ହାଇଦ୍ରାବାଦରେ ଦାଦନ ଶ୍ରମିକଙ୍କ ମୃତ୍ୟୁ

କୋକସରା,୯ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ହାଇଦ୍ରାବାଦରେ ଦାଦନ ଶ୍ରମିକ ଭାବେ କାମ କରୁଥିବା ଜଣେ ଯୁବକଙ୍କ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଦୁଃଖଦ ମୃତ୍ୟୁ ହୋଇଛି। ସେ ହେଲେ କଳାହାଣ୍ଡି ଜିଲା କୋକସରା ବ୍ଲକ କାଉଡୋଳା ପଞ୍ଚାୟତ କୁମୁ ଗ୍ରାମର ଭୁବନେଶ୍ୱର ବେଶ୍ରାଙ୍କ ପୁଅ ରାଜ କିଶୋର ବେଶ୍ରା। ଆର୍ଥତ୍କ ସ୍ଥିତି ଶୋଚନୀୟ କାରଣରୁ ରାଜକିଶୋର ହାଇଦ୍ରାବାଦ ଯାଇ ଏକ ଠିକା ସଂସ୍ଥାରେ ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ପରିବାର ଲୋକଙ୍କ କହିବା ଅନୁଯାୟୀ ମଙ୍ଗଳବାର ସେ କୌଣସି କାରଣରୁ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଗୁରୁତର ହୋଇଥିଲେ। ସାଥୀ ଶ୍ରମିକ ଚିକିତ୍ସା ପାଇଁ ସରକାରୀ ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ସେଠାକାର ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରିଛି। ଠିକାସଂସ୍ଥା ସହାୟତାରେ ଏକ ଆମ୍ବୁଲାନ୍ସରେ ମୃତଦେହ ଭିଟାମାଟିକୁ ଫେରୁଥିବା ସୂଚନା ମିଳିଛି। ଭେଣ୍ଡିଆ ପୁଅକୁ ହରାଇ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଛନ୍ତି। ସ୍ଥାନୀୟ ପ୍ରଶାସନ ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।