କପିଲ ଶର୍ମାଙ୍କୁ ହତ୍ୟା ଧମକ, ଚିନ୍ତାରେ ପରିବାର

ନୂଆଦିଲ୍ଲୀ,୨୩।୧: ହାସ୍ୟ ଅଭିନେତା କପିଲ ଶର୍ମାଙ୍କୁ ମଧ୍ୟ ହତ୍ୟା ଧମକ ମିଳିଛି। ଧମକ ଦେଇଥିବା ବ୍ୟକ୍ତି କପିଲ ଶର୍ମାଙ୍କ ପରିବାର, ସମ୍ପର୍କୀୟ ଏବଂ ପଡ଼ୋଶୀଙ୍କ ସହ ମିଶି ତାଙ୍କୁ ହତ୍ୟା କରିବାକୁ ଧମକ ଦେଇଛନ୍ତି। ଏହି ମାମଲାରେ, ଆମ୍ବୋଲି ପୋଲିସ ବିଏନ୍‌ଏସ୍‌ ଧାରା ୩୫୧(୩) ଅନୁଯାୟୀ, ଜଣେ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପୂର୍ବରୁ ରାଜପାଲ ଯାଦବ, ଟିଭି ଅଭିନେତ୍ରୀ ସୁଗନ୍ଧା ମିଶ୍ର ଏବଂ କୋରିଓଗ୍ରାଫର ରେମୋ ଡିସୁଜାଙ୍କୁ ମଧ୍ୟ ପାକିସ୍ତାନରୁ ଧମକପୂର୍ଣ୍ଣ ମେଲ ମିଳିଥିଲା।
ମେଲରେ ଲେଖାଯାଇଥିଲା, ଆମେ ତୁମର ସାମ୍ପ୍ରତିକ କାର୍ଯ୍ୟକଳାପ ଉପରେ ନଜର ରଖୁଛୁ। ଏକ ସମ୍ବେଦନଶୀଳ ବିଷୟକୁ ଆପଣଙ୍କ ଦୃଷ୍ଟିକୁ ଆଣିବା ଗୁରୁତ୍ୱପୂର୍ଣ୍ଣ। ଏହା କୌଣସି ସାର୍ବଜନୀନ ଷ୍ଟଣ୍ଟ ନୁହେଁ କିମ୍ବା ଆପଣଙ୍କୁ ହଇରାଣ କରିବାର ପ୍ରୟାସ ନୁହେଁ। ଆମେ ଆପଣଙ୍କୁ ଅନୁରୋଧ କରୁଛୁ ଯେ ଆପଣ ଏହି ବାର୍ତ୍ତାକୁ ବହୁତ ଗମ୍ଭୀରତାର ସହ ନିଅନ୍ତୁ ଏବଂ ଗୋପନୀୟତା ବଜାୟ ରଖନ୍ତୁ। ,ଳହା କରିବାରେ ବିଫଳ ହେଲେ ବିପଦପୂର୍ଣ୍ଣ ପରିଣାମ ହୋଇପାରେ, ଯାହା ଆପଣଙ୍କ ବୃତ୍ତିଗତ ଏବଂ ବ୍ୟକ୍ତିଗତ ଜୀବନକୁ ପ୍ରଭାବିତ କରିପାରେ। ଆମେ ଆଗାମୀ ୮ ଘଣ୍ଟା ମଧ୍ୟରେ ଆପଣଙ୍କଠାରୁ ଏକ ତୁରନ୍ତ ପ୍ରତିକ୍ରିୟା ଆଶା କରୁଛୁ। ଯଦି ଆମେ ଉତ୍ତର ନ ପାଇଲୁ, ତେବେ ଆମେ ଧରିନେବୁ ଯେ ଆପଣ ଏହି ବିଷୟକୁ ଗମ୍ଭୀରତାର ସହ ନେଉନାହାଁନ୍ତି ଏବଂ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ।
କପିଲ ଶର୍ମା ଆଜିକାଲି ତାଙ୍କର ସଦ୍ୟ ମୁକ୍ତିଲାଭ କରିଥିବା ମ୍ୟୁଜିକ ଭିଡିଓ ‘ଗିଲ୍ଟ’ ପାଇଁ ଚର୍ଚ୍ଚାରେ ଅଛନ୍ତି। ଏହି ଗୀତଟି କପିଲ ଶର୍ମା ନିଜେ ଗାଇଛନ୍ତି। ଜାନୁଆରୀ ୨୨ ତାରିଖରେ ୟୁଟ୍ୟୁବ୍‌ରେ ରିଲିଜ ହୋଇଥିବା ଏହି ଗୀତଟି ବେଶ୍‌ ଲୋକପ୍ରିୟତା ହାସଲ କରିଛି।

Share