ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ତଥା ପୂର୍ବତନ ଭାଜପା ଏମପି ଗୌତମ ଗମ୍ଭୀରଙ୍କୁ ‘ଆଇଏସଆଇଏସ କାଶ୍ମୀର’ ସଂଗଠନରୁ ମୃତ୍ୟୁ ଧମକ ମିଳିଛି। ଏପ୍ରିଲ ୨୨ରେ ଦୁଇଟି ଇମେଲ ମାଧ୍ୟମରେ ତାଙ୍କୁ “ଆଇକିଲ୍ୟୁ” (IKillU) ମେସେଜ ପଠାଯାଇଥିଲା। ଏହି ଘଟଣା ପରେ ଗମ୍ଭୀର ଦିଲ୍ଲୀ ପୋଲିସରେ ଏକ ଲିଖିତ ଅଭିଯୋଗ ଦାଖଲ କରି ଏଫଆଇଆର ରୁଜୁ କରିବା ସହ ନିଜ ପରିବାର ପାଇଁ ସୁରକ୍ଷା ମାଗିଛନ୍ତି।
ସୂଚନାଥାଉ କି, ଏହା ପୂର୍ବରୁ ୨୦୨୧ ମସିହା ନଭେମ୍ବରରେ ମଧ୍ୟ ତାଙ୍କୁ ଏକ ସମାନ ଧମକ ଇମେଲ ମିଳିଥିଲା। ପୋଲିସ ଏହି ମାମଲାର ତଦନ୍ତ ଆରମ୍ଭ କରିଛି ଏବଂ ଗମ୍ଭୀରଙ୍କ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡି କରାଯାଇଛି। ଏହା ସହିତ, ଗମ୍ଭୀର ନିକଟରେ ଜମ୍ମୁ ଓ କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ନିନ୍ଦା କରିଥିଲେ, ଯେଉଁଥିରେ ୨୬ ଜଣ ନାଗରିକ ପ୍ରାଣ ହରାଇଥିଲେ। ତେବେ ଏନେଇ ପୋଲିସର ତଦନ୍ତ ଜାରି ରହିଛି ।