ମୁମ୍ବାଇ,୮।୧୦: ଭାରତୀୟ କ୍ରିକେଟ ଦଳର ଷ୍ଟାର ଖେଳାଳି ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଅବସର ନେଇ ଚର୍ଚ୍ଚା ମଧ୍ୟରେ ରବିଚନ୍ଦ୍ରନ ଆଶ୍ୱିନ ମତ ରଖିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଆସନ୍ତା ୧୯ ଅକ୍ଟୋବରରୁ ଆରମ୍ଭ ହେବ, ଯେଉଁଥିରେ ବିରାଟ ଓ ରୋହିତ ଖେଳିବେ। ଉଭୟ ଖେଳାଳି ଟି-୨୦ ଓ ଟେଷ୍ଟରୁ ଅବସର ନେଇଛନ୍ତି। ୨୦୨୭ ବିଶ୍ୱକପ ଆଉ ଦୁଇ ବର୍ଷ ଦୂରରେ ଥିବାରୁ ସେମାନଙ୍କୁ ଦଳରେ ରଖାଯିବ କି ନାହିଁ, ଏ ନେଇ ପ୍ରଶ୍ନ ଉଠିଛି।
ଆଶ୍ୱିନ ତାଙ୍କ ୟୁଟ୍ୟୁବ ଚ୍ୟାନେଲରେ କହିଛନ୍ତି, “ବିରାଟ ଓ ରୋହିତ ନିଜ କ୍ୟାରିୟରର ଶେଷ ପର୍ଯ୍ୟାୟରେ ଅଛନ୍ତି। ସିଲେକ୍ସନ ଓ ଖେଳାଳି ଏକ ମୁଦ୍ରାର ଦୁଇଟି ପାର୍ଶ୍ୱ। ଦଳ ଆଗକୁ ବଢ଼ିବାକୁ ନିଷ୍ପତ୍ତି ନେଇଛି, କିନ୍ତୁ ଏପରି ସମୟରେ ଖେଳାଳିଙ୍କ ସହ ଉଚିତ ଯୋଗାଯୋଗ ଓ ଜ୍ଞାନ ହସ୍ତାନ୍ତର ଆବଶ୍ୟକ।” ସେ ଆହୁରି କହିଛନ୍ତି, ୨୦୨୪ ଟି-୨୦ ବିଶ୍ୱକପ ପରେ ଏହି ଯୋଗାଯୋଗ ଆରମ୍ଭ ହେବା ଉଚିତ ଥାନ୍ତା, ଯାହା ଦ୍ୱାରା ଖେଳାଳିମାନେ ନିଜର ଭବିଷ୍ୟତ ନିଷ୍ପତ୍ତି ନେଇପାରିଥାନ୍ତେ।
ଆଶ୍ୱିନ ସ୍ପଷ୍ଟ ଓ ସ୍ୱଚ୍ଛ ଯୋଗାଯୋଗର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇ କହିଛନ୍ତି, “ବିରାଟ ଓ ରୋହିତଙ୍କ ଭାରତୀୟ କ୍ରିକେଟରେ ଅବଦାନକୁ ଦୃଷ୍ଟିରେ ରଖି ସେମାନଙ୍କ ସହ ଅଧିକ ସମ୍ମାନଜନକ ଓ ଦୂରଦୃଷ୍ଟିସମ୍ପନ୍ନ ଯୋଗାଯୋଗ ହେବା ଉଚିତ।”