, ଝିଅ ଚଳିତ ବର୍ଷକୁ ମିଶାଇ ସିଭିଲ୍ ସର୍ଭିସ ପରୀକ୍ଷାରେ ତୃତୀୟ ଥର ପାଇଁ ଅକୃତକାର୍ଯ୍ୟ ହୋଇଥିଲେ। ପିତାଙ୍କ ଏତକ ସୂଚନା ଅନେକ କିଛି ବିଷୟକୁ ଦର୍ଶାଉଛି। ଆମେ ଏଠାରେ ବସି ପ୍ରକୃତ କାରଣ କହିବା କଷ୍ଟକର। କିନ୍ତୁ ପିତାଙ୍କ ପ୍ରତିକ୍ରିୟାକୁ ତର୍ଜମା କଲେ ନିଶ୍ଚିତ ଭାବେ ତାଙ୍କ ଝିଅ ସିଭିଲ୍ ସର୍ଭିସ ପ୍ରସ୍ତୁତି ଚାପରେ ରହିଆସିଥିବା ବୁଝାପଡ଼ୁଛି। ଆଇଆଇଟି କାନପୁରରୁ ଏମ୍ଟେକ୍ କରିଥିବା ଲଳିତା ନିଶ୍ଚିତ ଭାବେ ଜଣେ ମେଧାବୀ ଛାତ୍ରୀ। ଦୁଃଖର ବିଷୟ ଯେ ଲଳିତା ନିଜ ଜୀବନ ନେବା ସହିତ ଅନ୍ୟ ଜଣେ ଅଜଣା ପିଲାର ଆଇଆଇଟି ସ୍ବପ୍ନକୁ ଭାଙ୍ଗିଥିବେ। ଏଭଳି ସ୍ଥଳେ ଆଇଆଇଟି ଭଳି ଉଚ୍ଚ ଇଞ୍ଜିନିୟରିଂ ପ୍ରତିଷ୍ଠାନରୁ କୃତିତ୍ୱ ଅର୍ଜନ କରିଥିବା କିମ୍ବା ଡାକ୍ତରୀ ପାଠ ପଢ଼ିଥିବା ବିଦ୍ୟାର୍ଥୀଙ୍କୁ ସିଭିଲ୍ ସର୍ଭିସ ପରୀକ୍ଷା ଦେବାକୁ ବାରଣ କରାଯିବା ଦରକାର। ଏହା ବିରୋଧରେ ଯଦି ନାଗରିକର ସ୍ବାଧୀନତା ପ୍ରଶ୍ନ ଉଠେ ସେଭଳି ଛାତ୍ରୀଛାତ୍ର ସମ୍ପୃକ୍ତ ଅନୁଷ୍ଠାନକୁ ବିପୁଳ ପରିମାଣର ଆର୍ଥିକ କ୍ଷତିପୂରଣ ଦେବା ଲାଗି ନାମଲେଖା ସମୟରେ ଚୁକ୍ତି କରାଯିବା ଆବଶ୍ୟକ।
ସମସ୍ତେ ଜାଣନ୍ତି ଭାରତରେ ସିଭିଲ ସର୍ଭିସକୁ ଅତି ମାତ୍ରାରେ ଗ୍ଲୋରିଫାଏ ବା ମହିମାମଣ୍ଡିତ କଲା ଭଳି ଉଚ୍ଚ ସ୍ତରକୁ ନିଆଯାଇଥିବାରୁ ସେଥିପ୍ରତି ଆକର୍ଷଣ ଯଥେଷ୍ଟ ରହିଛି। ଦେଖିବାକୁ ଗଲେ କମ୍ବଳ ତଳେ ରହିଥିବା ସତ୍ୟତାକୁ ବୁଝିବା ଦରକାର। ଏହା ଆଜିର ଭାରତରେ କାହାଠାରେ ଲୁକ୍କାୟିତ ନାହିଁ। ସିଭିଲ ସର୍ଭିସ ଅର୍ଥାତ୍ ଆଇଏଏସ୍, ଆଇପିଏସ୍, ଆଇଏଫ୍ଏସ୍ ଇତ୍ୟାଦି ତିନି ଅକ୍ଷରିଆ ପଦବୀ ହାସଲ ପାଇଁ ମାତାପିତା ଏବଂ ପରିବାରବର୍ଗ ପିଲାଙ୍କୁ ବାଧ୍ୟ କରିବା ପଛରେ ମୂଳ କାରଣ ହେଲା ଅପର୍ଯ୍ୟାପ୍ତ ଅର୍ଥ ଓ କ୍ଷମତା। ସମସ୍ତେ ବୁଝିଲେଣି ଯେ ସରକାରୀ କ୍ଷମତା ପାଇଲେ ସ୍ବାଭାବିକ ଭାବେ ଓ ଆପଣାଛାଏଁ ଅର୍ଥ ମାଡ଼ିଆସିବ। ସମଗ୍ର ପରିବାର ସବୁ ପ୍ରକାର ସୁବିଧାସୁଯୋଗ ପାଇବା ସହିତ ଅତି ଶୀଘ୍ର ଧନୀ ହୋଇଯାଇ ପାରିବେ। ଅବସର ନେଲାବେଳକୁ ସେହି ଅଫିସର ତୁନି ହୋଇ ଘରେ ବସିବାର ପ୍ରୟୋଜନ ନ ଥାଏ। ଯେକୌଣସି ରାଜନୈତିକ ଦଳର କବାଡ଼ ବାଡ଼େଇଲେ ରାଜ୍ୟ ସଭା ହେଉ କିମ୍ବା ଅନ୍ୟ କୌଣସି ପଦବୀ ଥୁଆ ରହିଥାଏ। କାର୍ଯ୍ୟକାଳ ସମୟରେ ଯଦି ବଡ଼ ଘରୋଇ କମ୍ପାନୀକୁ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରିବାର ସୁଯୋଗ ମିଳିଥାଏ, ତେବେ ଅବସର ପରେ ସେହି କମ୍ପାନୀ ଯାଚିକରି ଚାକିରି ଦେଇଥାଏ। ସରକାରୀ ଅଫିସରଙ୍କ କ୍ଷମତା ସମଗ୍ର ଭାରତବର୍ଷରେ ଏକ ବିଶେଷ ମାନସିକତା ପୋଷଣ କରୁଥିବା ପରିବାର ପାଇଁ ଅତ୍ୟନ୍ତ ଆକର୍ଷଣୀୟ।