Categories: ଅନୁଗୋଳ

ସାତକୋଶିଆରେ ଅସୁସ୍ଥ ମାଈ ହାତୀର ମୃତ୍ୟୁ

ଅନୁଗୋଳ ଅଫିସ,  ୧।୭  ସାତକୋଶିଆ ଅଭୟାରଣ୍ୟରେ ଥମୁନି ହାତୀ ମଡ଼କ। ଗତ ୧୫ ଦିନ ମଧ୍ୟରେ ଅଭୟାରଣ୍ୟର ବିଭିନ୍ନ ରେଞ୍ଜ ଅଞ୍ଚଳରେ ୩ଟି ଅସୁସ୍ଥ ହାତୀର ମୃତ୍ୟୁ ହୋଇଛି। ଗତ ୧୬ ତାରିଖରେ ପମ୍ପାସର ରେଞ୍ଜ ଜୁକୁବ ଅଞ୍ଚଳରେ ଏକ ଦନ୍ତା ହାତୀର ଜୀବନ ଯାଇଥିବାବେଳେ ୨୭ ତାରିଖରେ ଟିକରପଡ଼ା ରେଞ୍ଜ କୁଶଖଳି ଜଙ୍ଗଲର ସୁନା ଖଣିଆ ଗ୍ରାମରେ ୫ ବର୍ଷୀୟ ଅଣ୍ଡିରା ହାତୀର ମୃତ୍ୟୁ ହୋଇଥିଲା। ଗୁରୁବାର ପମ୍ପାସର ରେଞ୍ଜ ଟାଇଁସି ନୂଆପଡ଼ା ଅଞ୍ଚଳରେ ୭ ବର୍ଷିୟ ମାଈ ହାତୀର ମୃତ୍ୟୁ ହୋଇଛି। ତେବେ ମାଈ ହାତୀଟି କେଉଁ କାରଣରୁ ପ୍ରାଣ ହରାଇଛି ସେ ନେଇ ବନ ବିଭାଗ ମୁହଁ ଖୋଲୁନାହିଁ।
ପ୍ରକାଶ ଯେ, ପମ୍ପାସର ରେଞ୍ଜରେ ଏକ ହାତୀ ଅସୁସ୍ଥ ଥିବା ନେଇ ପୂର୍ବରୁ ସ୍ଥାନୀୟ ଲୋକେ ବନ ବିଭାଗକୁ ସୂଚନା ଦେଇଥିଲେ। କିନ୍ତୁ ବିଭାଗ ପକ୍ଷରୁ ଅସୁସ୍ଥ ହାତୀର ଚିକିତ୍ସା କରାଯାଇପାରି ନ ଥିଲା। ଗୁରୁବାର ଟାଇଁସି ନୂଆପଡ଼ା ଅଞ୍ଚଳରେ ଉକ୍ତ ମାଈ ହାତୀର ମୃତ୍ୟୁ ହୋଇଥିବା ସ୍ଥାନୀୟ ବାସିନ୍ଦା ଦେଖିବାକୁ ପାଇଥିଲେ। ଏ ସମ୍ପର୍କରେ ସେମାନେ ବନ ବିଭାଗକୁ ଖବର ଦେବା ପରେ କର୍ମଚାରୀମାନେ ସେଠାରେ ପହଞ୍ଚତ୍ଥିଲେ। କେଉଁ କାରଣରୁ ଉକ୍ତ ମାଈ ହାତୀର ପ୍ରାଣ ଯାଇଛି ସେ ନେଇ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇ ନ ଥିବାବେଳେ ନମୁନା ସଂଗ୍ରହ କରାଯାଇ ଭୁବନେଶ୍ୱର ଓୟୁଏଟିକୁ ପଠାଯାଇଛି। ତେବେ ଚିକିତ୍ସା ଅଭାବରୁ ହାତୀର ମୃତ୍ୟୁ ହୋଇଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ବନ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ହାତୀଟି ଅନୁଗୋଳ ବନଖଣ୍ଡରେ ଚଳପ୍ରଚଳ କରୁଥିଲା। ତେଣୁ ତାକୁ ଟ୍ରାକ୍‌ କରାଯାଇପାରି ନ ଥିଲା। ଗ୍ରାମବାସୀଙ୍କଠାରୁ ଖବର ପାଇ ଘଟଣାସ୍ଥଳକୁ ଆସିଛୁ। ସାତକୋଶିଆ ଡିଏଫ୍‌ଓ ଡ. ସରୋଜ ପଣ୍ଡା କହିଛନ୍ତି, ହାତୀ କାର୍ଯ୍ୟରେ ବ୍ୟସ୍ତ ରହିଛି। ହାତୀ ମୃତ୍ୟୁ ସମ୍ପର୍କରେ ପରେ ତଥ୍ୟ ଦିଆଯିବ।