ଭଞ୍ଜନଗର,୧୮।୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ମୁଜାଗଡ ରେଞ୍ଜ ବଜ୍ରକୋଟ ଗ୍ରାମ ନିକଟରେ ବୁଧବାର ସନ୍ଧ୍ୟାରେ ଏକ କଲରାପତରିଆ ବାଘ ଛୁଆ ମରି ପଡ଼ିଥିବା ଜଣାପଡିଛି । ଖବର ପାଇ ଡିଏଫ୍ଓ ହିମାଂଶୁ ଶେଖର ମହାନ୍ତି, ରେଞ୍ଜର ବିମ୍ବାଧର ସାହୁ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରି ଫେରି ଆସିଛନ୍ତି। ଗୁରୁବାର ଭୁବନେଶ୍ଵରରୁ ଜେଟିଏଫ୍ ଟିମ୍ ଆସିଲେ ବାଘର ବ୍ୟବଚ୍ଛେଦ ହେବ ।
ବାଘ ଛୁଆଟିର ବୟସ ପ୍ରାୟ ଏକ ବର୍ଷରୁ ଊର୍ଦ୍ଧ୍ୱ ହେବ । ଛୁଆଟି କେଉଁଭଳି ପରିସ୍ଥିତିରେ ମୃତ୍ୟୁବରଣ କରିଛି ସଠିକ୍ କିଛି ଜଣାପଡ଼ିନାହିଁ। ଆସନ୍ତାକାଲି ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ଜଣାପଡିବ। ବାଘ ଛୁଆଟି ଯୁବେନାଇଲ ବୋଲି ଡିଏଫ୍ଓ ସୂଚନା ଦେଇଛନ୍ତି।
ଘଟଣାରୁ ପ୍ରକାଶ ଯେ, ଆଜି ଅପରାହ୍ନ ପ୍ରାୟ ୪ ଟା ସମୟରେ ବଜ୍ରକୋଟ ବିଦ୍ୟାଳୟ ନିକଟରେ କିଛି ଛୁଆ ବଲ ଖେଳୁଥିଲେ। ବଲଟି ଏକ ବୁଦା ଆଡ଼େ ଯାଇଥିଲା। ଏହି ସମୟରେ ଜଣେ ଛାତ୍ର ବଲଟିକୁ ଗୋଟାଇବାକୁ ବୁଦା ଆଡ଼େ ଯାଇଥିଲେ। ଏହି ସମୟରେ ଛାତ୍ରଜଣଙ୍କ ଏକ ଜନ୍ତୁ ମରି ପଡ଼ିଥିବା ଦେଖି ଅନ୍ୟ ସାଥିମାନଙ୍କୁ କହିଥିଲେ। ଏହାପରେ କଥା ଯାଇ ଗ୍ରାମବାସୀଙ୍କ ପାଖରେ ପହଞ୍ଚିବା ପରେ ଲୋକେ ରୁଣ୍ଡ ହୋଇ ତାହା ବାଘ ଛୁଆ ବୋଲି ଜଣାପଡିଥିଲା। ଏହାପରେ ସନ୍ଧ୍ୟାରେ ବନ ବିଭାଗ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଛୁଆଟିର କୌଣସି ଆଘାତ ଚିହ୍ନ ନାହିଁ। ମୃତ୍ୟୁ ପୁର୍ବରୁ ଛୁଆଟି ଝାଡା ଫେରିଛି । ତେଣୁ ବାଘ ଛୁଆର ମୃତ୍ୟୁର ସଠିକ୍ କାରଣ ଜଣାପଡିନାହିଁ। ଆଜି ହିଁ ବାଘ ଛୁଆଟି ମୃତ୍ୟୁବରଣ କରିଥିବା ଆଶଙ୍କା କରାଯାଉଛି।