ବିଶିଷ୍ଟ କବିଙ୍କ ପରଲୋକ: ଇଂରାଜୀ-ଓଡିଆ ସାହିତ୍ୟ ଜଗତରେ ଅପୂରଣୀୟ କ୍ଷତି

ପଦ୍ମପୁର,୩୧।୧(ପ୍ରଦୀପ୍ତ ଦାଶ):ଇଂରାଜୀ ସାହିତ୍ୟ ଜଗତର ଉଜ୍ଜ୍ୱଳ ତାରକା, ବିଶିଷ୍ଟ ଶିକ୍ଷାବିତ୍‌ ତଥା କବି ପ୍ରଫେସର ରାଜେନ୍ଦ୍ର କୁମାର ପାଢ଼ୀଙ୍କ ପଦ୍ମପୁରସ୍ଥିତ ବାସଭବନରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୬୪ ବର୍ଷ ବୟସ ହୋଇଥିଲା। ସେ ବ୍ରେନ ଟ୍ୟୁମର ଅସ୍ତ୍ରୋପଚାର ହୋଇ ଘରେ ଥିଲେ। ପ୍ରଫେସର ପାଢୀ କଳାହାଣ୍ଡି ଜିଲା ମଦନପୁର ରାମପୁର ମହାବିଦ୍ୟାଳୟରୁ ଇଂରାଜୀ ଅଧ୍ୟାପକ ଭାବେ ଯୋଗଦେଇ ଓଡିଶାର ବିଭିନ୍ନ କଲେଜରେ ଅଧ୍ୟାପନା କରିଥିଲେ। ଅବସର ଗ୍ରହଣ ପରେ ସମ୍ବଲପୁର ମୁକ୍ତ ବିଶ୍ୱବିଦ୍ୟାଳୟରେ ଇଂରାଜୀ ଭାଷା ମୁଖ୍ୟ ଭାବେ ଯୋଗ ଦେଇଥିଲେ।

ପ୍ରଫେସର ପାଢୀ ଉଭୟ ଇଂରାଜୀ ଓ ଓଡ଼ିଆ ଭାଷା ସାହିତ୍ୟରେ ନିଜର ପାଣ୍ଡିତ୍ୟ ଅର୍ଜନ କରିଥିଲେ। ଆଫ୍ରିକା ମହାଦେଶ ଆକ୍ରାଠାରେ ଅନୁଷ୍ଠିତ ଆନ୍ତର୍ଜାତିକ କବିତା ମହୋତ୍ସବରେ ବିଶ୍ୱର ୧୧ଜଣ କବି ମଧ୍ୟରେ ସମ୍ମାନିତ ହୋଇଥିଲେ। ସେ ସର୍ବମୋଟ ୪ଟି ଇଂରାଜୀ କବିତା ପୁସ୍ତକ ଗୋଟିଏ ଇଂରାଜୀ ଉପନ୍ୟାସ ରଚନା କରିଛନ୍ତି। ସେ ବିଶ୍ୱସ୍ତରୀୟ ୭ଟି ପୁସ୍ତକର ସମ୍ପାଦନା କରିଥିବାବେଳେ ତାଙ୍କର ରଚିତ ଓଡିଆ କବିତା ‘ଶୂନ୍ୟତାର ପ୍ରିୟତମା’ ବେଶ୍‌ ଆଦୃତ ହୋଇଥିଲା। ସେ ବହୁ ଜାତୀୟ/ଅନ୍ତର୍ଜାତୀୟ ସମ୍ମାନରେ ସମ୍ମାନୀତ ହେବା ସହିତ ଭାରତର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଲୟର ଭାଷା ବିଶେଷଜ୍ଞ ଭାବେ ଯୋଗଦାନ କରିଥିଲେ। ତାଙ୍କର ଅନେକ ଇଂରାଜୀ ପ୍ରବନ୍ଧ ଓ କବିତା ଦେଶ ବିଦେଶର ପ୍ରାୟ ୮୦ଟି ପୁସ୍ତକ ଓ ପତ୍ରିକାରେ ସ୍ଥାନିତ ହୋଇଛି । ସେହିପରି ସନ୍ଥ ଅରକ୍ଷିତ ଦାସଙ୍କ ଜୀବନୀ ଓ ମହି ମଣ୍ଡଳେ ଓଡିଆ ପୁସ୍ତକକୁ ଇଂରାଜୀରେ ଅନୁବାଦ କରିଥିଲେ। ସେ ସ୍ତ୍ରୀ ମମତା ଏବଂ ଏକମାତ୍ର ଝିଅ ଡାକ୍ତର ନଭସ୍ବାତୀଙ୍କୁ ଛାଡି ଚାଲିଯାଇଛନ୍ତି। ତାଙ୍କର ଅନ୍ତିମ ସଂସ୍କାର ସ୍ଥାନୀୟ ସ୍ବର୍ଗଦ୍ୱାରରେ କରାଯାଇଥିଲା ଝିଅ ନଭସ୍ବାତୀ ଓ ପୁତୁରା ପ୍ରତ୍ୟୁଷ ମୁଖାଗ୍ନି ଦେଇଥିଲେ। ତାଙ୍କର ଅନ୍ତିମ ଯାତ୍ରାରେ ବହୁ ବୁଦ୍ଧିଜୀବୀ, ଶିକ୍ଷାବିତ୍‌, କବି ଲେଖକ ତଥା ଆତ୍ମୀୟ ବନ୍ଧୁ ବର୍ଗ ସାମିଲ ହୋଇଥିଲେ। ତାଙ୍କର ଅକାଳ ବିୟୋଗ ଇଂରାଜୀ ଓ ଓଡିଆ ସାହିତ୍ୟ କ୍ଷେତ୍ରରେ ଅପୂରଣୀୟ କ୍ଷତି ହୋଇଛି।

 

Dharitri – Odisha’s No.1 Odia Daily